ଭାରତ ପୂର୍ବରୁ ଓହରି ଆସିଛି
ବିଶ୍ବ ଜିଡିପିରେ ଆର୍‌ସିଇପିର ଭାଗ ୩୦%
ସାମିଲ ହୋଇନି ଆମେରିକା

Advertisment

ହାନୋଇ : ଭିଏତନାମ୍‌ର ହାନୋଇଠାରେ ଆଜି ବିଶ୍ବର ସର୍ବବୃହତ୍ ମୁଖ୍ୟ ବାଣିଜ୍ୟ ଅଞ୍ଚଳ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୀନର ନେତୃତ୍ବରେ ସ୍ବାକ୍ଷରିତ ଏହି ରାଜିନାମାର ନାମ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ସିଇପି) ରହିଛି। ଏଥିରେ ଦକ୍ଷିଣ ପୂର୍ବ ଏସିଆର ୧୦ଟି ଦେଶ ସମେତ ଚୀନ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସାମିଲ ହୋଇଛନ୍ତି।

୨୦୧୨ ମସିହାରେ ଏହି ଅଞ୍ଚଳ ଗଠନ ପାଇଁ ପ୍ରଥମେ ପ୍ରସ୍ତାବ ଆସିଥିଲା। କିନ୍ତୁ ଦୀର୍ଘ ୮ ବର୍ଷ ପରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଛି। କରୋନା ମହାମାରୀ ପ୍ରଭାବରୁ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଅର୍ଥନୀତିକୁ ମୁକୁଳାଇବା ପାଇଁ ଏହି ରାଜିନାମାରେ ପହଞ୍ଚିଛନ୍ତି। ତେବେ ଗତବର୍ଷ ଏହି ଚୁକ୍ତିରେ ସାମିଲ ହେବ ନାହିଁ ବୋଲି କହି ଓହରି ଆସିଥିବାବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇନାହିଁ।

୮ ବର୍ଷର କଥାବାର୍ତ୍ତା ପରେ ବର୍ତ୍ତମାନ ପରିସ୍ଥିତିରେ ଆର୍‌ସିଇପି ଚୁକ୍ତି ଅନ୍ଧକାର ମଧ୍ୟରେ ଆଶାର ଆଲୋକ ଆଣିଛି ବୋଲି ଚୀନର ପ୍ରଧାନମନ୍ତ୍ରୀ ଲି କେକ୍ବିଆଙ୍ଗ କହିଛନ୍ତି। ଭର୍ଚୁଆଲ ମୋଡ୍‌ରେ ଏହି ରାଜିନାମା ସ୍ବାକ୍ଷର ହୋଇଛି। ଉକ୍ତ ରାଜିନାମା ଚୀନର ଭୌଗୋଳିକ ଓ ରାଜନୈତିକ ଅଭିଳାଷ ପୂରଣ ପାଇଁ ସୃଷ୍ଟ ବେଲ୍‌ଟ ଆଣ୍ଡ ରୋଡ୍ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବ ବୋଲି ଜଣେ ବାଣିଜ୍ୟ ବିଶେଷଜ୍ଞ ତଥା ନ୍ୟାସନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ବିଜ୍‌ନେସ୍‌ ସ୍କୁଲର ଆଲେକଜାଣ୍ଡାର କାପ୍ରି କହିଛନ୍ତି। କିନ୍ତୁ ରାଜିନାମା ସ୍ବାକ୍ଷର କରିଥିବା ଅଧିକାଂଶ ଦେଶ ଆଶା ରଖିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପ୍ରଭାବିତ ସେମାନଙ୍କ ଅର୍ଥନୀତି ଏହାଦ୍ବାରା ଉପକୃତ ହେବ। ଉକ୍ତ ରାଜିନାମାରେ ବୌଦ୍ଧିକ ସଂପତ୍ତିକୁ ପରିସରଭୁକ୍ତ କରାଯାଇଥିବାବେଳେ ପରିବେଶ ସୁରକ୍ଷା ଏବଂ ଶ୍ରମ ଅଧିକାରକୁ ସାମିଲ କରାଯାଇ ନାହିଁ। ଆମେରିକା ଏହି ରାଜିନାମାରେ ଭାଗ ନେଇ ନଥିଲେ ମଧ୍ୟ ସଦସ୍ୟ ରାଷ୍ଟ୍ର ଗୁଡ଼ିକରେ କାରବାର କରୁଥିବା ଆମେରିକାର ବହୁଦେଶୀୟ କମ୍ପାନି ଗୁଡ଼ିକ ଏହାର ଫାଇଦା ପାଇବେ। ତେବେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଦାୟିତ୍ବ ନେବା ପରେ ଯଦି ଆମେରିକା ଓ ଚୀନ ସଂପର୍କରେ ପରିବର୍ତ୍ତନ ଆସେ ତାହେଲେ ଅନ୍ୟ କିଛି ସମ୍ଭାବନା ସୃଷ୍ଟ ହୋଇପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ବିଶ୍ବ ଜିଡିପିରେ ଆର୍‌ସିଇପିର ଭାଗ ପ୍ରାୟ ୩୦ ପ୍ରତିଶତ।

କାହିଁକି ଓହରି ଯାଇଛି ଭାରତ?
ଏହି ରାଜିନାମାରେ ସ୍ବାକ୍ଷର କଲେ ଚୀନର ଶସ୍ତା ସାମଗ୍ରୀ ଭାରତରେ ବିପୁଳ ପରିମାଣରେ ଗଦା ହେବ ବୋଲି ନୂଆଦିଲ୍ଲୀ ଆଶଙ୍କା ବ୍ୟକ୍ତ କରି ଗତବର୍ଷ ଏଥିରେ ସାମିଲ ହେବ ନାହିଁ ବୋଲି କହି ଓହରି ଆସିଥିଲା। ତେବେ ଉଚିତ ମନେ କରିଲେ ଭାରତ ଆଗାମୀ ଦିନରେ ମଧ୍ୟ ଏହି ମୁକ୍ତ ବାଣିଜ୍ୟ ଅଞ୍ଚଳର ସଦସ୍ୟ ହୋଇପାରିବ। ଏପରିକି ଭାରତକୁ ବାଦ୍ ଦେଲେ ଏହି ଅଞ୍ଚଳ ଅଧୀନରେ ୨୦୦ କୋଟିରୁ ଅଧିକ ଲୋକ ରହିବେ।

ସଦସ୍ୟ ଦେଶ କେଉଁମାନେ?
ଚୀନ, ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ବ୍ରୁନେଇ, ଭିଏତନାମ୍‌, ଲାଓସ୍‌, କାମ୍ବୋଡ଼ିଆ, ଥାଇଲାଣ୍ଡ, ମ୍ୟାନମାର, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଫିଲିପାଇନ୍ସ