ଭୁବନେଶ୍ବର: ବିଶ୍ବସ୍ତରୀୟ ଇସ୍ପାତ ନିର୍ମାଣକାରୀ ସଂସ୍ଥା ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ଏନ୍ ମିତ୍ତଲ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେ ଦୀର୍ଘ ଏକ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ କଂପାନି କେନ୍ଦ୍ରାପଡ଼ାରେ ସ୍ଥାପନ କରିବାକୁ ଥିବା ସମନ୍ବିତ ଇସ୍ପାତ ପ୍ରକଳ୍ପ ଓ ପାରାଦୀପ ପ୍ରକଳ୍ପ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆର୍ସେଲର ମିତ୍ତଲର ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଭଳି ନିର୍ଭର ପ୍ରତିଶ୍ରୁତି ପାଇଁ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ (ଏଏମ୍ଏନ୍ଏସ୍)ର ସିଇଓ ଦିଲ୍ଲୀପ ଓମେନ୍ ଉପସ୍ଥିତ ଥିଲେ। ଓଡ଼ିଶାରେ ପ୍ରକଳ୍ପ ସ୍ଥାପନ କରିବାକୁ ବେଶ ଉତ୍ସାହିତ ଥିବା ଶ୍ରୀ ମିତ୍ତଲ ଗତ ଛଅ ମାସ ଭିତରେ ଦ୍ବିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ମାର୍ଚ୍ଚରେ ସେ ଓଡ଼ିଶା ଆସିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରେ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ଲାଗି ଆର୍ସେଲର ମିତ୍ତଲର ଏକ ସହଯୋଗୀ ସଂସ୍ଥା ଏଏମ୍ଏନ୍ଏସ୍ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଗତ ମାର୍ଚ୍ଚ ୪ରେ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମିତ୍ତଲ ସେହି ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି କାରଖାନା ସ୍ଥାପନ କରିବା ଲାଗି ମହାକାଳପଡ଼ାରେ ୬୫୦୦ ଏକର ଜମି ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ମହାନଦୀରେ ହେବାକୁ ଥିବା ପ୍ରସ୍ତାବିତ ରିଭରିନ୍ ପୋର୍ଟ ପ୍ରକଳ୍ପ ଏବଂ ନୂତନ ଭାବେ ନିର୍ମାଣ କରାଯାଇଥିବା ହରିଦାସପୁର-ପାରାଦୀପ ରେଳ ଲାଇନ୍ ନିକଟବର୍ତ୍ତୀ ଅଞ୍ଚଳରେ ଏହି ନୂଆ ଇସ୍ପାତ କାରଖାନା ସ୍ଥାପନ କରାଯିବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନରେ ଶ୍ରୀ ମିତ୍ତଲ ପାରାଦୀପ ଓ ମହାକାଳପଡ଼ା ଗସ୍ତ କରିଥିଲେ। କଂପାନି ସ୍ଥାପନ କରିବାକୁ ଥିବା ଇସ୍ପାତ ପ୍ରକଳ୍ପ ଲାଗି ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ସମୁଦ୍ର ନିକଟବର୍ତ୍ତୀ ଚାରି ପାଞ୍ଚଟି ଗ୍ରାମରେ ଉପଲବ୍ଧ ଥିବା ଜମିକୁ ଏହି ପ୍ରକଳ୍ପ ଲାଗି ଚିହ୍ନଟ କରାଯାଇଛି। ସମୁଦ୍ର ପଥ ଦେଇ ସେ ସେହି ଅଞ୍ଚଳ ଯାଇଥିଲେ। ଇସ୍ପାତ ଓ ଜେଟି ପ୍ରକଳ୍ପର ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ଲାଗି ତାଙ୍କ ସଂସ୍ଥା ବିଭିନ୍ନ ଏଜେନ୍ସିକୁ ଦାୟିତ୍ବ ଦେଇଛି।
ଓଡ଼ିଶା ସହ ମିତ୍ତଲଙ୍କ ସମ୍ପର୍କ ନୂଆ ନୁହେଁ। ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବା ଲାଗି ମିତ୍ତଲ ଆଗ୍ରହ ପ୍ରକାଶ କରିଥିଲେ। ୨୦୦୬ରେ ଏନେଇ ତାଙ୍କ କଂପାନି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିଥିଲା। ଉପଯୁକ୍ତ ଜମି ମିଳିବାରେ ଅସୁବିଧା ଓ ଲୁହାପଥର ଖଣି ଲାଗି ମଞ୍ଜୁରି ନମିଳିବାରୁ ୨୦୧୩ରେ କଂପାନି ସେହି ପ୍ରକଳ୍ପରୁ ସମ୍ପୂର୍ଣ୍ଣ ଓହରିଯାଇଥିଲା। ଉକ୍ତ ପ୍ରକଳ୍ପରେ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ କଂପାନି ପ୍ରସ୍ତାବ ଦେଇଥିଲା। ଏହାର କିଛି ବର୍ଷ ପରେ ଇନ୍ସଲ୍ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି) ପ୍ରକ୍ରିୟାରେ ଏସାରକୁ ଅଧିଗ୍ରହଣ କରିବା ପରେ ତାଙ୍କ ସଂସ୍ଥା ଏଏମ୍ଏନ୍ଏସ୍ ସଫଳ ହୋଇଥିଲା। ସେହି ସଂସ୍ଥା ଦୁଇଟି ଖଣି ପାଇବା ପରେ ପୁଣି ଥରେ ରାଜ୍ୟରେ ଏକ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବାକୁ ମିତ୍ତଲ ଆଗ୍ରହ ଦେଖାଇଛନ୍ତି। ପ୍ରକଳ୍ପ ପାଇଁ ଏଥର ସେ କେନ୍ଦୁଝର ବଦଳରେ କେନ୍ଦ୍ରାପଡ଼ାକୁ ଚୟନ କରିଛନ୍ତି। ପାରାଦୀପରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ର ଏକ ପେଲେଟ୍ କାରଖାନା ରହିଛି। ସେହି କାରଖାନାର ସମ୍ପ୍ରସାରଣ ଓ କେନ୍ଦୁଝରର ଡୁବୁନା ଠାରେ ଥିବା ବେନିଫିକେସନ୍ ପ୍ରକଳ୍ପ ଏବଂ ସ୍ଲରି ପାଇପ୍ଲାଇନ୍ ପ୍ରକଳ୍ପ ପାଇଁ କଂପାନି ୨୦୦୦ କୋଟି ଟଙ୍କା ନିବେଶ କରୁଛି। କଂପାନି ପାଖରେ ଠାକୁରାଣୀ ଓ ଘୋରବୁରହାଣି ସାଗସାହି ଲୁହାପଥର ଖଣି ମଧ୍ୟ ରହିଛି।