ଭୁବନେଶ୍ୱର: ଏଲଆଇସି ପକ୍ଷରୁ ଜାରି ହେବାକୁ ଥିବା ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ)ରେ ଭାଗ ନେବା ଲାଗି ପଲିସିଧାରୀମାନଙ୍କୁ ୨୦୨୨ ଫେବ୍ରୁଆରି ୨୮ ତାରିଖ ପୂର୍ବରୁ ନିଗମରେ ସେମାନଙ୍କ ପଲିସି ରେକର୍ଡ ସହିତ ନିଜ ପାନ ଅପଡେଟ୍ କରିବାକୁ ପଡ଼ିବ ବୋଲି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ପକ୍ଷରୁ କୁହାଯାଇଛି । ପଲିସିଧାରୀମାନେ ଏଜେଣ୍ଟଙ୍କ ଜରିଆରେ କିମ୍ବା ଏଲ୍ଆଇସିର ଓ୍ବେବସାଇଟରେ ସିଧାସଳଖ ପାନ୍ ଅପଡେଟ୍ କରିପାରିବେ ।
ପଲିସିଧାରୀଙ୍କ ପାଇଁ ଆଇପିଓର ୧୦% ସଂରକ୍ଷିତ ରହିଛି । କୌଣସି ପରିସ୍ଥିତିରେ ଯୋଗ୍ୟ ପଲିସିଧାରକଙ୍କ ହାରାହାରି ସଂରକ୍ଷଣ ୧୦% ରୁ ଅଧିକ ହେବ ନାହିଁ । ଭାରତ ସରକାରଙ୍କ ମଂଜୁରି ମିଳିବା ପରେ ଯୋଗ୍ୟ ପଲିସିଧାରୀମାନଙ୍କୁ ସମାନୁପାତିକ ଭିତିରେ ଅଫର୍ ଆବଣ୍ଟନ ଉପଲବ୍ଧ କରାଯିବ । ପଲିସିଧାରୀମାନେ ଅଫର୍ ଅବଧିରେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ ଏବଂ ରିହାତି ପାଇପାରିବେ । ବିଆଇରଏଲଏମ ସହିତ ଆଲୋଚନା କରି ଭାରତ ସରକାର ଓ ଏଲ୍ଆଇସି ପକ୍ଷରୁ ଯୋଗ୍ୟ ପଲିସିଧାରୀଙ୍କୁ ଅଫର୍ ମୂଲ୍ୟ ଉପରେ ରିହାତି ଦେବାକୁ ବ୍ୟବସ୍ଥା ହୋଇଛି । ତେବେ ଏଥିପାଇଁ ମଂଜୁରିର ଆବଶ୍ୟକତା ରହିଛି । ତାହାକୁ ବିଡ୍/ ଅଫର୍ ଖୋଲିବା ତାରିଖର ଦୁଇ ଦିନ ପୂର୍ବରୁ ଘୋଷଣା କରାଯିବ ।
ଏଲ୍ଆଇସି ପକ୍ଷରୁ ୧୦ ଟଙ୍କା ଫେସ୍ ଭାଲ୍ୟୁ ଥିବା ୩୧୬,୨୪୯,୮୮୫ଟି ଇକ୍ୱିଟି ସେୟାର ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ) ଆଣିବାର ପ୍ରସ୍ତାବ ରହିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଅଫର୍ ଫର ସେଲ୍ ମାଧ୍ୟମରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଜରିଆରେ ଏହି ସେୟାର୍ ଗୁଡ଼ିକୁ ଜାରି କରାଯିବ । ଏହି ଅଫର୍ ଭାରତ ସରକାରଙ୍କ ପୁଂଜି ପ୍ରତ୍ୟାହାର ଏଜେଣ୍ଡାରେ ଥିବା ଲକ୍ଷ୍ୟକୁ ପୂରଣ କରିବ ଏବଂ ଷ୍ଟକ୍ ଏକ୍ସଚେଞ୍ଜରେ ଇକ୍ୱିଟି ସେୟାର୍ ପଞ୍ଜିକୃତ ହେବା ଦ୍ୱାରା ଏଲ୍ଆଇସି ଲାଭବାନ ହେବ ।