ମୁମ୍ବାଇ: ଷ୍ଟକ ବଜାରରେ ପ୍ରବେଶ କରିବା ପରଠାରୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଖରାପ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜାରି କରି ଷ୍ଟକ ବଜାରରେ ତାଲିକାଭୁକ୍ତ ହେବା ପରଠାରୁ କଂପାନିର ସେୟାର ମୂଲ୍ୟରେ ୨୮% ହ୍ରାସ ହୋଇସାରିଲାଣି। ଫଳରେ ଏହି ସଂସ୍ଥାର ସେୟାର କିଣିଥିବା ନିବେଶକମାନେ ୧.୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏଲ୍ଆଇସି ସେୟାରର ପ୍ରଦର୍ଶନ ଏସିଆରେ ସବୁଠୁ ଖରାପ ରହିଛି। ଏସିଆରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା କଂପାନି ତାଲିକାରେ ଏଲ୍ଜି ଏନର୍ଜି ପ୍ରଥମ ସ୍ଥାନରେ ଥିବା ବେଳେ ଏଲ୍ଆଇସି ଦ୍ବିତୀୟ, ଏଏସ୍ଆର୍ ମାଇକ୍ରୋ ତୃତୀୟ, ଏସ୍ଆଇସିସି ଚତୁର୍ଥ ଓ ହୁଆଲାନ୍ ବାୟୋ ପଞ୍ଚମ ସ୍ଥାନରେ ରହିଛି। ଷ୍ଟକ ବଜାରରେ ଏଲ୍ଆଇସି ତାଲିକାଭୁକ୍ତ ହେବା ଦିନ ସେୟାର ପିଛା ଦାମ୍ ୯୪୯ ଟଙ୍କା ଥିଲା। ଆଜି ତାହା ୬୬୯ ଟଙ୍କା ୫୦ ପଇସାକୁ ଖସିଆସିଛି। ମାତ୍ର ୨୦ଟି କାରବାର ଦିନରେ ଏଲ୍ଆଇସି ସେୟାରରେ ଏଭଳି ହ୍ରାସ ଘଟିଛି। ଏହି ୨୦ ଦିନ ମଧ୍ୟରେ ମାତ୍ର ୪ଟି ଦିନ ରହିଥିଲା ଯେଉଁଥିରେ କଂପାନିର ସେୟାର ଦାମ୍ରେ ବୃଦ୍ଧି ହୋଇଥିଲା। ସେୟାର ମୂଲ୍ୟରେ ହ୍ରାସ ଯୋଗୁଁ ବଜାର ପୁଞ୍ଜି ଦୃଷ୍ଟିରୁ କଂପାନି ଷଷ୍ଠ ସ୍ଥାନକୁ ଖସିଯାଇଛି। ତାଲିକାଭୁକ୍ତ ହେବା ଦିନ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜାର ପୁଞ୍ଜି ସହ ଏହା ପଞ୍ଚମ ସ୍ଥାନରେ ଥିଲା। ଆଇପିଓ ଜରିଆରେ ସରକାର ଏଲ୍ଆଇସିର ୩.୫% ଅଂଶଧନ ବିକ୍ରି କରିଥିଲେ ଯେଉଁଥିରୁ ୨୧ ହଜାର କୋଟି ଟଙ୍କା ମିଳିଛି।
ଏଲ୍ଆଇସିର ପ୍ରଦର୍ଶନ ଏସିଆରେ ସବୁଠୁ ଖରାପ
/sambad/media/post_attachments/wp-content/uploads/2022/05/lic-list.jpg)
/sambad/media/agency_attachments/2024-07-24t043029592z-sambad-original.webp)