ମୁମ୍ବାଇ: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ୩୬ ଦିନ କାରବାର ହୋଇଥିଲା। ସେଥିରୁ ୨୧ ଦିନ ସେନ୍ସେକ୍ସରେ ହ୍ରାସ ଘଟିଥିଲା। ତାହାର ପ୍ରଭାବରେ ନିବେଶକମାନଙ୍କ ୩୪ ଲକ୍ଷ କୋଟି ଟଙ୍କା ଡୁବିଛି। ଫଳରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ୫୦୦ ବଡ଼ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩୮୭.୧୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ୫୦୦ଟି କମ୍ପାନି ମଧ୍ୟରୁ ୪୪୭ଟି କମ୍ପାନିର ସେୟାର ମୂଲ୍ୟ ହ୍ରାସ ପାଇଛି। ମାତ୍ର ୫୩ଟି କମ୍ପାନିର ସେୟାର ମୂଲ୍ୟ ଗତବର୍ଷ ଡିସେମ୍ବର ସ୍ତର ତୁଳନାରେ ଅଧିକ ରହିଛି। ଆଇଟିସି ସର୍ବାଧିକ ୯୧ ହଜାର କୋଟି ଟଙ୍କା ହରାଇଛି। ଭାରତୀୟ ଜୀବନ ବୀମା ନିଗମର ବଜାର ପୁଞ୍ଜିରେ ୮୪,୦୫୯ କୋଟି ଟଙ୍କାର ହ୍ରାସ ଘଟିଛି।
ଟ୍ରେଣ୍ଟ ୭୧,୦୭୬ କୋଟି ଟଙ୍କା ହରାଇଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବଜାର ପୁଞ୍ଜିରେ ୬୫,୧୯୪ କୋଟି ଟଙ୍କା ହ୍ରାସ ହୋଇଛି। ଜୋମାଟୋ ୫୯,୮୩୨ କୋଟି ଟଙ୍କା, ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ୫୯,୪୪୯ କୋଟି ଟଙ୍କା, ଏଚ୍ଡିଏଫ୍ସି ବ୍ୟାଙ୍କ ୫୮,୮୩୩ କୋଟି ଟଙ୍କା ଓ ଏଚ୍ସିଏଲ୍ ଟେକ୍ ୫୬,୩୨୨ କୋଟି ଟଙ୍କା ହରାଇଛନ୍ତି। ସିମେନ୍ସର ବଜାର ପୁଞ୍ଜିରେ ୫୫,୨୭୨ କୋଟି ଟଙ୍କା ହ୍ରାସ ଘଟିଥିବା ବେଳେ ଏଲ୍ଆଣ୍ଡ୍ଟି ୫୦,୮୫୨ କୋଟି ଟଙ୍କା ଓ ବରୁଣ ବେଭରେଜେସ୍ ୫୦,୮୧୨ କୋଟି ଟଙ୍କା ହରାଇଛି। ସେନ୍ସେକ୍ସର ହ୍ରାସ ଧାରା ଜାରି ରହିଛି। ବୁଧବାର ତାହା ୨୮ ପଏଣ୍ଟ ହ୍ରାସ ପାଇ ୭୫,୯୩୯ ପଏଣ୍ଟକୁ ଖସିଆସିଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୨ ପଏଣ୍ଟ ହ୍ରାସ ପାଇ ୨୨,୯୩୨ ପଏଣ୍ଟରେ ବନ୍ଦ ହୋଇଛି।