ନୂଆଦିଲ୍ଲୀ: ଆମେରିକାର ଟ୍ରମ୍ପ୍ ପ୍ରଶାସନ ଏଭଳି ଏକ ଭିସା ନୀତି ଉପରେ ବିଚାର କରୁଛି ଯାହା କାର୍ଯ୍ୟକାରୀ ହେଲେ ୫ ଲକ୍ଷରୁ ସାଢ଼େ ସାତ ଲକ୍ଷ ଭାରତୀୟଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ। ଆମେରିକା ଏବେ ‘ବାଏ ଆମେରିକାନ୍, ହାୟାର ଆମେରିକାନ୍ (ଆମେରିକୀୟ କିଣ, ଆମେରିକୀୟଙ୍କୁ ନିଯୁକ୍ତି ଦିଅ) ନୀତି ଲାଗୁ କରିବାକୁ ବିଚାର କରୁଛି।
ପ୍ରସ୍ତାବ ଅନୁଯାୟୀ, ଯେଉଁ ବିଦେଶୀ କର୍ମଚାରୀମାନଙ୍କ ଗ୍ରିନ୍ କାର୍ଡ ଆବେଦନ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଳମ୍ବିତ ରହିଛି ସେମାନେ ନିଜ ପାଖରେ ଏଚ୍-୧ବି ଭିସା ରଖିପାରିବେ ନାହିଁ। ଏଭଳି ଏକ ନିୟମ ଆମେରିକା କାର୍ଯ୍ୟକାରୀ କରିବାକୁ ଯାଉଛି।
ଏହି ନିୟମ କାର୍ଯ୍ୟକାରୀ ହେଲେ ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ଏଚ-୧ବି ଭିସାର ଅବଧିକୁ ବୃଦ୍ଧି କରାଯିବ ନାହିଁ। ଆମେରିକାରେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ଗ୍ରିନ୍ କାର୍ଡ ନିମନ୍ତେ ଆବେଦନ କରିଥିବା ଭାରତୀୟମାନେ ଏହି ନିୟମ ଦ୍ୱାରା ପ୍ରଭାବିତ ହେବେ। ଯେଉଁମାନଙ୍କୁ ଗ୍ରିନ୍ କାର୍ଡ ମିଳିବାରେ ବିଳମ୍ବ ହେଉଛି ସେମାନଙ୍କ ଏଚ୍-୧ବି ଭିସା ଅବଧି ବୃଦ୍ଧି କରାଯିବ ନାହିଁ। ଫଳରେ ସେମାନଙ୍କୁ ଆମେରିକା ଛାଡ଼ିବାକୁ ହିଁ ପଡ଼ିବ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ଅନେକ ଭାରତୀୟ କର୍ମଚାରୀ ଏହି ନିୟମ ଦ୍ୱାରା ପ୍ରଭାବିତ ହେବେ।
ବର୍ତ୍ତମାନେ ଆମେରିକାରେ ପ୍ରଚଳନରେ ଥିବା ନିୟମ ଅନୁସାରେ ଯେଉଁମାନଙ୍କୁ ଗ୍ରିନ୍ କାର୍ଡ ମିଳିବା ବିଳମ୍ବ ହେଉଛି ସେମାନଙ୍କର ଏଚ୍-୧ବି ଭିସା ଅବଧିକୁ ୨-୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ନୂଆ ନିୟମ ଲାଗୁ ହେଲେ ଏଚ୍-୧ବି ଭିସା ରଖିଥିବା ୫ ଲକ୍ଷରୁ ସାଢ଼େ ସାତ ଲକ୍ଷ ଭାରତୀୟଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ।
ଭିସା ସମ୍ପର୍କିତ ସମସ୍ୟା ବିଷୟରେ ଶିଳ୍ପ ସଂଘ ନାସ୍କମ୍ ପକ୍ଷରୁ ଆମେରିକା ସରକାରଙ୍କୁ ଅବଗତ କରାଯାଇଛି। ଏବେ ଯେଉଁ ନୂଆ ନିୟମ ବିଷୟରେ ଚର୍ଚା ହେଉଛି ସେ ବିଷୟରେ ମଧ୍ୟ ନାସକମ୍ ପକ୍ଷରୁ ଖୁବ୍ଶୀଘ୍ର ଆମେରିକା ସରକାରଙ୍କ ସହିତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ‘ଆମେରିକୀୟ ନିଯୁକ୍ତିର ସଂରକ୍ଷଣ ଏବଂ ବୃଦ୍ଧି ବିଲ୍’ର ଏକ ଅଂଶ ହେଉଛି ଏହି ନୂଆ ପ୍ରସ୍ତାବ। ଏହି ବିଲ୍ରେ ଏଚ୍-୧ବି ଭିସା ଅପବ୍ୟବହାର ରୋକିବା ପାଇଁ ଅନେକ କଟକଣାର ବ୍ୟବସ୍ଥା ରହିଛି। ଏହି ବିଲ୍ ଜରିଆରେ ନ୍ୟୁନତମ ବେତନ ଏବଂ କର୍ମଚାରୀ ପରିବର୍ତ୍ତନ ଉପରେ ମଧ୍ୟ କଟକଣା ଲଗାଇବା ଉପରେ ଆମେରିକା ସରକାର ବିଚାର କରୁଛନ୍ତି। ସର୍ବନିମ୍ନ ବେତନ ବୃଦ୍ଧି ସହିତ ନିଯୁକ୍ତି ଦିଆଯାଇଥିବା କର୍ମଚାରୀଙ୍କୁ ଆଗାମୀ ୫ରୁ ୬ ବର୍ଷ ପର୍ଯ୍ୟନ୍ତ ବିଦା କରାଯାଇପାରିବ ନାହିଁ ବୋଲି ଗ୍ୟାରେଣ୍ଟି ପ୍ରଦାନ କରିବା ପାଇଁ ନୂଆ ଭିସା ନିୟମ ଜରିଆରେ ଆମେରିକା ସରକାର ନିଯୁକ୍ତିଦାତାମାନଙ୍କୁ ବାଧ୍ୟ କରୁଛନ୍ତି।
ଆମେରିକା ପକ୍ଷରୁ ପ୍ରତିବର୍ଷ ୮୫ ହଜାର ନନ୍-ଇମିଗ୍ରାଣ୍ଟ୍ ଏଚ୍-୧ବି ଭିସା ପ୍ରଦାନ କରାଯାଉଛି। ଆମେରିକାରେ କାମ କରୁଥିବା ୬୫ ହଜାର ବିଦେଶୀ କର୍ମଚାରୀଙ୍କୁ ଏବଂ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିବା ୨୦ ହଜାର ଛାତ୍ରଛାତ୍ରୀଙ୍କୁ ଏହି ଭିସା ପ୍ରଦାନ କରାଯାଉଛି। ଏହି କଟୋର ୭୦% ଭିସା ଭାରତୀୟଙ୍କୁ ମିଳିଥାଏ। ଆଇଟି କଂପାନିର କର୍ମଚାରୀଙ୍କୁ ସର୍ବାଧିକ ଭିସା ମିଳିଥାଏ।