‘ଟପ୍‌ କ୍ରିଏଟର୍‌’ ରୂପେ ‘‌ଫଲୋ’ କରିବାକୁ କଟକର ସିନ୍ଧୁ ବିଶ୍ବାଳଙ୍କ ନାମ ଉଲ୍ଲେଖ କଲା ‘ଲିଙ୍କ୍‌ଡ୍‌ଇନ୍‌’

ଭୁବନେଶ୍ବର: ‘ଫଲୋ’ କରିବା ଲାଗି ଶ୍ରେଷ୍ଠ ୫ ‘କ୍ରିଏଟର୍‌’ଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ‘ପ୍ରଫେସ୍‌ନାଲ୍‌ ନେଟ୍‌ୱାର୍କିଙ୍ଗ୍ ସାଇଟ୍‌’ ‘ଲିଙ୍କ୍‌ଡ୍‌ଇନ୍‌’ ଓଡ଼ିଶାର ସିନ୍ଧୁ ବିଶ୍ବାଳଙ୍କୁ ନାମିତ କରିଛି। ତିନି ଦିନ ତଳେ ‘ଲିଙ୍କଡ୍‌ଇନ୍‌’ର ମୁଖ୍ୟ ସମ୍ପାଦକ ତଥା ଉପାଧ୍ୟକ୍ଷ ‘ଟପ୍‌-୫ କ୍ରିଏଟର୍‌’ଙ୍କ ନାମ ଘୋଷଣା କରିବା ବେଳେ ତାଲିକାରେ ସିନ୍ଧୁଙ୍କ ନାମ ଥିବା କଥା ଜଣାପଡ଼ିଥିଲା।

କଟକନିବାସୀ ପ୍ରଭାତ ବିଶ୍ବାଳ ଏବଂ ବବିତା ବିଶ୍ବାଳଙ୍କ ପୁତ୍ର ‘ଏମ୍‌ବିଏ’ ସ୍ନାତକ ସିନ୍ଧୁ ଚିରାଚରିତ ଧାରାରେ ଯିବାକୁ ପସନ୍ଦ କରି ନ ଥିଲେ। ‘ବିବିଏ’ କରିବା ବେଳେ ସେ ପାଠ ଅପେକ୍ଷା ସଙ୍ଗୀତ କ୍ଷେତ୍ରରେ ଅଧିକ ମନୋନିବେଶ କରୁଥିଲେ। ତାଙ୍କ ପରିବାର ମଧ୍ୟ ତାଙ୍କ ଇଚ୍ଛାରେ ପ୍ରତିବନ୍ଧକ ସାଜୁ ନ ଥିଲେ। ଆଜି ସିନ୍ଧୁ ‘କୋଚିଙ୍ଗ୍‌’ ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ସେମାନଙ୍କ ଅଭିବୃଦ୍ଧି ଦିଗରେ ଧ୍ୟାନ ଦେଉଛନ୍ତି।

ସିନ୍ଧୁ କହନ୍ତି, ଆମିଟି ନଇଡ଼ାରୁ ‘ଏମ୍‌ବିଏ’ ଶେଷ କରିବା ପରେ ମୁଁ ଗୋଟାଏ ଷ୍ଟାର୍ଟଅପ୍‌ରେ ଯୋଗ ଦେ‌ଲି। କ୍ୟାରିୟର୍‌ ପାଇଁ ମଧ୍ୟ ମୋର ସୁସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଥିଲା। କହିବା ଅନାବଶ୍ୟକ, ସେତେବେଳେ ପ୍ୟାକେଜ୍‌ (ବେତନ) କମ୍‌ ଥିଲା, କିନ୍ତୁ ଏହି ସୁଯୋଗ ମୋତେ ଶିଖିବା ଏବଂ ଅଭିବୃଦ୍ଧି କରିବାର ଦ୍ବାର ଉନ୍ମୁକ୍ତ କଲା। ଏହାପରେ ମୁଁ ମୁମ୍ବାଇ ଓ ପରେ ବାଙ୍ଗାଲୋର୍‌ ଚାଲିଗଲି। ଏବେ ବାଙ୍ଗାଲୋର୍‌ରେ ଅବସ୍ଥାନ କରୁଛି। ଏଯାବତ୍‌ ଦୀର୍ଘ ୮ ବର୍ଷର ଏହି ଯାତ୍ରା ଖୁବ୍‌ ରୋମାଞ୍ଚକର ଏବଂ ସମ୍ବଳଭରା ହୋଇ ଆସିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରେଷ୍ଠ-୫ ‘କ୍ରିଏଟର୍‌’ଙ୍କ ମଧ୍ୟରେ ସ୍ଥାନ ପାଇଥିବା ଖବର ମୋ ପାଇଁ ଥିଲା ଆନନ୍ଦପ୍ରଦ ବିସ୍ମୟ। ଏବେ ବି ମୁଁ ସେ ଆନନ୍ଦପ୍ରଦ ବିସ୍ମୟକୁ ବିଶୋଷଣ କରିପାରୁ ନାହିଁ। ମୋତେ ରାଙ୍କିଙ୍ଗ୍‌ କରିଥିବାରୁ ‘ଲିଙ୍କଡ୍‌ଇନ୍‌’ ନିକଟରେ ମୁଁ କୃତଜ୍ଞ। ଜଣେ ମହାକାଶଚାରୀ, ପରେ ଗୀତିକାର ଏବଂ ତା’ପରେ ମାର୍କେଟିଙ୍ଗ୍‌ ପ୍ରଫେସ୍‌ନାଲ୍‌ ହେବା ପାଇଁ ଯେଉଁ ଅଭିଳାଷ ଥିଲା, ସେ ଯାତ୍ରା ସାମଗ୍ରିକ ଭାବ‌େ ଆନନ୍ଦଦାୟକ ହୋଇପାରିଛି।

ସିନ୍ଧୁ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ବ। ତାଙ୍କ ପ୍ରୋଫାଇଲ୍‌ରେ ‘ଲାଇଫ୍‌ କୋଜିଙ୍ଗ୍‌’, ‘କ୍ୟାରିୟର୍‌ ଡେଭ୍‌ଲପ୍‌ମେଣ୍ଟ୍‌ କୋଚିଙ୍ଗ୍‌’, ‘ମାର୍କେଟିଙ୍ଗ୍’, ‘କନ୍‌ସଲ୍‌ଟିଙ୍ଗ୍‌’ ‘ଡିଜିଟାଲ୍‌ ମାର୍କେଟିଙ୍ଗ୍‌’ ଆଦି ଉଲ୍ଲେଖ ଅଛି।

ଜୀବନ ଏବଂ ବୃତ୍ତିଗତ ପରାମର୍ଶ ପ୍ରଦାନ କରି ସିନ୍ଧୁ ସକ୍ରିୟ ଭାବେ ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ କରାଉଛନ୍ତି। ରାଜ୍ୟରେ ‘ଷ୍ଟାର୍ଟଅପ୍‌ ଇକୋ-ସିଷ୍ଟମ୍‌’ ସଂକ୍ରାନ୍ତରେ ସରକାର ଏବଂ ଓଡ଼ିଶାରେ ଥିବା ସମସ୍ତ ‘ଏମ୍‌ବିଏ’ କଲେଜ ସଂଗରେ କାମ କରିବା ଲାଗି ମୋର ଯୋଜନା ଅଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର