ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ବଜାରକୁ ଡଲାର ଅଧିକ ମାତ୍ରାରେ ଛାଡ଼ୁଛି। ଏଥିପାଇଁ ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଲଗାତାର ୩ ସପ୍ତାହ ହେଲା ଏହା କମୁଛି। ଅଗଷ୍ଟ ୧୯ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାରରେ ୬.୬୮୭ ବିଲିଅନ ଡଲାର ହ୍ରାସ ଘଟି ୫୬୪.୦୫୩ ବିଲିଅନ ଡଲାରରେ ରହିଛି। ଚଳିତବର୍ଷ ଜୁଲାଇ ମଧ୍ୟଭାଗରୁ କୌଣସି ସପ୍ତାହରେ ଏତେମାତ୍ରାରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଦେଖାଦେଇ ନଥିଲା। ଜୁଲାଇ ମାସର ଶେଷ ସପ୍ତାହକୁ ବାଦଦେଲେ ସେହିମାସଠାରୁ ପ୍ରତି ସପ୍ତାହରେ ଏହା ହ୍ରାସ ପାଉଛି। ରୁଷ-ୟୁକ୍ରେନ ଯୁଦ୍ଧ ହେବାଠାରୁ ୨୬ ସପ୍ତାହ ମଧ୍ୟ‌ରୁ ୨୦ଟି ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସ ଘଟିଛି। ଗତବର୍ଷ ବିଦେଶୀ ମୁଦ୍ରାଭଣ୍ଡାର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ‌ତା ପରଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ପାଖାପାଖି ୮୦ ବିଲିଅନ ଡଲାର ଏବଂ ରୁଷ-ୟୁକ୍ରେନ ଯୁଦ୍ଧଠାରୁ ୬୭ ବିଲିଅନ ଡଲାରରୁ ଅଧିକ ହ୍ରାସ ଘଟିଛି। ଅଳ୍ପ ସମୟ ପାଇଁ ଭାରତରେ ୧ ଡଲାର ମୂଲ୍ୟ ୮୦ ଟଙ୍କା ଉପରକୁ ଯାଇଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ମୁଦ୍ରା ବଜାରରେ ନିୟମିତ ହସ୍ତକ୍ଷେପ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।