ସପିଙ୍ଗ୍ ମଲ୍କୁ ସାଧାରଣତଃ ଆମେରିକାର ଉପଭୋକ୍ତାବାଦର ପ୍ରତୀକ ଭାବେ ବିବେଚନା କରାଯାଏ। ଆମେରିକାରେ ବାସ୍ତବରେ ଲକ୍ଷେରୁ ଅଧିକ ସପିଙ୍ଗ୍ ମଲ୍ ରହିଛି। ମାତ୍ର ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିବ ଯେ ବିଶ୍ବର ବୃହତ୍ତମ ସପିଙ୍ଗ୍ ମଲ୍ଟି ଆମେରିକା ନୁହେଁ, ବରଂ ତାହାର ପ୍ରତିଦ୍ବନ୍ଦ୍ବୀ ଇରାନ୍ରେ ଅଛି। ତେହେରାନ୍ରେ ଅବସ୍ଥିତ ସାତ ମହଲା ବିଶିଷ୍ଟ ‘ଇରାନ୍ ସପିଙ୍ଗ୍ ମଲ୍’ର ଆୟତନ ସାଢ଼େ ତେର ଲକ୍ଷ ବର୍ଗମିଟର ହୋଇଥିବା ବେଳେ ତାହା ୧୬ ଲକ୍ଷ ବର୍ଗମିଟରକୁ ସମ୍ପ୍ରସାରିତ ହେବାକୁ ଯାଉଛି। ୨୦୧୪ ମସିହାରୁ ୧୨୦୦ରୁ ଅଧିକ ଠିକାଦାର ଓ ପ୍ରାୟ ୨୫ ହଜାର ନିର୍ମାଣ ଶ୍ରମିକ ୨୪ ଘଣ୍ଟା କାମ କରି ବିଶ୍ବର ଏହି ବୃହତ୍ତମ ସପିଙ୍ଗ୍ ମଲ୍କୁ ବାସ୍ତବ ରୂପ ଦେଇଛନ୍ତି। ୨୦୧୮ରେ ଏହାର ପ୍ରଥମ ପର୍ଯ୍ୟାୟ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା ଏବଂ ୨୦୧୮ ମେ ପହିଲାରେ ସେଠାରେ ୨.୬୭ ଲକ୍ଷ ବର୍ଗମିଟରର ଜାଗାକୁ ଲିଜ୍ରେ ଦିଆଯାଇଥିବା ବେଳେ ୭୦୮ଟି ଖୁଚୁରା ଦୋକାନ ଖୋଲାଯାଇଥିଲା।
ସେହିବର୍ଷ ଏହି ମଲ୍ରେ ଲଗାତାର ଛଅ ଦିନ ଧରି କଂକ୍ରିଟ ଢାଳି ଗିନିସ୍ ବିଶ୍ବ ରେକର୍ଡ ସୃଷ୍ଟି କରାଯାଇଥିଲା। ଏତେ ସଂଖ୍ୟକ ଦୋକାନ ସାଙ୍ଗକୁ ସେଠାରେ ଅନ୍ୟାନ୍ୟ ବିଳାସମୟ ସେବା ମଧ୍ୟ ଉପଲବ୍ଧ ହେଉଛି ଯାହା ସାଧାରଣ ସପିଙ୍ଗ୍ ମଲ୍ଗୁଡ଼ିକରେ ଦେଖିବାକୁ ମିଳିନଥାଏ। ଏଠାରେ ୧୨ଟି ୨,୦୦୦ ଆସନ ବିଶିଷ୍ଟ ଆଇମାକ୍ସ ପ୍ରେକ୍ଷାଳୟ ସାଙ୍ଗକୁ ଗୋଟିଏ ସଂଗ୍ରହାଳୟ, ଅନେକ କଳାକୃତି ଗ୍ୟାଲେରି ଓ ୪୫ ହଜାର ପୁସ୍ତକ ସମ୍ବଳିତ ଏକ ପାଠାଗାର ରହିଛି। ମନୋରଞ୍ଜନର ବିକଳ୍ପ ଦୃଷ୍ଟିରୁ ଇରାନ୍ ମଲ୍ରେ ଏକ ଚିତ୍ତାକର୍ଷକ ଅବସର ବିନୋଦନ ଉଦ୍ୟାନ, ଛାତ ଉପରେ ଟେନିସ୍ ପଡ଼ିଆ, ଏକ ସମ୍ମିଳନୀ କେନ୍ଦ୍ର, ଗୋଟିଏ ହୋଟେଲ ଓ ଏକାଧିକ ସମ୍ମିଳନୀ କକ୍ଷ ରହିଛି। ଖୁବ୍ ଶୀଘ୍ର ଏଠାରେ ଏକ ପଞ୍ଚତାରକା ହୋଟେଲ ଓ ଅତ୍ୟାଧୁନିକ କ୍ରୀଡ଼ାକେନ୍ଦ୍ର ଖୋଲିବାକୁ ଯାଉଛି। ଇରାନ୍ ମଲ୍ ପରିଦର୍ଶନର ଅନ୍ୟତମ ଆକର୍ଷଣ ହେଉଛି ତାହାର ଆଇନା ଭବନ, ଯେଉଁଥିରେ ୩୮ ନିୟୁତରୁ ଅଧିକ ଦର୍ପଣ ରହିଛି ଯାହାକୁ ଇରାନ୍ର ଦକ୍ଷ କାରିଗରମାନେ ପ୍ରସ୍ତୁତ କରିଛନ୍ତି।