ନୂଆଦିଲ୍ଲୀ : ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ଆଣିବା ଲାଗି ସରକାରୀ ଜୀବନ ବୀମା କଂପାନି ଏଲ୍ଆଇସି ପକ୍ଷରୁ ଆଜି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଆବେଦନ କରାଯାଇଛି। ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଦିପମ୍) ସଚିବ ତୁହିନକାନ୍ତ ପାଣ୍ଡେ ଏହି ସୂଚନା ଦେଇଛନ୍ତି। କଂପାନିର ୩୧ କୋଟିରୁ ଅଧିକ ଅଂଶଧନ ବିକ୍ରି କରିବା ଲାଗି ଏଲ୍ଆଇସି ଦାଖଲ କରିଥିବା ଦସ୍ତାବିଜ୍ ବା ଚିଠା ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (ଡିଆର୍ଏଚ୍ପି)ରେ ଜଣାଇଛି। ମାର୍ଚ୍ଚ ସୁଦ୍ଧା ଏଲ୍ଆଇସି ଆଇପିଓ ଜାରି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଏଲ୍ଆଇସି ଆଇପିଓର ଏକ ନିର୍ଦିଷ୍ଟ ଅଂଶ ଆଙ୍କର୍ ନିବେଶକମାନଙ୍କ ଲାଗି ସଂରକ୍ଷିତ ରହିବ। ପ୍ରାୟ ୧୦% ସେୟାର ପଲିସିଧାରୀମାନଙ୍କ ଲାଗି ସଂରକ୍ଷିତ ରଖାଯିବ। ଏଲ୍ଆଇସିର ମୂଲ୍ୟାୟନ କରିବା କାର୍ଯ୍ୟ ଆକ୍ଚୁରିଆଲ୍ ସଂସ୍ଥା ମିଲିମାନ୍ ଆଡଭାଇଜର୍ସ ଏଲ୍ଏଲ୍ପି ଇଣ୍ଡିଆକୁ ଦିଆଯାଇଥିଲା। ଡେଲଏଟ୍ ଓ ଏସ୍ବିଆଇ କ୍ୟାପିଟାଲ୍ ପ୍ରି-ଆଇପିଓ କାରବାର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଏଲ୍ଆଇସିର ଆଇପିଓ ଏଭଳି ଏକ ସମୟରେ ଆସୁଛି ଯେତେବେଳେ ଷ୍ଟକ ବଜାରରେ ଅସ୍ଥିରତା ଲାଗି ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ର ନିଫ୍ଟି ନିୟମିତ ହ୍ରାସ ଘଟୁଛି। ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଆମେରିକା ସୁଧ ହାର ବଢ଼ାଇବାର ଆଶଙ୍କା ରହିଥିବାରୁ ନିବେଶକମାନେ ଭୟଭୀତ ରହିଛନ୍ତି।
ଭାରତୀୟ ଜୀବନ ବୀମା ନିଗମର ଜାତୀୟକରଣ ୧୯୫୬ରେ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ସୁଦ୍ଧା ଏହାର ମୋଟ ସଂପତ୍ତି ୪୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୮ଟି ଜୋନାଲ କାର୍ଯ୍ୟାଳୟ, ୧୧୩ଟି ଡିଭିଜନ କାର୍ଯ୍ୟାଳୟ ଏବଂ ୨୦୪୮ଟି ଶାଖା କାର୍ଯ୍ୟାଳୟ ଏହାର ରହିଛି। ଏଥିସହିତ ଉକ୍ତ ସଂସ୍ଥା ଅଧୀନରେ ପ୍ରାୟ ୧୩.୫ ଲକ୍ଷ ଏଜେଣ୍ଟ କାମ କରୁଛନ୍ତି। ୨୯ ଲକ୍ଷରୁ ଅଧିକ ପଲିସିଧାରୀ ଏଲଆଇସିର ଅଛନ୍ତି। ନୂଆ ବ୍ୟବସାୟ ପ୍ରିମିୟମ କ୍ଷେତ୍ରରେ ଏଲ୍ଆଇସିର ବଜାର ଅଂଶ ୬୬ ପ୍ରତିଶତ ରହିଛି।