ଏଲ୍‌ଆଇସିରେ ୨୦% ଏଫ୍‌ଡିଆଇକୁ ଅନୁମତି

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷୀତ ଏଲଆଇସି ଆଇପିଓରେ ବିଦେଶୀ ନିବେଶକମାନେ ଯେଭଳି ବହୁସଂଖ୍ୟାରେ ଭାବ ନେଇପାରିବେ ସେଥିପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଅଟୋମେଟିକ୍‌ ରୁଟ୍‌ରେ ଏଲଆଇସିରେ ୨୦ ପ୍ରତିଶତ ଏଫଡିଆଇ ବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ କ୍ୟାବିନେଟ ମଞ୍ଜୁରି ଦେଇଛି। ସରକାରୀ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାଯାଇଛି।

ଅଧିକାରୀମାନଙ୍କ ସୂଚନା ଅନୁଯାୟୀ ଏଫଡିଆଇ ନୀତିରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ସାମିଲ କରାଯାଇଛି, ଯାହାଫଳରେ ବିଦେଶୀ ନିବେଶକମାନେ ଅଟୋମେଟିକ୍‌ ରୁଟ୍‌ରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ନିବେଶ କରିପାରିବେ।
ଏଫଡିଆଇ ନୀତି ଅନୁଯାୟୀ, ସରକାରୀ ଅନୁମୋଦନ ମାଧ୍ୟମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୨୦ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ରହିଛି। ତେଣୁ ଏଲଆଇସି ଓ ଏପ୍ରକାରର ଅନ୍ୟ କର୍ପୋରେଟ୍ ସଂସ୍ଥାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ସୁଯୋଗକୁ ଅନୁମତି ଦିଆଯାଇଛି।

ସରକାର ପାଣ୍ଠି ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଆଇପିଓ ଆଣିବା ଯୋଜନା ରଖିଥିବାରୁ ଅଟୋମେଟିକ ରୁଟ୍‌ରେ ୨୦ ପ୍ରତିଶତ ଏଫଡିଆଇକୁ ସବୁଜ ସଂକେତ ଦିଆଯାଇଛି। ଚଳିତମାସ ୧୩ ତାରିଖରେ ଏଲଆଇସି ପକ୍ଷରୁ ପୁଞ୍ଜି ବଜାର ନିୟାମକ ସେବି ନିକଟରେ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଏଲଆଇସିର ୫ ପ୍ରତିଶତ ଅଂଶଧନ ଆଇପିଓ ମାଧ୍ୟମରେ ବିକ୍ରି କରି ସରକାର ୬୩ ହଜାର କୋଟି ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି। ଏଲଆଇସିର କର୍ମଚାରୀ ଓ ପଲିସିଧାରୀମାନଙ୍କୁ ସେୟାର କିଣିବା ଲାଗି ମୂଲ୍ୟରେ ରିହାତି ଦିଆଯିବ।

ସମ୍ବନ୍ଧିତ ଖବର