ନୂଆଦିଲ୍ଲୀ: ସୁନା ଦର ଆକାଶଛୁଆଁ ସ୍ତରକୁ ବୃଦ୍ଧି ପାଇବା ପରେ ଏହାର ବ୍ୟାପକ ଚୋରା ଚାଲାଣ ହେଉଛି। ଦେଶର ବିଭିନ୍ନ ବିମାନବନ୍ଦରରେ ଚାଲାଣ ହୋଇ ଆସିଥିବା ସୁନାକୁ ସୀମା ଶୁଳ୍କ ଓ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ଅଧିକାରୀମାନେ ଧରୁଛନ୍ତି। ଗତ କିଛି ଦିନ ଭିତରେ ଏଭଳି ମାମଲା ସଂଖ୍ୟା ବହୁତ ବଢ଼ିଛି। ଗତବର୍ଷ କେନ୍ଦ୍ର ସରକାର ସୁନାର ସୀମା ଶୁଳ୍କକୁ ୧୫ ପ୍ରତିଶତରୁ ୬ ପ୍ରତିଶତକୁ ହ୍ରାସ କରିବା ପରେ ଚୋରା ଚାଲାଣ ହ୍ରାସ ପାଇଥିଲା। କିନ୍ତୁ ଦର ବଢ଼ିବା ପରେ ସେହି ଧାରା ପୁଣି ଥରେ ଆରମ୍ଭ ହୋଇଯାଇଛି।
ବୁଲିଅନ ଡିଲରମାନଙ୍କ ମତରେ ଉତ୍ସବ ଋତୁ ପାଇଁ ସୁନାର ଚାହିଦା ବେଶ୍ ବଢ଼ିଯାଇଛି। ଚାହିଦା ମୁତାବକ ସୁନା କିନ୍ତୁ ଯୋଗାଇ ହେଉନାହିଁ। ଏଭଳି ସ୍ଥିତିରେ ଭାରତକୁ ସୁନା ଆଣି ତାହାକୁ ନଗଦରେ ପରିଣତ କରିବା ଲାଗି ବହୁ ସମୟ ଲାଗିବ। କିନ୍ତୁ ଚୋରା ଚାଲାଣକାରୀମାନେ ଅଳ୍ପ ସମୟରେ ସେହି କାମ କରିଦେଉଛନ୍ତି। ଚଳିତ ମାସରେ ଧନତେରସ୍ ଓ ଦୀପାବଳି ଉତ୍ସବ ପଡ଼ୁଛି। ଏହି ସମୟରେ ଦେଶବ୍ୟାପୀ ଲୋକମାନେ ସୁନା କିଣିଥାନ୍ତି। ବର୍ତ୍ତମାନ ସମୟରେ ୧୦ ଗ୍ରାମ ସୁନାର ଦାମ ୧,୨୮,୩୯୫ ଟଙ୍କା ରହିଛି। ୨୦୨୫ରେ ଦାମ ୬୭ ପ୍ରତିଶତ ବଢ଼ିଛି। ଚୋରା ଚାଲାଣ ହୋଇ ଆସୁଥିବା ସୁନା କିନ୍ତୁ ୧ ଲକ୍ଷ ୧୫ ହଜାର ଟଙ୍କାରେ ମିଳିଯାଉଛି। ଏହା ଉପରେ ୬ ପ୍ରତିଶତ ଆମଦାନୀ ଶୁଳ୍କ ଓ ୩ ପ୍ରତିଶତ ସ୍ଥାନୀୟ ବିକ୍ରି କର ଦେବାକୁ ପଡ଼ୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/29/eUIUJYD3nXqMJTBEsydC.jpg)