ନୂଆଦିଲ୍ଲୀ: ଅତୀତରେ ଭାରତୀୟ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା ଲାମ୍ବ୍ରେଟା ସ୍କୁଟର। ଏଥିସହିତ ୬୦ ଏବଂ ୭୦ ଦଶକରେ ବଲିଉଡ ଓ ହଲିଉଡ୍ ସିନେମାରେ ମଧ୍ୟ ଉକ୍ତ ସ୍କୁଟରକୁ ବହୁମାତ୍ରାରେ ଦେଖିବାକୁ ମିଳୁଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ୯୦ ଦଶକରେ ଏହା ଭାରତୀୟ ବଜାରରୁ ଉଭାନ ହୋଇଯାଇଥିଲା। ଏବେ ଦୀର୍ଘ ପ୍ରାୟ ୨୫ ବର୍ଷ ପରେ ପୁଣି ଭାରତୀୟ ବଜାରକୁ ଲାମ୍ବ୍ରେଟା ନୂଆ ଅବତାରରେ ଫେରିବ।
ଇଟାଲିର ଇନୋସେଣ୍ଟି ଏସଏ ନାମକ କମ୍ପାନି ଉକ୍ତ ସ୍କୁଟରର ନିର୍ମାତା। ନିକଟରେ ଉକ୍ତ କମ୍ପାନି ବୋର୍ଡର ସଦସ୍ୟ ଥିବା ଏବଂ ବିଶ୍ବରେ ଲାମ୍ବ୍ରେଟା ବ୍ରାଣ୍ଡ୍କୁ କିଣିଥିବା ନେଦରଲାଣ୍ଡର ନିବେଶକ ୱାଲଟର ସ୍କିଫ୍ରାନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତରେ ଆସନ୍ତା ୫ ବର୍ଷ ମଧ୍ୟରେ ୨୦୦ ନିୟୁତ ଡଲାର ବା ପାଖାପାଖି ୧୬ ଶହ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରାଯିବ। ଭାରତୀୟ କମ୍ପାନି ବାର୍ଡ ଗ୍ରୁପ୍ ସହଯୋଗରେ କମ୍ପାନି ଏହି ପୁଞ୍ଜି ନିବେଶ କରିବ। ଭାରତରେ ଅଧିକରୁ ଅଧିକ ବଜାର ଅକ୍ତିଆର କରିବା ପାଇଁ କମ୍ପାନି ବ୍ୟାପକ ବର୍ଗର ଉତ୍ପାଦ ଆଣିବ। ସେଥିରେ ଜି, ଭି ଏବଂ ଏକ୍ସ ମଡେଲ୍ ରହିବ। ଏସବୁ ମଡେଲ ଗାଡ଼ିର ଇଞ୍ଜିନ କ୍ଷମତା ୨୦୦ରୁ ୩୫୦ ସିସି ମଧ୍ୟରେ ରହିବ। ଉଚ୍ଚ କ୍ଷମତା ସଂପନ୍ନ ଏବଂ କମ୍ ପ୍ରଦୂଷଣଯୁକ୍ତ ସ୍କୁଟର ୨୦୨୩ରେ ଭାରତରେ ମିଳିବା ଆଶା କରାଯାଉଛି। କେବଳ ସେତିକି ନୁହେଁ କମ୍ପାନି ୨୦୨୪ରେ ଏକ ଇଲେକ୍ଟ୍ରିକ ସ୍କୁଟର ଆଣିବା ଯୋଜନା ମଧ୍ୟ ରଖିଛି। ଭାରତରେ ପୂର୍ବରୁ ଯେଉଁ ଲାମ୍ବ୍ରେଟା ଉପଲବ୍ଧ ହେଉଥିଲା ଯାହାକି ପରେ ଲାମ୍ବି ନାମରେ ପରିଚିତ ଥିଲା ତାହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୮୦ କିମି ରହିଥିଲା।
ମାନେସରରେ ହେବ କାରଖାନା
୧୬୦୦ କୋଟି ନିବେଶ
ବାର୍ଡ ଗ୍ରୁପ ସହ ସହଯୋଗିତା
୨୦୨୩ରେ ସ୍କୁଟର
୨୦୨୪ରେ ଇ-ସ୍କୁଟର
ବିଶ୍ବ ବଜାରକୁ ଭାରତରୁ ରପ୍ତାନି
ଭାରତରେ ଲାମ୍ବ୍ରେଟାର ଆତ୍ମା ରହିଛି ଏବଂ ଲୋକଙ୍କ ମଧ୍ୟରେ ଏହାର ଭଲପାଇବା ଯଥେଷ୍ଟ ଅଧିକ। ଅତୀତର ମ୍ୟାଜିକ ପୁଣି ସୃଷ୍ଟି କରିବାକୁ ଆମେ ଆଗ୍ରହୀ। ହାଇଏଣ୍ଡ ସ୍କୁଟର ଆଣିବା ସହିତ ଭାରତର ସ୍କୁଟର ବଜାରର ଫରାରି ଭାବେ ଏହାକୁ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ୱାଲଟର କହିଛନ୍ତି। ଅଧିକ ଖୁସିର ବିଷୟ ହେଲା କମ୍ପାନି ଭାରତରେ ଏସବୁ ସ୍କୁଟର ନିର୍ମାଣ କରିବା ସହିତ ବିଦେଶକୁ ଏଠାରୁ ରପ୍ତାନି କରିବ। ଏପରିକି ଇଟାଲି ବଜାରକୁ ମଧ୍ୟ ଏଠାରୁ ସ୍କୁଟର ପଠାଇବା ଯୋଜନା ରଖିଛି। ଇନସେଣ୍ଟି ପକ୍ଷରୁ ପ୍ରସ୍ତୁତ ଲାମ୍ବ୍ରେଟା ବ୍ରାଣ୍ଡ୍ର ସ୍କୁଟରର ମୂଲ୍ୟ ଅଧିକ ରହିଲେ ମଧ୍ୟ ଏହା ସମସ୍ତଙ୍କ ନିକଟରେ ପହଞ୍ଚିବା ଭଳି ଉତ୍ପାଦ ହେବ। ବଜାରରେ ଉପଲବ୍ଧ ହେଉଥିବା ସବୁଠୁ ଦାମୀ ସ୍କୁଟର ତୁଳନାରେ ଏହାର ମୂଲ୍ୟ ଅତିକମ୍ରେ ୨୦ ପ୍ରତିଶତ ଅଧିକ ରହିବ। ବାର୍ଡଗ୍ରୁପ ସହିତ ଯେଉଁ ଯୌଥ ଉଦ୍ୟୋଗ ସ୍ଥାପନ ହେବ ସେଥିରେ ଲମ୍ବ୍ରେଟାର ୫୧ ପ୍ରତିଶତ ଏବଂ ବାର୍ଡଗ୍ରୁପ୍ର ୪୯ ପ୍ରତିଶତ ଅଂଶଧନ ରହିବ।
ବର୍ତ୍ତମାନ ଲାମ୍ବ୍ରେଟା ବିଶ୍ବରେ ପ୍ରାୟ ୭୦ଟି ଦେଶରେ ବିକ୍ରି ହେଉଛି। ତେବେ ଭାରତରେ ଯେଉଁ କାରଖାନା ସ୍ଥାପନ ହେବ ତାହା ସବୁଠୁ ବଡ଼ ହେବାର ସମ୍ଭାବନା ରହିଛି। ମାନେସରଠାରେ ଯେଉଁ ଉତ୍ପାଦନ ୟୁନିଟ ସ୍ଥାପନ ହେବ ତାହାର ବାର୍ଷିକ ଉତ୍ପାଦନ କ୍ଷମତା ୧ ଲକ୍ଷ ୟୁନିଟ୍ ରହିବ । କମ୍ପାନି ପ୍ରଥମେ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ୟୁନିଟ ଭାବେ ଉକ୍ତ ସ୍କୁଟରକୁ ଭାରତରେ ୨୦୨୩ରେ ଉନ୍ମୋଚନ କରିବ। ପରେ ୨୦୨୪ ପ୍ରଥମ ତ୍ରୟମାସରେ ଭାରତରେ ଉତ୍ପାଦନ କରିବ। ୨୦୨୧ରେ ଲାମ୍ବ୍ରେଟା ବିଶ୍ବରେ ମୋଟ ପ୍ରାୟ ୧ ଲକ୍ଷ ୟୁନିଟ୍ ସ୍କୁଟର ବିକ୍ରି କରିଛି। ଭାରତରେ ଉପଲବ୍ଧ ହେବାପରେ ବିକ୍ରି ସଂଖ୍ୟା ଦୁଇଗୁଣାରୁ ଅଧିକ ହେବା ନେଇ କମ୍ପାନି ଆଶା ରଖିଛି। ମାନେସରରେ କାରଖାନା ସ୍ଥାପନ ଦ୍ବାରା ୫୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୧୯୪୭ରୁ ଯାତ୍ରା
୧୯୪୭ରେ ପ୍ରଥମେ ଇଟାଲିର ମିଲନରେ ଲାମ୍ବ୍ରେଟାର ନିର୍ମାଣ ହୋଇଥିଲା। ପରେ ସାରା ବିଶ୍ବରେ ଉକ୍ତ ସ୍କୁଟର ବିକ୍ରି ହୋଇଥିଲା। ୧୯୭୦ ଦଶକରେ ଭାରତୀୟ ବଜାରର ପରିବର୍ତ୍ତିତ ସ୍ଥିତି ଯୋଗୁ ଏହି ବ୍ରାଣ୍ଡ୍ ଚାଲି ପାରି ନଥିଲା। ଭାରତରେ ଏହି ବ୍ରାଣ୍ଡ୍ ୧୯୫୦ ଦଶକରେ ପ୍ରବେଶ କରିଥିବା ଅନୁମାନ କରାଯାଏ। ଅଟୋମୋବାଇଲ ପ୍ରଡକ୍ଟସ ଅଫ୍ ଇଣ୍ଡିଆ (ଏପିଆଇ) ଜରିଆରେ ଉକ୍ତ ବ୍ରାଣ୍ଡ୍ ଭାରତକୁ ଆସିଥିଲା। ପରେ ୧୯୭୦ ଦଶକରେ ଏହାକୁ ରାଷ୍ଟ୍ରାୟତ୍ତ ସ୍କୁଟରସ ଇଣ୍ଡିଆ ଲିମିଟେଡ ଅଧିଗ୍ରହଣ କରି ନେଇଥିଲା। ଏହି କମ୍ପାନି ଇନୋସେଣ୍ଟିର କାରଖାନା, ଯନ୍ତ୍ରାଂଶ, ଡିଜାଇନ ଏବଂ ସ୍ବତ୍ବାଧିକାର କିଣିଥିଲା। ଏହାପରେ ୧୯୭୫ ବେଳକୁ ବିଜୟା ସୁପର ନାମରେ କମ୍ପାନି ସ୍କୁଟର ଆରମ୍ଭ କରିଥିଲା। କିନ୍ତୁ ବିକ୍ରି ଆଶାନୁରୂପ ନହେବାରୁ ୯୦ ଦଶକରେ ଏହାକୁ ବନ୍ଦ କରିଦିଆଯାଇଥିଲା। ବାର୍ଡ ଗ୍ରୁପ୍ ୧୯୭୧ରେ ସ୍ଥାପନ ହୋଇଥିଲା। ଟ୍ରାଭେଲ ଟେକ୍ନୋଲୋଜିଠାରୁ ଆରମ୍ଭ କରି ବିମାନ ବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ, ରୋଜେଟ୍ ହୋଟେଲ ଆଦି ସେବା ବାର୍ଡ ଗ୍ରୁପ୍ ଯୋଗାଇ ଦେଉଛି।