ନୂଆଦିଲ୍ଲୀ : ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ସାମ୍ନାକୁ ଆସିବା ପରେ ଆଦାନୀ ଗ୍ରୁପ୍ର ସେୟାର ମୂଲ୍ୟ ହ୍ରାସ ପାଇଛି। ଦୁଇଟି କାରବାର ଦିବସରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ବଜାରପୁଞ୍ଜି ବହୁମାତ୍ରାରେ ହ୍ରାସ ଘଟିଛି। ଏଥିଯୋଗୁ କେବଳ ସାଧାରଣ ନିବେଶକ କ୍ଷତି ସହିନାହାନ୍ତି, ଏଲ୍ଆଇସି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଳି ବଡ଼ ବଡ଼ ସଂସ୍ଥାଗତ ନିବେଶକ ବା ସରକାରୀ ସଂସ୍ଥା ମଧ୍ୟ ବିପୁଳ ପରିମାଣର ପୁଞ୍ଜି ହରାଇଛନ୍ତି।
ଦେଶର ସବୁଠୁ ବଡ଼ ସଂସ୍ଥାଗତ ନିବେଶକ ଏଲ୍ଆଇସିର ମୋଟ ବଜାରପୁଞ୍ଜି ଆଦାନୀ ଗ୍ରୁପରେ ଜାନୁଆରି ୨୪ ତାରିଖରେ ୮୧,୨୬୮ କୋଟି ଟଙ୍କା ଥିାବବେଳେ ଜାନୁଆରି ୨୭ରେ ଏହା ୬୨,୬୨୧ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍ ଏହି ଦୁଇଟି କାରବାର ଦିବସରେ ଆଦାନୀ ଗ୍ରୁପରେ ଏଲ୍ଆଇସିର ବଜାରପୁଞ୍ଜି ୧୮,୬୪୭ କୋଟି ଟଙ୍କା ହ୍ରାସ ପାଇଛି।
ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରିନ ଏନର୍ଜି, ଆଦାନୀ ପୋର୍ଟସ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ଟ୍ରାନ୍ସମିସନ ଏବଂ ନିକଟରେ ଆଦାନୀ ଅଧିଗ୍ରହଣ କରିଥିବା ଅମ୍ବୁଜା ସିମେଣ୍ଟ ଏବଂ ଏସିସିରେ ଏଲ୍ଆଇସିର ୧ ପ୍ରତିଶତରୁ ଅଧିକ ଅଂଶଧନ ରହିଛି। ଗତ ଦୁଇଟି କାରବାର ଦିବସରେ ଏସବୁ କମ୍ପାନିର ସେୟାର ମୂଲ୍ୟ ୧୯ ପ୍ରତିଶତରୁ ୨୭ ପ୍ରତିଶତ ମଧ୍ୟରେ ହ୍ରାସ ଘଟିଛି।
ଆଦାନୀ ଗ୍ରୁପ୍ ଷ୍ଟକ୍ ଏବଂ ଆକାଉଣ୍ଟିଂ ଜାଲିଆତି କରିଥିବା ଅଭିଯୋଗ ଆମେରିକୀୟ ସଂସ୍ଥା ଆଣିଛି। ତେବେ ଆଦାନୀ ଗ୍ରୁପ ସିଏଫଓ ଜେ ସିଂହ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ଉକ୍ତ ରିପୋର୍ଟ ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ଉକ୍ତ ରିପୋର୍ଟ ଅଣାଯିବାର ସମୟ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଆଦାନୀ ଏଣ୍ଟରପ୍ରାଇଜେସ୍ର ୨୦ ହଜାର କୋଟି ଟଙ୍କାର ଫଲୋ ଅନ୍ ଅଫର ଗତ ୨୭ ତାରିଖରୁ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରିପୋର୍ଟ କମ୍ପାନିକୁ କ୍ଷତି ପହଞ୍ଚାଇଛି। ପ୍ରଥମ ଦିନରେ ବିକ୍ରି ପାଇଁ ରଖାଯାଇଥିବା ସେୟାର ମଧ୍ୟରୁ କେବଳ ୧ ପ୍ରତିଶତ ସେୟାର ଲାଗି ନିବେଶକମାନେ ଆବେଦନ କରିଛନ୍ତି।
ଅର୍ଥମନ୍ତ୍ରୀଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
ଆଦାନୀ ଗ୍ରୁପ୍ର କାରନାମା ସଂପର୍କରେ ଆମେରିକୀୟ ସଂସ୍ଥାର ରିପୋର୍ଟ ଆସିବା ପରେ ଭାରତର ଏଲ୍ଆଇସି ଏବଂ ଷ୍ଟେଟ ବ୍ୟାଙ୍କର ବଜାର ପୁଞ୍ଜି ଦୁଇଦିନରେ ୭୮ ହଜାର କୋଟି ଟଙ୍କାରୁ ଅଧିକ ଧୋଇଯାଇଛି। ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ସହିତ ସେବି, ଇଡି, ଏସଏଫଆଇଓ, ସିବିଆଇ ଆଦି ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିରବ ରହିଥିବାରୁ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି।କଂଗ୍ରେସର ସାଧାରଣ ସଂପାଦକ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଏଲ୍ଆଇସିରେ ଜନସାଧାରଣଙ୍କ ଅର୍ଥ ରହିଛି। ହିଣ୍ଡେନବର୍ଗ ରିପୋର୍ଟ ଆସବା ପରେ ଆଦାନୀ ଗ୍ରୁପରେ ଏଲ୍ଆଇସିର ସେୟାର ମୂଲ୍ୟ ୭୭ ହଜାର କୋଟି ଟଙ୍କାରୁ ୫୩ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି। ଏଥିଯୋଗୁ ୨୩୫୦୦ କୋଟି ଟଙ୍କା କ୍ଷତି ହୋଇଛି। ସେହିଭଳି ଏଲ୍ଆଇସିର ସେୟାର ମୂଲ୍ୟ ମଧ୍ୟ ୨୨୪୪୨ କୋଟି ଟଙ୍କା କମିଛି। ଏହାସତ୍ତ୍ବେ ଆଦାନୀ ଗ୍ରୁପରେ ଏଲ୍ଆଇସି କାହିଁକି ୩୦୦ କୋଟି ଟଙ୍କା ନିବଶେ କରିଛି ସେ ନେଇ ସୂର୍ଯ୍ୟେୱାଲା ପ୍ରଶ୍ନ ଉଠାଇଛନ୍ତି। ଏଥିସହିତ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କଗୁଡ଼ିକ ଆଦାନୀ ଗ୍ରୁପର ୮୧,୨୦୦ କୋଟି ଟଙ୍କା ଋଣ ଦେଇଛନ୍ତି ବୋଲି ସେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/lic.jpg)