ଭୁବନେଶ୍ବର: ବିଜ୍ଞାନକୁ ନେଇ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଆଗ୍ରହ ବଢ଼ାଇବା ଲାଗି ରାଜ୍ୟ ସରକାର ଭୁବନେଶ୍ବରରେ ସାଇନ୍ସ ସିଟି ସ୍ଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ଆଖପାଖରେ ୧୦୦ ଏକର ଜମିରେ ଏହାକୁ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିସାରିଛନ୍ତି। ଜମି ଚିହ୍ନଟ ହୋଇସାରିଛି। ଖୁବ୍‌ଶୀଘ୍ର ଜମି ମିଳିବ ଓ ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ବିକଶିତ ଓଡ଼ିଶା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ନେକ୍ସଟଜେନ୍ ସମିଟ୍‌-୨୦୨୫’ ଅବସରରେ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ଆମେ କୋଲକାତା ଓ ଗୁଜରାଟର ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ବୁଲି ଦେଖିଛୁ। ଏଠାରେ ସେଭଳି ଧରଣର ଏକ ପ୍ରକଳ୍ପର ଆବଶ୍ୟକତା ରହିଛି ଯାହା ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ବା‌ୟୋଟେକ୍ନୋଲୋଜି କ୍ଷେତ୍ର ଉପରେ ଆଲୋକପାତ କରି ସେ କହିଥିଲେ ଯେ ଏହି କ୍ଷେତ୍ରର ବିକାଶ ପାଇଁ ୧୧୧୩ ‌କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଅବସରରେ ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ର ସଭାପତି ଡ. ପ୍ରବୋଧ ମହାନ୍ତି, ଏଫ୍ ଏମ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ, ଭେକ୍ଟର ବାୟୋମେଡ୍‌ର କଣ୍ଟ୍ରି ମ୍ୟାନେଜର ଡ. ଇନ୍ଦ୍ରନୀଲ ଘୋଷ, ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ଡ. ଦେବାଶିଷ ଦାଶ, ବାୟୋକନ ବାୟୋଲଜିକ୍ସର ଗ୍ଲୋବାଲ୍ ହେଡ୍‌ ଚେଲା ପାଣ୍ଡିଆନ ପିଚାଇ ଓ ଅଭିକ ବିଶ୍ବାସ ଉପସ୍ଥିତ ଥିଲେ।