ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ପ୍ରସ୍ତାବିତ ପାରାଦୀପ ଇସ୍ପାତ ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ତ୍ବରାନ୍ବିତ ହେବ। କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ୨୦୩୦ ସୁଦ୍ଧା ଏହାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୫୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ବଢ଼ାଇବାକୁ ମହତ୍ବକାଂକ୍ଷୀ ଲକ୍ଷ୍ୟ ରଖିଛି। ଏହାର ଭୂଷଣ ପାୱାର ଆଣ୍ଡ୍‌ ଷ୍ଟିଲ୍‌ ଅଧିଗ୍ରହଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଘୋଷଣା କରିବା ପରେ କମ୍ପାନିର ଏହି ଲକ୍ଷ୍ୟ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ନିର୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ କମ୍ପାନି ଲାଗି ପାରାଦୀପ ପ୍ରକଳ୍ପ ଏବେ ଏକ ଆବଶ୍ୟକତାରେ ପରିଣତ ହୋଇଛି।

Advertisment

କମ୍ପାନିର ଯୁଗ୍ମ ପରିଚାଳନା ନିର୍ଦେଶକ ଓ ସିଇଓ ଜୟନ୍ତ ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ ପ୍ରଥମେ କମ୍ପାନି ସୁପ୍ରିମକୋର୍ଟର ରିଭ୍ୟୁ ପିଟିସନ୍‌ ଉପରେ ନଜର ରଖିବ। ଯଦି କୌଣସି କାରଣରୁ ତାହା କମ୍ପାନି ସପକ୍ଷରେ ଯିବାନହିଁ, ତେବେ ଏହା କ୍ଷମତା ସମ୍ପ୍ରସାରଣ କରିବା ଲାଗି ଅନ୍ୟ ଯୋଜନା ଉପରେ ବିଚାର କରିବ। ‌ସେଥିରୁ ଗୋଟିଏ ହେଉଛି ପାରାଦୀପର ନୂଆ ଇସ୍ପାତ ପ୍ରକଳ୍ପ। କମ୍ପାନିର ଲୁହାପଥର ଖଣିଠାରୁ ପାରାଦୀପର ପେଲେଟ୍‌ ପ୍ଲାଣ୍ଟ ପ୍ରକଳ୍ପ ପର୍ଯ୍ୟନ୍ତ ଏକ ସ୍ଲରି ପାଇପ୍‌ଲାଇନ୍ ନିର୍ମାଣ କରିବା କାର୍ଯ୍ୟ ଚାଲଛି। ପ୍ରଥମ ପର୍ଯ୍ୟାୟରେ କମ୍ପାନି ପାରାଦୀପରେ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବ। ସେହି କାରଖାନାକୁ କମ୍ପାନିର ପେଲେଟ୍‌ ପ୍ଲାଣ୍ଟ ନିକଟରେ ସ୍ଥାପନ କରାଯିବ। 

ଗତ ଫେବ୍ରୁଆରିରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ପାରାଦୀପରେ ଏକ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବା, ଏକ ସିମେଣ୍ଟ କାରଖାନା, ନିଜସ୍ବ ପାୱାର ପ୍ଲାଣ୍ଟ୍‌ ଓ ପଣ୍ୟ ପରିବହନ ବ୍ୟବସ୍ଥା କରିବାରେ ୬୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରାଯାଇଥିଲା। ଇଡ୍‌କୋ ପକ୍ଷରୁ ୨୯୫୮ ଏକର ଜମି ହସ୍ତାନ୍ତର କରାଯିବା ପରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ପକ୍ଷରୁ ଇସ୍ପାତ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡ଼ିଶାରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ଦୁଇଟି ନିଜସ୍ବ ଓ ଗୋଟିଏ ମର୍ଚାଣ୍ଟ ଲୁହାପଥର ଖଣି ରହିଛି। ନିକଟରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ପକ୍ଷରୁ ସାଫ୍ରନ୍ ରିସୋର୍ସେସ୍‌କୁ ୬୭୯ କୋଟି ଟଙ୍କାରେ ଅଧିଗ୍ରହଣ କରାଯାଇଥିଲା। ସେହି କମ୍ପାନି ପାଖରେ ୮୮୭ ଏକର ଜମି ରହିଛି। ଏହି ଅଧଗ୍ରହଣ ଜେଏସ୍‌ଡବ୍ଲ୍ୟୁକୁ ଓଡ଼ିଶାରେ ନିଜ ଉପସ୍ଥିତିକୁ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।