ଏଲ୍‌ଆଇସିର ପ୍ରିମିୟମରୁ ୨୮୩ କୋଟି ଆୟ

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଭୁବନେଶ୍ବର ମଣ୍ଡଳ ୨୦୧୮-୧୯ ଆର୍ଥିକ ବର୍ଷରେ ୨ ଲକ୍ଷ ୧ ହଜାର ୮୦ଟି ନୂଆ ପଲିସି ବିକ୍ରି କରିଛି। ଏହି ସମୟରେ କଂପାନି ନୂଆ ପ୍ରିମିୟମ ବାବଦକୁ ୨୮୩ କୋଟି ୮୯ ଲକ୍ଷ ଟଙ୍କା ସଂଗ୍ରହ କରିଛି। ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ କଂପାନିର ପଲିସି ବିକ୍ରିରେ ୩% ଓ ପ୍ରିମିୟମ ସଂଗ୍ରହରେ ୨୯% ବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଏଲ୍‌ଆଇସି ପକ୍ଷରୁ ୫୧ କୋଟି ୧୪ ଲକ୍ଷ ଟଙ୍କାର ୩୬୭୪ ମୃତ୍ୟୁଜନିତ ବୀମା ରାଶି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ୧ ଲକ୍ଷ ୪୦ ହଜାର ୭୧୧ଟି ପଲିସି ପାଇଁ ମାଚ୍ୟୁରିଟି ରାଶି ଭାବେ ୫୩୫ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

୨୦୧୯-୨୦ ଆର୍ଥିକ ବର୍ଷର ଏଲ୍‌ଆଇସିର ଭୁବନେଶ୍ବର ମଣ୍ଡଳ ୨ ଲକ୍ଷ ୩୦ ହଜାର ନୂଆ ପଲିସି ବିକିବାକୁ ଯୋଜନା ରଖିଥିବା ବେଳେ ୪୧୦ କୋଟି ଟଙ୍କାର ନୂଆ ପ୍ରିମିୟମ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଗତ ଅଗଷ୍ଟ ୩୧ ସୁଦ୍ଧା କଂପାନି ୫୮ ହଜାରରୁ ଅଧିକ ପଲିସି ବିକ୍ରି କରି ୪୫ କୋଟି ୨୪ ଲକ୍ଷ ଟଙ୍କାର ପ୍ରିମିୟମ ସଂଗ୍ରହ କରିସାରିଲାଣି। ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏଲ୍‌ଆଇସି ପକ୍ଷରୁ ବୀମା ସପ୍ତାହ ପାଳନ କରାଯାଉଛି। ଏହି ଅବସ‌ରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂପାନି ପକ୍ଷରୁ ଏହି ସବୁ ସୂଚନା ପ୍ରଦାନ କରାଯାଇଛି। ଏହି ଅବସରରେ କଂପାନିର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଏ କେ ସାହୁ, ମାର୍କେଟିଂ ପ୍ରବନ୍ଧକ ଏ ବି ରଥ, ଉପ ପ୍ରବନ୍ଧକ କେ ବେହେରା ଓ ପ୍ରବନ୍ଧକ ଏ କେ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର