ପାର୍ଟିପ୍ରେମୀଙ୍କ ପସନ୍ଦ ରୋଜ୍‌ଗୋଲ୍ଡ ଷ୍ଟୋନ୍‌ ଘଣ୍ଟା

ଭୁବନେଶ୍ବର: ହାତ ଘଣ୍ଟା… ମହିଳାମାନଙ୍କ ଫ୍ୟାସନ୍‌ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ବ୍ୟକ୍ତିତ୍ବକୁ ଅଧିକ ପରିସ୍ଫୁଟିତ କରିଥାଏ। ଅଫିସ୍‌ ସମୟରେ ମୋଟା ବ୍ୟାଣ୍ଡର ଘଣ୍ଟା ପୁଣି ମେଟାଲ୍‌ ୱାଚ୍‌, ଡେଟିଂ ସମୟରେ ସିଲ୍‌ଭର୍‌ ୱାଚ୍‌ ଓ ପାର୍ଟି ସମୟରେ ଷ୍ଟୋନ୍‌, ଡିଜାଇନ୍‌ ୱାଚ୍‌ ଆଦି ଭିନ୍ନ ଭିନ୍ନ ସ୍ଥାନକୁ ବିଭିନ୍ନ ପ୍ରକାରର ହାତ ଘଣ୍ଟା ପିନ୍ଧି ନିଜ ବ୍ୟକ୍ତିତ୍ବ‌ରେ ଆକର୍ଷିତ କରନ୍ତି ମହିଳାମାନେ।

ଏବେ ଏହା କେବଳ ଆଉ ସମୟ ଦେଖିବାର ସାଧାନ ହୋଇ ରହିନାହିଁ, ଫ୍ୟାସନର ପ୍ରସାଧନ ହୋଇସାରିଛି। ଖାସ୍‌ ଏଇଥି ପାଇଁ ମହିଳାମାନଙ୍କ ରୁଚି ଓ ଚାହିଦାକୁ ନଜରରେ ଦେଖି ବିଭିନ୍ନ ବ୍ରାଣ୍ଡର ଘଣ୍ଟା କମ୍ପାନିମାନେ ପ୍ରତି ୬ ମାସରେ ଥରେ ବଜାରକୁ ନୂଆ ଫ୍ୟ‌ାସନ ଓ ଡିଜାଇନ୍‌ର ଘଣ୍ଟା ଛାଡ଼ିଥା’ନ୍ତି। ବିଶେଷ କରି ନୂଆ ବର୍ଷ, ବିବାହ ଋତୁ, ଦଶହରା ଓ ଦୀପାବଳିରେ ବଜାରରେ ନୂଆ ନୂଆ ରକମର ମହିଳା ହାତ ଘଣ୍ଟା ବେଶ୍‌ ଟ୍ରେଣ୍ଡ ସୃଷ୍ଟି କରେ।

ବିବାହ ଋତୁରେ କପଲ୍‌ ହାତ ଘଣ୍ଟା
ବିବାହ ଋତୁରେ ଉପହାରର ଅନ୍ୟନ‌ାମ ପାଲଟିଛି କପଲ୍‌ ହାତ ଘଣ୍ଟା। ଉପହାର କିଣିଲା ବେଳେ ଦ୍ବନ୍ଦ୍ବ ହେଲେ ସମେସ୍ତ କପଲ୍‌ ୱାଚ୍‌କୁ ଶ୍ରେଷ୍ଠ ପସନ୍ଦ ଭାବେ ବାଛି ନିଅନ୍ତି। ଏଣୁ କପଲ୍‌ ୱାଚ୍‌ ଏବେ ଅଧିକରୁ ଅଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ରହିଛି ବ୍ରାଣ୍ଡ୍‌ ୱାଚ୍‌ ଯାହାକି ଅଫିସିଆଲ୍‌ ଲୁକ୍‌କୁ ସମ୍ପୂର୍ଣ୍ଣ କରୁଥିବା ବେଳେ ଚେନ୍‌ ୱାଚ୍‌ରେ ରହିଛି ଭିନ୍ନ ଭିନ୍ନ ଡିଜାଇନ୍‌। ଧଳା ଚେନ୍‌, ସୁନେଲି ରଙ୍ଗ ଚେନ୍‌ ଆଦି ସହ ବଡ଼ ଡାଏଲ୍‌ର ଘଣ୍ଟା ସବୁ ବେଶି ବିକ୍ରି ହେଉଥିବା ଏକ ପ୍ରତିଷ୍ଠିତ ହାତଘଣ୍ଟା ସୋ’ରୁମ୍‌ର ପ୍ରବନ୍ଧକ କହିଛନ୍ତି।

ରୁପା ଓ ସୁନା ଘଣ୍ଟା ବି ଚାହିଦାରେ
ରୁପା ଓ ସୁନା ଘଣ୍ଟା ପୁରୁଣା ଷ୍ଟାଇ‌ଲ୍‌ ହୋଇଥିଲେ ବି ଏହା ଏବେ ବି ସମ୍ଭ୍ରାନ୍ତ ଶ୍ରେଣୀୟ ଚିହ୍ନ ଭାବେ ଗଣାଯାଏ। ସରୁ, ପତଳା ରୁପା ଓ ସୁନା ଚେନ୍‌ଠାରୁ ଆରମ୍ଭ କରି ମୋଟା ଚେନ୍‌ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଡିଜାଇନ୍‌ ମାର୍କେଟରେ ଉପଲବ୍ଧ ହୋଉଥିବା ବେଳେ ଏଥିରେ କ୍ରିଷ୍ଟାଲ ଓ ଷ୍ଟୋନ୍‌ ଖଚିତ ହୋଇ ଗ୍ରାହକଙ୍କ ଫ୍ୟାସନ୍‌ କ୍ଷୁଧାକୁ ଏହା ପୂରଣ କରୁଛି।

ସିଲ୍‌ଭର୍‌ ୱାଚ୍‌ ଓ ପ୍ରିମିୟମ୍‌ ଗୋଲ୍ଡ ୱାଚ୍‌ର ବିଭିନ୍ନ ଡିଜାଇନ୍‌ ପ୍ରମୁଖ ହାତଘଣ୍ଟା ଷ୍ଟୋରରେ ଉପଲବ୍ଧ ରହିଛି। ଏଥିସହ ଧଳା, କଳା, କଫି ଓ ଭିନ୍ନ ଭିନ୍ନ ରଙ୍ଗର ବ୍ୟାଣ୍ଡ ସହ ସୁନା ଡାଏଲ୍‌ର ବି ଚାହିଦା ମାର୍କେଟରେ ଭଲ ରହିଛି। ରୁପା ଘଣ୍ଟାର ଦାମ୍‌ ୨୬ ହଜାରରୁ ଆରମ୍ଭ ହୋଇ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ସୁନା ଘଣ୍ଟାର ଦାମ୍‌ ୪୩ ହଜାରରୁ ଆରମ୍ଭ କରି ୩ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ପିଲାଙ୍କ ପାଇଁ ରଙ୍ଗିନ, କାର୍ଟୁନ୍‌ ୱାଚ
ଛୁଆଙ୍କୁ ହାତ ଘଣ୍ଟା ଓ ଘଣ୍ଟା ଚିହ୍ନିବା ପ୍ରତି ଆକୃଷ୍ଟ କରିବାକୁ ଭିନ୍ନ ଭିନ୍ନ ଡିଜାଇନ୍‌ର ହାତ ଘଣ୍ଟା ମାର୍କେଟରେ ଏବେ ଉପଲବ୍ଧ। କାର୍ଟୁନ୍‌ ୱାଚ୍‌ ସହ ନାଲି, ନୀଳ, ସବୁଜ, ହଳଦିଆ ଆଦି ଆକର୍ଷଣୀୟ ରଙ୍ଗର ହାତ ଘଣ୍ଟା ସେମାନଙ୍କୁ ଏକ କ୍ୟୁଟ୍‌ ଲୁକ୍‌ ଦେଉଛି। ଏଥିସହ ସେମାନଙ୍କ ପାଇଁ ରହିଛି ଡିଜିଟାଲ୍‌ ଓ ଷ୍ଟପ୍‌ ୱାଚ୍‌ ହାତ ଘଣ୍ଟା। ଏସବୁ ଦାମ୍‌ ୫୦୦ ଟଙ୍କାରୁ ଆରମ୍ଭ କରି ୧ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ଚାହିଦାରେ ଷ୍ଟୋନ୍‌ ୱାକ୍‌
ବିବାହ ଋତୁ ଚାଲିଥିବାରୁ ଏବେ ମହିଳାଙ୍କୁ ଆକର୍ଷିତ କରୁଛି ଷ୍ଟୋନ୍‌ ୱାକ୍‌ ଓ ରୋଜ୍‌ ଗୋଲ୍ଡ ହାତ ଘଣ୍ଟା। ରୋଜ୍‌ଗୋଲ୍ଡ ଗତ ୨ ବର୍ଷ ହେଲା ମାର୍କେଟରେ ଟ୍ରେଣ୍ଡ୍‌ ସୃଷ୍ଟି କରିଥିବ‌ା ବେଳେ ଗୋଲ୍‌ଡେନ୍‌ ଘଣ୍ଟାର ଚାହିଦାକୁ କମାଇ ଦେଇଛି। ପ୍ରତିଷ୍ଠିତ କଂପାନିଗୁଡ଼ିକ ଏହି ବର୍ଗରେ ନୂଆ ସମ୍ଭାର ଆଣିଛନ୍ତି। ଏହା ଗତ ୬ ମାସ ହେଲା ବଜାରକୁ ଆସିଥିବା ବେଳେ ଏହା ଏବେ ପାର୍ଟି ଲୁକ୍‌ ପାଇଁ ବେଶ୍‌ ଚାହିଦ‌ାରେ ରହିଛି।

ସୁନେଲି କିମ୍ବା ରୋଜ୍‌ଗୋଲ୍ଡ ପ୍ଲେଟ୍‌ ଉପରେ ବଡ଼ ବଡ଼ ଷ୍ଟୋନ୍‌ ଖଚିତ ଏହି ଘଣ୍ଟା‌ ନିଜେ ବିବାହ କରୁଥିବା ଝିଅଙ୍କ ସହ ବିବାହ, ନିର୍ବନ୍ଧ, ବିବାହ ଭୋଜି ଓ ବିଭିନ୍ନ ପାର୍ଟିକୁ ପିନ୍ଧି ଯିବାକୁ ପୂରା ଉପଯୁକ୍ତ ହୋଇଛି। ଏହି ଷ୍ଟୋନ୍‌ର ନାମ ‘ସ୍ବେରେସ୍‌କ୍ୟୁ ଷ୍ଟୋନ୍‌’ ହୋଇଥିବା ବେଳେ ଏହାର ଚମକରେ ଯେ କେହି ବି ଆକର୍ଷିତ ହେବ। ପୁଣି ଏହି ଷ୍ଟୋନ୍‌ ହାତ ଘଣ୍ଟା‌ ୨ ପ୍ରକାରର। ଗୋଟିଏ ମୁଭେବୁଲ୍‌ ଓ ଅନ୍ୟଟି ସମ୍ପୂର୍ଣ୍ଣ ଘଣ୍ଟା ସହ ଜଡ଼ିତ। ଏସବୁ ଷ୍ଟୋନ୍‌ ହାତ ଘଣ୍ଟାର ଦାମ୍‌ ୬ ହଜାରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ରହିଛି। ଏଥିସହ ଅଲିଭ୍‌ ଗ୍ରିନ୍‌ ହାତ ଘଣ୍ଟା ଏବେ ନୂଆ ଟ୍ରେଣ୍ଡ୍‌ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର