ଅଗରବତି ଆମଦାନି ଉପରେ କଟକଣା, ଆବଶ୍ୟକ ହେବ ଲାଇସେନ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅବରବତି ଆମଦାନି ଉପରେ କଟକଣା ଲଗାଇଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଅଗରବତି ଆମଦାନିକୁ ମୁକ୍ତ ବର୍ଗରୁ ବାହାର କରି କଟକଣା ବର୍ଗରେ ସାମିଲ କରିଛନ୍ତି। ଦେଶରେ ଅଗରବତି ଶିଳ୍ପକୁ ସୁରକ୍ଷା ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତ ଅଗଷ୍ଟ ୩୧ ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ନୂଆ ପଦକ୍ଷେପ ‌ଫଳରେ ଆମଦାନି ପାଇଁ ଲା‌ଇସେନ୍ସ ଆବଶ୍ୟକ ପଡ଼ିବ। ଭାରତ-ଆସିଆନ୍ ମୁକ୍ତ ବାଣିଜ୍ୟ ରାଜିନାମା ଅଧୀନରେ ୨୦୧୧ ମସିହାରୁ ଅଗରବତି କଞ୍ଚାମାଲ ଆମଦାନି ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଥିଲା। ଅଗରବତି କଞ୍ଚାମାଲ ଉପରେ ଆମଦାନି ଶୁଳ୍କ ୨୦୧୧ ମସିହା ପୂର୍ବରୁ ୩୦ ପ୍ରତିଶତ ଥିବାବେଳେ ସେହିବର୍ଷ ତାହାକୁ ୧୦ ପ୍ରତିଶତକୁ କମାଇ ଦିଆଯାଇଥିଲା। ଏହାପରେ ୨୦୧୮ରେ ତାହାକୁ ୫ ପ୍ରତିଶତକୁ ଖସାଇ ଦିଆଯାଇଥିଲା। ଏଥିଯୋଗୁ ଭାରତର ଅଗରବତି ଆମଦାନି ବୃଦ୍ଧି ପାଇଥିଲା। ୨୦୦୯ରେ ଦେଶର ଅଗରବତି ଆମଦାନି ୩୧ କୋଟି ଟଙ୍କାରେ ସୀମିତ ଥିବାବେଳେ ୨୦୧୮ ମସିହାରେ ଏହା ୫୪୦ କୋଟି ଟପିଯାଇଥିଲା। ୨୦୧୧ରେ ଭାରତ ଚୀନ୍‌ଠାରୁ ୧.୭ କୋଟି ଟଙ୍କା ମୂଲ୍ୟର ଅଗରବତି ଆମଦାନି କରିଥିବାବେଳେ ୨୦୧୮ରେ ଏହା ୨୧୨ କୋଟିକୁ ବୃଦ୍ଧି ପାଇଥିଲା। କେବଳ ଚୀନ୍ ନୁହେଁ ଭିଏତନାମରୁ ବହୁ ପରିମାଣର ଅଗରବତି କଞ୍ଚାମାଲ ଆମଦାନି ହେଉଛି। ଏହା ଦେଶର ଘରୋଇ ଅଗରବତି ନିର୍ମାତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଘରୋଇ କ୍ଷେତ୍ରରେ ଅଗରବତି ଶିଳ୍ପ ଆତ୍ମ ନିଯୁକ୍ତିର ଏକ ବଡ଼ ମାଧ୍ୟମ ହୋଇଥିବାବେଳେ ଆମଦାନି ବୃଦ୍ଧି ଯୋଗୁ ଏହା ପ୍ରଭାବିତ ହୋଇଥିଲା। ନୂଆ ନିୟମ ପରେ ଦେଶର ଅଗରବତି ଶିଳ୍ପ ଉପକୃତ ହେବ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର