ଉଦ୍ଧାର କରିବେ ଏଲ୍‌ଆଇସି, ଏସବିଆଇ, ଓରିକ୍ସ

ଆଇଏଲ୍ ଆଣ୍ଡ ଏଫଏସ୍‌ ସଙ୍କଟ

ମୁମ୍ବାଇ: ଭିତ୍ତିଭୂମି ପ୍ରକଳ୍ପକୁ ପାଣ୍ଠି ଯୋଗାଉଥିବା କମ୍ପାନି ଇନଫ୍ରାଷ୍ଟକଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ ( ଆଇଏଲ୍ ଆଣ୍ଡ ଏଫଏସ୍) କମ୍ପାନିକୁ ଏହାର ବଡ଼ ସେୟାରଧାରୀମାନେ ଉଦ୍ଧାର କରିବେ। ଆଇଏଲ ଆଣ୍ଡ ଏଫଏସ ପକ୍ଷରୁ ଚାଲିଥିବା ୪୫୦୦ କୋଟି ଟଙ୍କାର ସେୟାର ବିକ୍ରିରେ ଏହି ୩ଟି ସଂସ୍ଥା ଭାଗନେଇ ବହୁସଂଖ୍ୟାରେ ସେୟାର କିଣିବେ। ଆଜି ଏଠାରେ ଅନୁଷ୍ଠିତ କମ୍ପାନିର ବା‌ର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଯୋଗଦେଇଥିବା ଜଣେ ଅଂଶଧାରକ ନିଜ ନାମ ଗୋପନ ରଖି ଏହି ସୂଚନା ଦେଇଛନ୍ତି। ଆଇଏଲ ଆଣ୍ଡ ଏଫଏସର ରାଇଟ ଇସ୍ୟୁ ବା ସେୟାର ବିକ୍ରି ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧ ସମ୍ପନ୍ନ ହେବ। ଏଥିରୁ ମାତ୍ରାଧିକ ସେୟାର ଏଲଆଇସି, ଏସବିଆଇ ସମେତ ଜାପାନର ଓରିକ୍ସ କିଣିବେ। ଆଇଏଲ ଆଣ୍ଡ ଏଫଏସରେ ଏଲଆଇସିର ସର୍ବାଧିକ ୨୫.୩୪% ଅଂଶଧନ ରହିଛି। ଏହା ପଛକୁ ଜାପାନ କମ୍ପାନି ଓରିକ୍ସର ୨୩.୫୪% ଅଂଶଧନ ରହିଛି। ତେବେ ଏଲଆଇସି ଏବଂ ଏସବିଆଇ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ୩୫୦୦ କୋଟି ଟଙ୍କାର ଋଣ ପ୍ରଦାନ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ବୋଲି ଅଂଶଧନ ଧାରକ ଜଣକ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୨ ତାରିଖରୁ ୨୭ ତାରିଖ ମଧ୍ୟରେ ଆଇଏଲ ଆଣ୍ଡ ଏଫଏସ ୭ଟି ଋଣ ଓ ଅନ୍ୟାନ୍ୟ ଅର୍ଥ ପ୍ରଦାନ କରିବାରେ ବିଫଳ ହୋଇଛି। ଏଥିରେ ୫ଟି ବ୍ୟାଙ୍କ ଋଣ ସମେତ ଦୁଇଟି ଜମା ବାବଦ ଅର୍ଥ ପ୍ରଦାନ ରହିଛି। ଚଳିତବର୍ଷ ମାର୍ଚ ସୁଦ୍ଧା ଆଇଏଲ ଆଣ୍ଡ ଏଫଏସ ଗ୍ରୁପ୍ ଉପରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ବୋଝ ରହିଥିଲା।

ସମ୍ବନ୍ଧିତ ଖବର