ଉତ୍ପାଦ ରଣନୀତି ବଦଳାଇବାକୁ ଏଲ୍‌ଆଇସିକୁ ତାଗିଦ

ନୂଆଦିଲ୍ଲୀ: ଷ୍ଟକ ବଜାର ନିବେଶକମାନଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ଲାଗି ନିଜ ଉତ୍ପାଦ ରଣନୀତି ବଦଳାଇବା ଲାଗି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)କୁ ସରକାର କହିଛନ୍ତି। ଚଳିତ ବର୍ଷ ମେ’ ୧୭ରେ ଏଲ୍‌ଆଇସି ଷ୍ଟକ ବଜାରରେ ପ୍ରବେଶ କରିଥିଲା। ‌ସେହି ସମୟରେ କଂପାନିର ସେୟାର ମୂଲ୍ୟ ୯୪୯ ଟଙ୍କା ଥିଲା। ବର୍ତ୍ତମାନ ସେହି ମୂଲ୍ୟ ୫୯୫ ଟଙ୍କା ୫୦ ପଇସା ଭଳି ନିମ୍ନ ସ୍ତରରେ ରହିଛି। ନିବେଶକମାନଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିବା ଲାଗି ନନ୍-ପାର୍ଟିସିପେଟିଂ ଓ ଟର୍ମ ପ୍ଲାନ୍ ଉପରେ ଅଧିକ ଗୁରୁତ୍ବ ଦେବାକୁ ଏଲ୍‌ଆଇସିକୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କଂପାନି ପ୍ରଦର୍ଶନର ସମୀକ୍ଷା କରିବା ବେଳେ ମନ୍ତ୍ରାଳୟ ଅଧିକାରୀ ଏହା କହିଛନ୍ତି। ଷ୍ଟକ ବଜାରରେ ପ୍ରବେଶ କରାଇ ୬୫ ବର୍ଷ ପୁରୁଣା ସଂସ୍ଥା ଏଲ୍‌ଆଇସିର ଆଧୁନିକୀକରଣ ଆରମ୍ଭ ‌କରାଯାଇଛି। ଏବେ କଂପାନିର ଉତ୍ପାଦ ଏବଂ ପଲିସିଧାରକଙ୍କୁ ପ୍ରଦାନ କରାଯାଉଥିବା ଲାଭାଂଶର ଆଧୁନିକରଣ କରିବାକୁ ସରକାର ଚାହୁଛନ୍ତି। ନନ୍-ପାର୍ଟିସିପେଟିଂ ପଲିସିରେ ପଲିସିଧାରକମାନଙ୍କ ସହ ଲାଭ ବାଣ୍ଟିବା ଦରକାର ନାହିଁ। କିନ୍ତୁ ପାର୍ଟିସିପେଟିଂ ପଲିସିରେ ପଲିସିଧାରକଙ୍କୁ ଲାଭର ଭାଗ ଦେବାକୁ ପଡ଼ୁଛି। ବର୍ତ୍ତମାନ ସମୟର ଯୁବପିଢ଼ି ଟର୍ମ ପ୍ଲାନ୍ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ଏହି ଦୁଇ ବିଷୟ ବିଚାରକୁ ନେବା ଲାଗି ମନ୍ତ୍ରାଳୟର ଅଧିକାରୀ ଏଲ୍‌ଆଇସି କର୍ତ୍ତୃପକ୍ଷଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର