ମୁମ୍ବାଇ: ରତନ ଟାଟାଙ୍କ ପରଲୋକ ପରେ ଟାଟା ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି ତାଙ୍କ ସାବତ ଭାଇ ନୋଏଲ ଏନ୍‌ ଟାଟା। ୬୭ ବର୍ଷୀୟ ନୋଏଲ ହେଉଛନ୍ତି ନଭଲ ଏଚ୍‌ ଟାଟା ଏବଂ ସିମୋନ ଏନ୍‌ ଟାଟାଙ୍କ ପୁଅ। ଟାଟା ଟ୍ରଷ୍ଟ ହେଉଛି ଦେଶର ଏକ ବଡ଼ ଦାତବ୍ୟ ପ୍ରତିଷ୍ଠାନ। ୧୬୫ ବିଲିଅନ ଡଲାର ବିଶିଷ୍ଟ ଟାଟା ଗ୍ରୁପ୍‌ର ସଂଖ୍ୟାଗରିଷ୍ଠ ମାଲିକ ହେଉଛି ଏହି ଟ୍ରଷ୍ଟ। ରତନ ଟାଟା ତାଙ୍କ ଜୀବଦଶାରେ ଉତ୍ତରାଧିକାରୀ ଚୟନ କରି ନଥିବାରୁ ନୂଆ ଅଧ୍ୟକ୍ଷଙ୍କୁ ଟ୍ରଷ୍ଟର ବୋର୍ଡ ନିଯୁକ୍ତି ଦେବ। ଏହି ଟ୍ରଷ୍ଟରେ ଦୁଇଟି ମୂଳ ସଂସ୍ଥା ହେଉଛି ସାର୍‌ ଦୋରାବ୍‌ଜୀ ଟ୍ରଷ୍ଟ ଏବଂ ସାର୍‌ ରତନ ଟାଟା ଟ୍ରଷ୍ଟ। ଟାଟା ସନ୍ସରେ ଏହି ଦୁଇଟି ସଂସ୍ଥାର ପ୍ରାୟ ୫୨ ପ୍ରତିଶତ ଅଂଶଧନ ରହିଛି। ନୋଏଲ ନିଯୁକ୍ତ ହେଲେ ପାର୍ସି ସମୁଦାୟ ଖୁସି ହେବେ ଏବଂ ଏଥିସହିତ ଦାତବ୍ୟ ଅନୁଷ୍ଠାନକୁ ପ୍ରତିଷ୍ଠାତାଙ୍କ ପରିବାର ମଧ୍ୟରୁ କିଏ ଜଣେ ହେଲେ ଚଳାଇବେ। 

Advertisment

ନୋଏଲ ଗତ ୪ ଦଶନ୍ଧି ହେଲା ଟାଟା ଗ୍ରୁପ୍‌ ସହିତ ଜଡ଼ିତ ଅଛନ୍ତି। ସଂପ୍ରତି ସେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳୁଛନ୍ତି। ଏଥିସହିତ ସେ ଏକାଧିକ ଟାଟା ଗ୍ରୁପ କମ୍ପାନି ଯଥା ଟ୍ରେଣ୍ଟ୍‌, ଭୋଲଟାସ୍‌, ଟାଟା ଇନଭେଷ୍ଟମେଣ୍ଟ୍‌ କର୍ପୋରେସନର ଅଧ୍ୟକ୍ଷ ପଦରେ ଅଛନ୍ତି। ଟାଟା ଷ୍ଟିଲ ଏବଂ ଟାଇଟାନ କମ୍ପାନି ଲିମିଟେଡର ଉପାଧ୍ୟକ୍ଷ ରହିଛନ୍ତି। ସେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡର ଏମ୍‌ଡି ଭାବେ କାର୍ଯ୍ୟ କରି ଏହାକୁ ବହୁ ଉପରକୁ ନେଇଛନ୍ତି। ଏହା ପୂର୍ବରୁ ନୋଏଲ ଟ୍ରେଣ୍ଟ୍‌ ଲିମିଟେଡର ଏମ୍‌ଡି ରହିଥିଲେ। କମ୍ପାନିର ସଂପ୍ରସାରଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୯୮ରେ ଏହାର ଗୋଟିଏ ଷ୍ଟୋର୍‌ ଥିବାବେଳେ ଏବେ ଏହା ୭୦୦ରେ ପହଞ୍ଚିଛି। ସାଧାରଣତଃ ପାର୍ସିମାନେ ହିଁ କେବଳ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଅବଶ୍ୟ କେତେକଙ୍କ ସାଙ୍ଗିଆ ଟାଟା ନଥିଲା କିମ୍ବା ଟାଟା ପରିବାର ସହିତ କୌଣସି ପ୍ରତ୍ୟକ୍ଷ ସଂପର୍କ ବି ନଥିଲା।

ଯଦି ନୋଏଲ ଏଥିପାଇଁ ଚୟନ ହୁଅନ୍ତି ତାହେଲେ ସାର୍‌ ‌ଦୋରାବ୍‌ଜୀ ଟାଟା ଟ୍ରଷ୍ଟର ଏକାଦଶ ଏବଂ ସାର୍‌ ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ୟକ୍ଷ ହେବେ। ରତନ ଅବସର ନେବା ପରେ ନୋଏଲ ଟାଟା ସନ୍ସର ଅଧ୍ୟକ୍ଷ ହେବେ ବୋଲି ଯଦିଓ ଚର୍ଚ୍ଚା ହୋଇଥିଲା କିନ୍ତୁ ଏହି ପଦ ସାଇରସ୍‌ ମିସ୍ତ୍ରିଙ୍କୁ ପ୍ରଦାନ କରାଯାଇଥିଲା। ଯଦିଓ ରତନ ଏବଂ ନୋଏଲ ପରସ୍ପରଠାରୁ ଦୂରରେ ରୁହନ୍ତି ତଥାପି ସେମାନଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ନିକଟରେ ହ୍ରାସ ପାଇଥିବା କୁହାଯାଉଛି। ନୋଏଲ ବ୍ରିଟେନର ସସେକ୍ସ ବିଶ୍ବବିଦ୍ୟାଳୟର ସ୍ନାତକ ଡିଗ୍ରି ସହିତ ଆଇଏନଏସଇଏଡିରୁ ଇଣ୍ଟରନ୍ୟାସନାଲ ଏକ୍‌ଜିକ୍ୟୁଟିଭ ପ୍ରୋଗ୍ରାମ କରିଛନ୍ତି।