ଭୁବନେଶ୍ବର: ଖଣିଜ ସମ୍ପଦରେ ଭରପୁର ଓଡ଼ିଶା ମାଟି ତଳେ ରହିଛି ଲିଥିୟମ୍ ଭଳି କ୍ରିଟିକାଲ୍ ମିନେରାଲ୍ (ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ)। ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସ୍ଆଇ) ତାହାର ଅନ୍ବେଷଣ କରୁଛି। ନୟାଗଡ଼ ଜିଲ୍ଲା ମାଟିତଳେ ଲିଥିୟମ୍ ଗଚ୍ଛିତ ଥିବାର ସଙ୍କେତ ମିଳିଥିବାନେଇ କେନ୍ଦ୍ର ଖଣି ସଚିବ ଭି ଏଲ୍ କାନ୍ତା ରାଓ ସୂଚନା ଦେଇଛନ୍ତି। ରବିବାର ଲୋକସେବା ଭବନରେ ଅନୁଷ୍ଠିତ ୬୪ତମ କେନ୍ଦ୍ରୀୟ ଭୂତତ୍ତ୍ବ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ବୈଠକକୁ ସମ୍ବୋଧିତ କରି ଶ୍ରୀ ରାଓ ଖଣି ଓ ଖଣିଜ କ୍ଷେତ୍ରରେ ନବସୃଜନ, ସ୍ଥାୟିତ୍ବ ଓ ଅଭିବୃଦ୍ଧି ପାଇ ସାମୂହିକ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ରାଜ୍ୟରେ ଥିବା ଖଣିଗୁଡ଼ିକୁ ଠାବ କରିବା ଲାଗି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭଳି ଉନ୍ନତ ପ୍ରଯୁକ୍ତି ବ୍ୟବହାର କରିବା ଉପରେ ଜୋର ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଖଣି ଅନ୍ବେଷଣରେ ଡ୍ରୋନ୍ ବ୍ୟବହାର କରାଯାଉଛି। କନ୍ଧମାଳ ଓ ମାଲକାନଗିରିରେ ଖଣି କାର୍ଯ୍ୟକଳାପ ତ୍ବରାନ୍ବିତ କରିବା ଲାଗି ମଧ୍ୟ ପ୍ରୟାସ କରାଯାଉଛି ବୋଲି ବୈଠକରୁ ଜଣାପଡ଼ିଛି।
ଲିଥିୟମ୍ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଯାହା ବହୁଳ ଭାବେ କାଚ, ଆଲୁମିନିୟମ୍ ଓ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରିରେ ବ୍ୟବହାର ହେଉଛି। ଅଷ୍ଟ୍ରେଲିଆ ଓ ଚିଲିରେ ଲିଥିୟମ୍ର ସର୍ବବୃହତ ଭଣ୍ଡାର ଠାବ ହୋଇଥିବା ବେଳେ ଏଥିରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ଉଦ୍ୟମ କରୁଛି। ସେଥିପାଇଁ କେନ୍ଦ୍ର ସରକାର କ୍ରିଟିକାଲ୍ ମିନେରାଲ୍ ମିସନ ଘୋଷଣା କରିଛନ୍ତି।
ସେଥିରେ ଛଅଟି ବିଭାଗ ରହିବ। ମିସନ ଗଠନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଶ୍ରୀ ରାଓ ସୂଚନା ଦେଇଛନ୍ତି। ଏହି ଅବସରରେ ଖଣି ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ଜିଏସ୍ଆଇର ଆଧୁନିକୀକରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହା ପ୍ରସ୍ତୁତ କରୁଥିବା ରିପୋର୍ଟରେ ହେଉଥିବା ବିଳମ୍ବକୁ କମ୍ କରିବା ସହ ଘରୋଇ ଏଜେନ୍ସିଗୁଡ଼ିକ ଭଳି ଶୀଘ୍ର ରିପୋର୍ଟ ଦେବାକୁ ସେ ଜିଏସ୍ଆଇକୁ କହିଥିଲେ। ଜିଏସ୍ଆଇର ମହାନିର୍ଦେଶକ ଅସିତ୍ ଶାହ ଆଗାମୀ କ୍ଷେତ୍ର ଋତୁ(ଫିଲ୍ଡ ସିଜନ୍)ର ବାର୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ୨୦୨୫-୨୬ ପାଇଁ ଜିଏସ୍ଆଇ ୧୦୫୬ଟି ବୈଜ୍ଞାନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ସେଥିରୁ ୪୦୨ଟି ହେଉଛି ଖଣିଜ ବିକାଶ ପ୍ରକଳ୍ପ ଓ ୧୬୭ଟି ଖଣିଜ ଅନ୍ବେଷଣ ପ୍ରକଳ୍ପ ରହିଛି। ଗ୍ରାଫାଇଟ୍, ଲିଥିୟମ୍, ଭାନାଡିୟମ୍ ଓ ପିଜିଇ ଭଳି କ୍ରିଟିକାଲ୍ ମିନେରାଲ୍କୁ ଲକ୍ଷ୍ୟରେ ରଖି ୨୨୭ଟି ପ୍ରକଳ୍ପ ହାତକୁ ନିଆଯିବ। ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ଅନ୍ବେଷଣରେ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ। କାର୍ଯ୍ୟକ୍ରମରେ ଶ୍ରୀ ରାଓ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ଯେଉଁଥିରେ ଜିଏସ୍ଆଇ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଘରୋଇ ଅନୁସନ୍ଧାନ ଏଜେନ୍ସି ଓ ଷ୍ଟାର୍ଟଅପ୍ଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଖଣିଜ ସନ୍ଧାନ ପଦ୍ଧତି ହାକାଥନ୍ର ବିଜେତା ଭାବେ ଏଏମ୍ଡି, ଜିଏସ୍ଆଇ ଓ ଆଇଆଇଟି-ଆଇଏସ୍ଏମ୍ ଧାନବାଦକୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅନୁସନ୍ଧାନ, ଗବେଷଣା ଓ ଖଣି କ୍ଷେତ୍ରର ବହ ସଂଖ୍ୟାରେ ଅଂଶୀଦାର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/20/l6I991pZAu9BExa3KjKf.jpg)