ଏପ୍ରିଲରୁ ଶସ୍ତା ହୋଇପାରେ ଜୀବନ ବୀମା ପ୍ରିମିୟମ, କମୁଛି ମୃତ୍ୟୁ ହାର

ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷରୁ ଜୀବନ ବୀମା ପ୍ରିମିୟମ ବାବଦରେ ପଲିସି କ୍ରୟ କରୁଥିବା ବ୍ୟକ୍ତିଙ୍କୁ କମ୍ ଅର୍ଥ ଦେବାକୁ ପଡ଼ିପାରେ। ବୀମା ପ୍ରିମିୟମ ଧାର୍ଯ୍ୟ କରିବା ଲାଗି କମ୍ପାନି ଗୁଡ଼ିକ ଯେଉଁ ମୃତ୍ୟୁ ହାର ସାରଣୀକୁ ମାନଦଣ୍ଡ ଭାବେ ଧାର୍ଯ୍ୟ କରୁଛନ୍ତି ସେଥିରେ ପରିବର୍ତନ ଆସିବ। କମ୍ପାନି ଗୁଡ଼ିକ ନୂଆ ସାରଣୀକୁ ଗ୍ରହଣ କରିବେ। ନୂଆ ସାରଣୀରେ ମୃତ୍ୟୁ ହାର ହ୍ରାସ ପାଇଥିବାରୁ ଏଭଳି ଆଶା ବ୍ୟକ୍ତ କରାଯାଇଛି। ବିଶେଷକରି ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ପାଇଁ ଜୀବନ ବୀମା ପ୍ରିମିୟମ ବାବଦରେ କମ୍ ରାଶି ଦେବାକୁ ପଡ଼ିପାରେ। ବୀମା କରିଥିବା ବ୍ୟକ୍ତିମାନଙ୍କର ହାରାହାରି ମୃତ୍ୟୁ ହାର ସାରଣୀ ୨୦୧୨-୧୪ ଇନଷ୍ଟିଚ୍ୟୁଟ ଅଫ୍ ଆକ୍‌ଚୁଆରିଜ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ମୃତ୍ୟୁ ହାର ୪ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ପୂର୍ବରୁ ବୀମା ପ୍ରିମିୟମ ଧାର୍ଯ୍ୟ କରିବା ପାଇଁ ୨୦୦୬-୦୮ର ମୃତ୍ୟୁ ହାର ସାରଣୀକୁ ବ୍ୟବହାର କରାଯାଉଥିଲା। ତେଣୁ ନୂଆ ସାରଣୀ ବ୍ୟବହାର କରି ପ୍ରିମିୟମ ଧାର୍ଯ୍ୟ କରାଗଲେ ପ୍ରିମିୟମ ରାଶି ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବିଦେଶରେ ଏହି ସାରଣୀ ପ୍ରତିବର୍ଷ ବାହାର କରାଯାଉଥିବାବେଳେ ଭାରତରେ ଏହା ୫ରୁ ୬ ବର୍ଷରେ ଥରେ କରାଯାଇଥାଏ। ଏହି ସାରଣୀରେ ଜୀବନ ବୀମା କରିଥିବା ୧୦୦୦ ବ୍ୟକ୍ତିଙ୍କ ମଧ୍ୟରୁ କେତେ ଜଣ ମୃତ୍ୟୁବରଣ କରିଥାନ୍ତି ତାହାକୁ ନିଆଯାଇ ମୃତ୍ୟୁ ହାର ଧାର୍ଯ୍ୟ କରାଯାଇଥାଏ। ବୀମା କମ୍ପାନି ଗୁଡ଼ିକ ସାଧାରଣତଃ ଯେଉଁ ବୟସର ବ୍ୟକ୍ତିମାନଙ୍କୁ ଅଧିକ ସଂଖ୍ୟାରେ ପଲିସି ବିକ୍ରି କରିଥାନ୍ତି ସେହି ବର୍ଗର ବ୍ୟକ୍ତିଙ୍କ ମୃତ୍ୟୁ ହାର ହ୍ରାସ ପାଇଛି। କି୍ନ୍ତୁ ବୟସ୍କ ବ୍ୟକ୍ତିଙ୍କ ପାଇଁ ବୀମା ପ୍ରିମିୟମ ବୃଦ୍ଧି ପାଇପାରେ। କାରଣୁ ୮୨ରୁ ୧୦୫ ବର୍ଷ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ମୃତ୍ୟୁ ହାର ୩ରୁ ୨୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। କିନ୍ତୁ ୧୪ରୁ ୪୪ ବର୍ଷର ମହିଳାଙ୍କ ପାଇଁ ଏହି ମୃତ୍ୟୁ ହାର ହ୍ରାସ ୪.୫ ପ୍ରତିଶତରୁ ୧୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ତେଣୁ ଏହି ବୟସର ମହିଳାଙ୍କ ବୀମା ପ୍ରିମିୟମ ମଧ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର