ଏଲ୍‌ଆଇସି ବିକିବ ୨୨ କୋଟି ସେୟାର: ଆଇପିଓ ମେ’ ୪‌ରେ ଖୋଲିବ, ୨୧,୦୦୦ କୋଟି ସଂଗ୍ରହ ଆଶା

ସେୟାର ପିଛା ଦାମ୍ ୯୦୨-୯୪୯ ଟଙ୍କା, ପଲିସିଧାରକଙ୍କୁ ୬୦ ଟଙ୍କା, କର୍ମଚାରୀଙ୍କୁ ୪୫ ଟଙ୍କା ରିହାତି

ମୁମ୍ବାଇ: ଦେଶର ସର୍ବବୃହତ୍ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ଆସନ୍ତାମାସ ୪ ତାରିଖରେ ଆରମ୍ଭ ହେବ। ନିଗମ ପକ୍ଷରୁ ‌ପ୍ରତି ସେୟାରକୁ ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ବିକ୍ରି କରାଯିବ। ତେବେ ପଲିସିଧାରକମାନଙ୍କୁ ୬୦ ଟଙ୍କା ରିହାତିରେ ଏବଂ କର୍ମଚାରୀମାନଙ୍କୁ ୪୫ ଟଙ୍କା ରିହାତିରେ ଏହି ସେୟାର ମିଳିବ। ୯୪୯ ଟଙ୍କା ଲେଖାଏଁରେ ଏଲଆଇସି ଆଇପିଓରୁ ପାଖାପାଖି ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବ।

ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରିବେ। ଅର୍ଥାତ୍ ୨୨.୧୩ କୋଟି ସେୟାର ବିକ୍ରି କରାଯିବ। ଏଥିରୁ ୨.୨ କୋଟି ସେୟାର ପଲିସିଧାରକଙ୍କ ପାଇଁ ଏବଂ ୧୫ ଲକ୍ଷ ସେୟାର କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରହିବ। ଆଙ୍କର ନିବେଶକଙ୍କ ପାଇଁ ଆଇପିଓ ମେ’ ୨ ତାରିଖରୁ ଆରମ୍ଭ ହେବ ଏବଂ ଅନ୍ୟମାନଙ୍କ ପାଇଁ ଏହା ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ। ସଂରକ୍ଷିତ ସେୟାର ବାଦ୍ ଅବଶିଷ୍ଟ ସେୟାର ମଧ୍ୟରୁ କ୍ବାଲିଫାଏଡ୍ ଇନଷ୍ଟିଚ୍ୟୁସନାଲ କ୍ରେତାଙ୍କୁ ୫୦ ପ୍ରତିଶତ, ଖୁଚୁରା ନିବେଶକଙ୍କୁ ୩୫ ପ୍ରତିଶତ ଏବଂ ଅଣ ସଂସ୍ଥାଗତ ନିବେଶକଙ୍କୁ ୧୫ ପ୍ରତିଶତ ‌ସେୟାର ବିକ୍ରି କରାଯିବ। କ୍ବାଲିଫାଏଡ ଇନଷ୍ଟିଚ୍ୟୁସନାଲ କ୍ରେତାଙ୍କ ପାଇଁ ରହିଥିବା ମୋଟ ସେୟାର ମଧ୍ୟରୁ ଆଙ୍କର ନିବେଶକଙ୍କ ପାଇଁ ୬୦ ପ୍ରତିଶତ ସେୟାର ରଖାଯାଇଛି ବୋଲି ସେ କହିଛନ୍ତି। ସରକାର ପୂର୍ବରୁ ଏଲଆଇସିର ୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଥିଲେ। କିନ୍ତୁ ବିଶ୍ବରେ ଦେଖାଦେଇଥିବା ରାଜନୈତିକ ଓ ଭୌଗୋଳିକ ଉତ୍ତେଜନା, ଅଶୋଧିତ ତେଲ ଦରବୃଦ୍ଧି ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧ ହାର ବୃଦ୍ଧି ଆଦି କାରଣରୁ ଏହାକୁ କମାଇ ଦିଆଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର