ବ୍ୟାଙ୍କରେ କେଓ୍ବାଇସି ଅପଡେଟ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ କେଓ୍ବାଇସି (ନୋ ୟୋର କଷ୍ଟମର ବା ଗ୍ରାହକଙ୍କ ପରିଚୟ ଓ ଠିକଣା ପ୍ରମାଣକରୁଥିବା କାଗଜପତ୍ର) ଅପଡେଟ କରିବାର ଶେଷ ତାରିଖକୁ ପୁଣି ବଢାଇଦେଇଛନ୍ତି । ଏହା କରିବାର ଶେଷ ତାରିଖ ଡିସେମ୍ବର ୩୧ ଥିବାବେଳେ, ଏବେ ତାହାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହାର ଅର୍ଥ ହେଉଛି ଯ଼େଉଁ ଗ୍ରାହକମାନେ କେଓ୍ବାଇସି ଅପଡେଟ୍ କରିନାହାନ୍ତି, ସେମାନେ ୩୧ ମାର୍ଚ୍ଚ ସୁଦ୍ଧା କେଓ୍ବାଇସି ଅପଡେଟ୍ ନକଲେ ବ୍ୟାଙ୍କମାନେ ସେମାନଙ୍କ ଖାତା ଉପରେ କୌଣସି କଟକଣା ଲଗାଇପାରିବେ ନାହିଁ । ଏହି ସମୟ ସୁଦ୍ଧା ଗ୍ରାହକମାନଙ୍କ ଉପରେ କୌଣସି କଟକଣାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ମେ ମାସରେ ରିଜର୍ଭ ବ୍ୟାଙ୍କ କେଓ୍ବାଇସି ଅପଡେଟ କରିବାର ଶେଷ ତାରିଖକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲେ । ସେତେବେଳେ କରୋନାର ୨ୟ ଲହର ଓ ବିଭିନ୍ନ ରାଜ୍ୟରେ ଲାଗୁ ଲକଡାଉନକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦେଶରେ ଓମିକ୍ରନ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିଚାଲିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୯୬୦ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର