ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟ୍ସ ପକ୍ଷରୁ ବେଣୁ ଶ୍ରୀନିବାସନଙ୍କୁ ଟ୍ରଷ୍ଟି ଭାବେ ଆଜୀବନ ନିଯୁକ୍ତି ପ୍ରଦାନ କରାଯାଇଛି। ଟ୍ରଷ୍ଟ୍ରେ ବିବାଦର ଅନ୍ୟତମ କାରଣ ସାଜିଥିବା ସଦସ୍ୟ ମେହଲି ମିସ୍ତ୍ରୀଙ୍କ କାର୍ଯ୍ୟକାଳ ଆଉ କିଛିଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ଶ୍ରୀନିବାସନଙ୍କୁ ଏଭଳି ଚକିତ କରିବା ଭଳି ନିଯୁକ୍ତି ଦିଆଯାଇଛି। ଟାଟା ଗ୍ରୁପ୍କୁ ପରିଚାଳନା କରୁଥିବା ସଂସ୍ଥା ‘ଟାଟା ସନ୍ସ’ରେ ଦୁଇଟି ଟ୍ରଷ୍ଟ୍ର ସିଂହ ଭାଗ ଅଂଶଧନ ରହିଛି। ସେଥିରୁ ଗୋଟିଏ ହେଉଛି ‘ସାର ଦୋରାବଜୀ ଟାଟା ଟ୍ରଷ୍ଟ’। ସେହି ଟ୍ରଷ୍ଟ୍ରେ ଶ୍ରୀନିବାସନଙ୍କୁ ଆଜୀବନ ନିଯୁକ୍ତି ଦିଆଯାଇଛି। ସେ ‘ସାର ରତନ ଟାଟା ଟ୍ରଷ୍ଟ’ର ମଧ୍ୟ ଟ୍ରଷ୍ଟି ରହିଛନ୍ତି। ବେଣୁ ଶ୍ରୀନିବାସନ ହେଉଛନ୍ତି ଟିଭିଏସ୍ ଗ୍ରୁପ୍ର ସେବାନିବୃତ୍ତ ଅଧ୍ୟକ୍ଷ।
କିଛି ଦିନ ପୂର୍ବେ ଟାଟା ଟ୍ରଷ୍ଟରେ ଝଗଡ଼ା ଦେଖାଦେଇଥିଲା। ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା ଓ ସାପୁରଜୀ ପାଲୋଞ୍ଜୀ ଗ୍ରୁପ୍ର ମିସ୍ତ୍ରୀ ପରିବାର ସଦସ୍ୟ ମେହଲି ମିସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ନୋଏଲଙ୍କ ନିଷ୍ପତ୍ତିକୁ ମିସ୍ତ୍ରି ପକ୍ଷ ବିରୋଧ କରୁଛନ୍ତି। ଟାଟା ଟ୍ରଷ୍ଟ୍ସର ନିୟମ ଅନୁସାରେ କୌଣସି ସଦସ୍ୟଙ୍କ ପୁନଃ ନିଯୁକ୍ତି ବା ନିଯୁକ୍ତିର ନବୀକରଣ ସବୁ ଟ୍ରଷ୍ଟିଙ୍କ ସହମତି ଉପରେ ନିର୍ଭର କରୁଛି। ନୋଏଲ ଟାଟାଙ୍କ ପଟେ ଥିବା ଶ୍ରୀନିବାସନଙ୍କୁ ଆଜୀବନ ନିଯୁକ୍ତି ଦିଆଯାଇଥିବାରୁ ମିସ୍ତ୍ରିଙ୍କ ପୁନଃନିଯୁକ୍ତି ଅଟକାଇବା ଲାଗି ତାହା ଏକ ଯୋଜନା ହୋଇଥାଇପାରେ ବୋଲି କୁହାଯାଉଛି। ଟାଟା ସନ୍ସରେ ସାପୁରଜୀ ପାଲୋଞ୍ଜି ଗ୍ରୁପର ୧୮ ପ୍ରତିଶତ ଅଂଶଧନ ରହିଛି। ତାଙ୍କ ପରିବାରର ସଦସ୍ୟ ସାଇରସ ମିସ୍ତ୍ରୀଙ୍କୁ କିଛି ବର୍ଷ ପୂର୍ବେ ଅଧ୍ୟକ୍ଷ ପଦରୁ ତଡ଼ିଦିଆଯାଇଥିଲା। ଆଇନଗତ ଲଢ଼େଇ ଲଢ଼ୁଥିବା ଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/22/sfsfsfxxcxc-2025-10-22-03-47-43.jpg)