୪୭% ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ ମିଳୁଛି ନିଯୁକ୍ତି

୫ବର୍ଷ ମଧ୍ୟରେ ସର୍ବନିମ୍ନ

ନୂଆଦିଲ୍ଲୀ : ୧୯୯୧ ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ଆରମ୍ଭ ହେବା ପରେ ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବ୍ୟାପକ ହେବାରେ ଲାଗିଥିଲା। ଏଥିଯୋଗୁଁ ନିଯୁକ୍ତି ବଜାରରେ ଏମ୍‌ବିଏ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଚାହିଦା ବଢ଼ି ଯାଇଥିଲା। କମ୍ପାନି ଗୁଡ଼ିକ ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ମୋଟାଅଙ୍କର ଦରମା ଦେଇ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ନିଯୁକ୍ତି ଦେଉଥିଲେ। ଫଳରେ ମ୍ୟାନେଜମେଣ୍ଟ ଶିକ୍ଷାର ଚାହିଦା ଯଥେଷ୍ଟ ବଢ଼ିଯାଇଥିଲା। କିନ୍ତୁ ଦୁଇ ଦଶନ୍ଧି ପରେ ଏହି ପାଠ ଏହାର ମର୍ଯ୍ୟାଦା ହରାଇବା ଆରମ୍ଭ କରିଛି।

ଏଆଇସିଟିଇ ତଥ୍ୟରୁ ଜଣାଯାଇଛି ଯେ, ୨୦୧୬-୧୭ରେ ପଚାଶ ପ୍ରତିଶତରୁ ଅଧିକ ଏମ୍‌ବିଏ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ନିଯୁକ୍ତି ମିଳିନାହିଁ। କେବଳ ୪୭ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇବାକୁ ସକ୍ଷମ ହୋଇଛନ୍ତି। ୨୦୧୫-୧୬ ତୁଳନାରେ ୨୦୧୬-୧୭ରେ ୪ ପ୍ରତିଶତ କମ୍‌ ଛାତ୍ରଛାତ୍ରୀ କ୍ୟାମ୍ପସ ନିଯୁକ୍ତି ପାଇଛନ୍ତି। କେବଳ ସେତିକି ନୁହେଁ, ଗତ ପାଞ୍ଚବର୍ଷ ମଧ୍ୟରେ ଏହି ନିଯୁକ୍ତି ସବୁଠୁ କମ୍‌ ବୋଲି ଜଣାଯାଇଛି। ଏପରିକି ମ୍ୟାନେଜମେଣ୍ଟରେ ପିଜି ଡିପ୍ଲୋମାଧାରୀଙ୍କ ଅବସ୍ଥା ଆହୁରି ଖରାପ। ଏକ୍ଷେତ୍ରରେ କ୍ୟାମ୍ପସ ନିଯୁକ୍ତି ୧୨ ପ୍ରତିଶତ ହ୍ରାସ ଘଟିଛି। ଆଇଆଇଏମ୍‌ରୁ ମ୍ୟାନେଜମେଣ୍ଟ ଡିଗ୍ରି ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଏଥିରେ ହିସାବକୁ ନିଆଯାଇ ନାହିଁ। କାରଣ ଆଇଆଇଏମ୍‌ଗୁଡ଼ିକ ଏଆଇସିଟିଇ ଅନୁବନ୍ଧିତ ସଂସ୍ଥା ନୁହଁନ୍ତି। ଭାରତରେ ଏମ୍‌ବିଏ ଡିଗ୍ରିଧାରୀଙ୍କ ସଂଖ୍ୟା ଚାହିଦା ତୁଳନାରେ ଯଥେଷ୍ଟ ବଢ଼ିଯାଇଛି। ଦେଶରେ ପ୍ରାୟ ୫୦୦୦ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ରହିଛି। ଏଗୁଡ଼ିକରୁ ୨୦୧୬-୧୭ରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର