ବିନା ୟୁପିଏସ୍‌ସିରେ ବାବୁ ହେବା ସୁଯୋଗ : ୧୦ ଯୁଗ୍ମ ସଚିବ ପଦ ପାଇଁ ୬୦୦୦ ଆବେଦନ

ନୂଆଦିଲ୍ଲୀ : ୟୁପିଏସ୍‌ସି ପରୀକ୍ଷା ନଦେଇ ଲାଟେରାଲ ଏଣ୍ଟି୍ର ମାଧ୍ୟମରେ ୧୦ଜଣ ଯୁଗ୍ମ ସଚିବଙ୍କୁ ନିଯୁକ୍ତି ଦେବା ଲାଗି ସରକାର କିଛିମାସ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସାଧାରଣତଃ ଏହି ପଦଗୁଡ଼ିକରେ ୟୁପିଏସ୍‌ସି ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଆଇଏଏସ, ଆଇପିଏସ, ଆଇଏଫଏସ୍‌ ଏବଂ ଆଇଆର୍‌ଏସ୍‌ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇ ଆସୁଥିବାବେଳେ ପ୍ରଥମ ଥର ପାଇଁ ଏହି ପଦବି ଗୁଡ଼ିକ ଘରୋଇ କ୍ଷେତ୍ରର ଅଧିକାରୀମାନଙ୍କ ପାଇଁ ଖୋଲାଯାଇଛି। ଏହାଦ୍ୱାରା ଘରୋଇ କ୍ଷେତ୍ରର ପ୍ରତିଭାମାନଙ୍କୁ କମ୍ପାନି ଗୁଡ଼ିକରେ ନିଯୁକ୍ତି ସୁଯୋଗ ମିଳିବ। ଏହି ୧୦ଟି ପଦବି ପାଇଁ ୬୦୭୭ଜଣ ଆବେଦନ କରିଥିବା ଜଣାଯାଇଛି। ରାଜସ୍ୱ, ଆର୍ଥିକ ସେବା, ଅର୍ଥନୈତିକ ବ୍ୟାପାର, କୃଷି, ସଡ଼କ ପରିବହନ ଏବଂ ରାଜପଥ, ଜାହାଜ ଚଳାଚଳ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ, ଅକ୍ଷୟ ଶକ୍ତି, ବେସାମରିକ ବିମାନ ଚଳାଚଳ ଏବଂ ବାଣିଜ୍ୟ ବିଭାଗ ଆଦିର ଯୁଗ୍ମ ସଚିବ ପଦରେ ଏହି ଆବେଦନକାରୀଙ୍କୁ ନିଯୁକ୍ତି ଦିଆଯିବ। ଜୁଲାଇ ୩୦ ତାରିଖ ସୁଦ୍ଧା ଏହି ପଦବି ପାଇଁ ଆବେଦନର ଶେଷ ତାରିଖ ରଖାଯାଇଥିଲା। ଏହି ୧୦ଟି ପଦବି ମଧ୍ୟରୁ ଗୋଟିଏ ଗୋଟିଏ ପଦବି ପାଇଁ ସର୍ବାଧିକ ୧୧୦୦ ଏବଂ ସର୍ବନିମ୍ନ ୨୯୦ ଆବେଦନ ମିଳିଛି। ଏହି ପଦବି ଗୁଡ଼ିକ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କର ଚୟନ ପ୍ରକ୍ରିୟା ସରକାର ଆରମ୍ଭ କରିଦେଇଛନ୍ତି।

ସମ୍ବନ୍ଧିତ ଖବର