ସବୁଠୁ ବଡ଼ ଅର୍ଥନୀତି: ଆମେରିକା ପ୍ରଥମ, ଚୀନ୍ ଦ୍ବିତୀୟ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ବଡ଼ ଅର୍ଥନୈତିକ ମହାଶକ୍ତି ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ଏହାର ଅର୍ଥନୀତିର ମୂଲ୍ୟ ହେଉଛି ୨୫.୩ ଲକ୍ଷ କୋଟି ଡଲାର। ବିଶ୍ବ ଅର୍ଥନୀତି ୧୦୦ ଲକ୍ଷ କୋଟି ଡଲାରର ହୋଇଥିବା ବେଳେ ତାହାର ଚାରି ଭାଗରୁ ଏକ ଭାଗ ଆମେରିକା କବ୍‌ଜାରେ ରହିଛି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍ ଯାହାର ଅର୍ଥନୀତିର ଆକାର ହେଉଛି ୧୯.୯ ଲକ୍ଷ କୋଟି ଡଲାର। ତୃତୀୟ ସ୍ଥାନରେ ଥିବା ଜାପାନର ଅର୍ଥନୀତି ପରିମଶର ୪.୯ ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଚତୁର୍ଥରେ ଥିବା ଜର୍ମାନିର ଅର୍ଥନୀତି ଆକାର ହେଉଛି ୪.୩ ଲକ୍ଷ କୋଟି ଡଲାର। ପଞ୍ଚମ ସ୍ଥାନରେ ରହିଛି ବ୍ରିଟେନ୍। ଏହି ଦେଶର ଅର୍ଥନୀତି ଆକାର ହେଉଛି ୩.୪ ଟ୍ରିଲିଅନ୍ ଡଲାର। ଭାରତ ଠାରୁ ଏହା ଗୋଟିଏ ପାହାଚ ଉପରେ ରହିଛି। ଭାରତୀୟ ଅର୍ଥନୀତି ୩.୩ ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଏହା ଷଷ୍ଠ ସ୍ଥାନରେ ରହିଛି। ୧୮୭୧ ପରଠାରୁ ଆମେରିକା ବିଶ୍ବର ସବୁଠୁ ବଡ଼ ଅର୍ଥନୀତି ହୋଇରହିଛି। କିନ୍ତୁ ଚୀନ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ୨୦୩୦ ସୁଦ୍ଧା ଆମେରିକାକୁ ଚୀନ୍ ଅତିକ୍ରମ କରିଯିବ ବୋଲି ଆକଳନ କରାଯାଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଇଏମ୍ଏଫ୍‌ର ଆକଳନ ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ବ ଅର୍ଥନୀତିର ଆକାର ମଧ୍ୟ ୧୦୪ ଲକ୍ଷ କୋଟି ଡଲାର ମାଇଲଖୁଣ୍ଟ ଅତିକ୍ରମ କରିବ। ଏକ ଲକ୍ଷ କୋଟି ହେଉଛି ଏକ ଟ୍ରିଲିଅନ୍‌।

ସମ୍ବନ୍ଧିତ ଖବର