୪୫ ହଜାର କୋଟିର ବୋଝ: ନୋମୁରା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିଥିବାରୁ ଏ ବାବଦରେ ୪୫ ହଜାର କୋଟି ଟଙ୍କାର କ୍ଷତି ଚଳିତ ଆର୍ଥିକବର୍ଷର ଆସନ୍ତା ୫ ମାସରେ ହେବ। ନୋମୁରା ପକ୍ଷରୁ ଏହି ଆକଳନ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଉକ୍ତ କ୍ଷତି ପରିମାଣ ଜିଡିପିର ୦.୨ ପ୍ରତିଶତ ବୋଲି କୁହାଯାଇଛି। ତେବେ ଏହାଦ୍ବାରା ଦେଶରେ ଦରଦାମ ଏବଂ ମୁଦ୍ରାସ୍ଫୀତି ହ୍ରାସ ପାଇବ। ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତିରେ ପେଟ୍ରୋଲର ଅଂଶ ୨.୨ ପ୍ରତିଶତ ଏବଂ ଡିଜେଲର ଅଂଶ ୦.୧୫ ପ୍ରତିଶତ ରହିଛି। ଗୋଟିଏ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ କେନ୍ଦ୍ର ସରକାର ହରାଇବେ। ଗତ କିଛିବର୍ଷ ହେଲା କେନ୍ଦ୍ର ସରକାରଙ୍କ ପାଇଁ ଟିକସର ମୂଳ ଉତ୍ସ ଉତ୍ପାଦ ଶୁଳ୍କ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉଦରୁ ୨.୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥି‌ଲେ।

୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ରାଜସ୍ବ ୩.୭୩ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ୨୦୨୦ ମେ ମାସରେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ପେଟ୍ରୋଲ ଉପରେ ଲିଟର ପିଛା ୩୨ ଟଙ୍କା ୯୦ ପଇସାକୁ ଏବଂ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସାକୁ ବଢ଼ାଇ ଦେଇଥିଲେ। କରୋନା ମହାମାରୀ ପ୍ରଭାବ କମିବା ପରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଦେଶରେ ପେଟ୍ରୋଲ ବିକ୍ରି ୨୧. ୫ ପ୍ରତିଶତ ଏବଂ ଡିଜେଲ ବିକ୍ରି ୧୫.୪ ପ୍ରତିଶତ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଅଶୋଧିତ ତେଲ ଦର ପାଖାପାଖି ଦୁଇଗୁଣା ବୃଦ୍ଧି ପାଇ ବ୍ୟାରେଲ ପିଛା ଏବେ ୮୨ ଡଲାର ରହିଛି। ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ଦ୍ବାରା ଏହାର ଅନୁକୂଳ ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିବ ବୋଲି ଅନେକ ଅର୍ଥନୀତି ବିଶାରଦ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର