ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନ କିଣିଲା ଏଲଆଇସି

ମୁମ୍ବାଇ : ବଢିଚାଲିଥିବା  ଏନପିଏ ଯୋଗୁଁ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ  ବ୍ୟାଙ୍କ  ଆଇଡ଼ିବିଆଇ ବ୍ୟାଙ୍କର ୫୧ % ଅଂଶଧନ ଏଲଆଇସି ଅଧିଗ୍ରହଣ କରିଛି  । ଫଳରେ ବ୍ୟାଙ୍କର ବୃହତ ଅଂଶୀଦାର ଭାବେ ଏଲଆଇସି ଏଣିକି ବିବେଚିତ ହେବ । ଏହି ଅଧିଗ୍ରହଣ ପାଇଁ ୨୦୧୮ ମସିହା ଜୁନ ମାସରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  ଏହି ଅଧିଗ୍ରହଣ ଫଳରେ ଉଭୟ ସଂସ୍ଥାର ଅଂଶୀଦାର, ଗ୍ରାହକ ଓ କର୍ମଚାରୀ ଉପକୃତ ହୋଇପାରିବେ । ଅଧିଗ୍ରହଣକୁ ଦେଶର ଏକ ଅନନ୍ୟ ଆର୍ଥିକ ସଂଶ୍ଲେଷଣ ଭାବେ ବିବେଚନା କରାଯାଉଛି । ଏଲଆଇସି ଓ ଆଇଡ଼ିବିଆଇ ହେଉଛି ଦେଶର ୨ ବିଶ୍ୱସନୀୟ ବ୍ରାଣ୍ଡ । ଉଭୟଙ୍କର ଏକତ୍ରୀକରଣ ଫଳରେ ଗ୍ରାହକଙ୍କ ପାଇଁ ବୀମା ଓ ବ୍ୟାଙ୍କ ସେବାକୁ ଅଧିକ ଶକ୍ତିଶାଳୀ କରାଯାଇପାରିବ ।

ଆଇଡ଼ିବିଆଇ ବ୍ୟାଙ୍କର ପ୍ରାୟ ଦେଢ଼ କୋଟି ଖୁଚୁରା ଗ୍ରାହକ ଓ ୧୮୦୦୦ କର୍ମଚାରୀ ଅଛନ୍ତି । ନୂତନ ଅଧିଗ୍ରହଣ ଫଳରେ ଏଲଆଇସି ବ୍ୟାଙ୍କରେ ପୁଂଜିନିବେଶ କରିବ । ଫଳରେ ବ୍ୟାଙ୍କର ଦକ୍ଷତା ବୃଦ୍ଧି ପାଇପାରିବ । ସେହିପରି ବ୍ୟାଙ୍କର ୧୮୦୦ଟି ଶାଖାରେ ଏଲଆଇସି ବୀମା କାର୍ଯ୍ୟ ମଧ୍ୟ କରାଯାଇପାରିବ । ବ୍ୟାଙ୍କର ୯୦୦ଟି ଶାଖାରେ ନେଫ୍ଟ ମାଧ୍ୟମରେ ଦେୟ ପରିଶୋଧ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରହିଛି । ବ୍ୟାଙ୍କ ଏହାର ଅର୍ଥ ପରିଚାଳନା ସୁବିଧା ଏଲଆଇସିକୁ ଅର୍ପଣ କରିବ । ଏହାଦ୍ୱାରା ଚଳନ୍ତି ଆକାଉଣ୍ଟ ପରିମାଣରେ ଉନ୍ନତି ଘଟିପାରିବ ଏବଂ ପାଣ୍ଠି ପରିଚାଳନା ବ୍ୟୟ ହ୍ରାସ ପାଇପାରିବ । ଏହି ଅଧିଗ୍ରହଣ ଦ୍ୱାରା ଏଲଆଇସିର ପ୍ରାୟ୧ ଲକ୍ଷ କର୍ମଚାରୀ ଓ ୧୧ ଲକ୍ଷ ଏଜେଣ୍ଟ ବ୍ୟାଙ୍କ ସହାୟତାରେ ଆସିପାରିବେ । ବ୍ୟାଙ୍କର ଖୁଚୁରା ପରିମାଣ ୨୦୧୫ ଆର୍ଥିକ ବର୍ଷରେ ୩୨% ଥିବାବେଳେ ୨୦୧୮ ମସିହା ବେଳକୁ ତାହା ବୃଦ୍ଧି ପାଇ ୪୬% ହୋଇଛି । ୨୦୨୦ ଆର୍ଥିକ ବର୍ଷ ସୁଦ୍ଧା ଏହା ୫୦% ଛୁଇଁବ ବୋଲି ଆକଳନ କରାଯାଇଛି । ଉଭୟ ମିଳିତ ଭାବେ କାର୍ଯ୍ୟ କରି ଆଗାମୀ ବର୍ଷକ ମଧ୍ୟରେ ସୁଫଳ ଆଣିବାରେ ସମର୍ଥ ହେବେ ।

ସମ୍ବନ୍ଧିତ ଖବର