ରିଜର୍ଭ ବ୍ୟାଙ୍କ ବଡ଼ ପଦରେ ଓଡ଼ିଆଙ୍କ ତାଲିକା ଲମ୍ବା

ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦପଦବୀରେ ଦକ୍ଷ ଓଡ଼ିଆଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ଗଭର୍ଣ୍ଣର ପଦରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକୁ ସମଗ୍ର ବିଶ୍ବରେ ପ୍ରଶଂସା କରାଯାଉଛି। ବିଶେଷ କରି ତାଙ୍କ ନେତୃତ୍ବରେ ମହାମାରୀକୁ ରିଜର୍ଭ ବ୍ୟାଙ୍କ ଯେଉଁଭଳି ମୁକାବିଲା କରିଛି ତାହା ଅନ୍ୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଲାଗି ଉଦାହରଣ ପାଲଟିଛି। ରିଜର୍ଭ ବ୍ୟାଙ୍କର ସବୁଠୁ ବଡ଼ ପଦରେ ଅବସ୍ଥ‌ାପିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ‌ତେବେ ତାଙ୍କ ବ୍ୟତୀତ ଏବେ ରିଜର୍ଭ ବ୍ୟାଙ୍କର ଅନ୍ୟ କେତେକ ବରିଷ୍ଠ ପଦପଦବୀରେ ମଧ୍ୟ ଦକ୍ଷ ଓଡ଼ିଆମାନେ କାମ କରୁଛନ୍ତି। ଶକ୍ତିକାନ୍ତଙ୍କ ଡେପୁଟି ଗଭର୍ଣ୍ଣର ଭାବେ ଦୁଇ ଜଣ ଓଡ଼ିଆ କାର୍ଯ୍ୟ କରୁଛନ୍ତି। ସେମ‌ାନେ ହେଉଛନ୍ତି ବିଭୂ ପ୍ରସାଦ କାନୁନ୍‌ଗୋ ଓ ମାଇକେଲ୍ ଦେବବ୍ରତ ପାତ୍ର।

କେଉଁ ପଦରେ କିଏ
ନାମ   ପଦପଦବୀ
ଶକ୍ତିକାନ୍ତ ଦାସ ଗଭର୍ଣ୍ଣର
ବିଭୂ ପ୍ରସାଦ କାନୁନ୍‌ଗୋ ଡେପୁଟି ଗଭର୍ଣ୍ଣର
ମାଇକେଲ୍‌ ଦେବବ୍ରତ ପାତ୍ର ଡେପୁଟି ଗଭର୍ଣ୍ଣର
ରାଧା ଶ୍ୟାମ ରଥ ଇଡି
ଜୟନ୍ତ କୁମାର ଦାଶ ଇଡି
ଶିରିଶ ମୁର୍ମୁ ଇଡି
ଟି ରବିଶଙ୍କର ଇଡି

ମୁଦ୍ରାନୀତି ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେ ଗଭର୍ଣ୍ଣର ଶକ୍ତିକାନ୍ତଙ୍କୁ ସାହାଯ୍ୟ କରୁଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଦକ୍ଷ ଓଡ଼ିଆଙ୍କ ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଛି। ‌ସେ ହେଉଛନ୍ତି ରାଧା ଶ୍ୟାମ ରଥ (୫୪)। ତାଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ଭାବେ ନିଯୁକ୍ତି ମିଳିଛି। ଏହା ପୂର୍ବରୁ ସେ ମୁଖ୍ୟ ମହାପ୍ରବନ୍ଧକ ପଦରେ କାର୍ଯ୍ୟ କରୁଥିଲେ। ଶ୍ରୀ ରଥଙ୍କ ସହିତ ଆର୍‌ ସୁବ୍ରମଣିଅନ୍ ଓ ରୋହିତ ଜୈନ୍‌ଙ୍କୁ ମଧ୍ୟ ନୂଆ ଇଡି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ରିଜର୍ଭ ବ୍ୟାଙ୍କ ଇଡି ପଦରେ ଅନ୍ୟ ଦୁଇ ଜଣ ଓଡ଼ିଆ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନେ ହେଉଛନ୍ତ ଶିରିଶ ମୁର୍ମୁ ଓ ଟି ରବିଶଙ୍କର। ଯଦିଓ ଟି ରବିଶଙ୍କର ଅନ୍ୟ ରାଜ୍ୟର ବ୍ୟକ୍ତି କିନ୍ତୁ ତାଙ୍କର ପାଠପଢ଼ା ଓ ଚାକିରି ପୂର୍ବବର୍ତୀ ଜୀବନର ଅଧିକାଂଶ ସମୟ ଓଡ଼ିଶାରେ ବିତିଛି। ରିଜର୍ଭ ବ୍ୟାଙ୍କରେ ୧୩ ଜଣ ଇଡି ରହିଛନ୍ତି। କିଛି ମାସ ପୂର୍ବରୁ ଇଡି ପଦରେ ଦୀପକ ମହାନ୍ତି କାର୍ଯ୍ୟ କରୁଥିଲେ। ସେ ଅବସର ଗ୍ରହଣ କରିସାରିଛନ୍ତି। ପୁରୀରେ ଜନ୍ମ ଗ୍ରହଣ କରିଥିବା ହାରୁନ ରସିଦ ଖାନ୍ ମଧ୍ୟ କିଛି ବର୍ଷ ପୂର୍ବେ ରିଜର୍ଭ ବ୍ୟାଙ୍କର ଇଡି ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର