ଋଣ ମାମଲାରେ ଗ୍ରାହକଙ୍କୁ ଆଶ୍ୱସ୍ତି, ଖାତାକୁ ବ୍ୟାଙ୍କ ଏନ୍‌ପିଏ ଘୋଷଣା କରିପାରିବେନି

ନୂଆଦିଲ୍ଲୀ : କରୋନା ମହାମାରୀ ପ୍ରଭାବ ଯୋଗୁଁ ଋଣ ଶୁଝି ପାରିନଥିବା ଗ୍ରାହକମାନଙ୍କୁ ସୁପ୍ରିମକୋର୍ଟ ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମୋରାଟୋରିଅମ ମାମଲାର ଶୁଣାଣି କରି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଗ୍ରାହକମାନେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଋଣ ଶୁଝିବାରେ ସମର୍ଥ ହୋଇନାହାନ୍ତି ପରବର୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଅନାଦେୟ ଋଣ ବା ଏନ୍‌ପିଏ ବର୍ଗରେ ସାମିଲ କରାଯାଇପାରିବ ନାହିଁ। ମହାମାରୀ ଆରମ୍ଭ ହେବା ପୂର୍ବରୁ ଯେଉଁମାନେ ଋଣ ଶୁଝିପାରିନାହାନ୍ତି ସେମାନଙ୍କୁ ମଧ୍ୟ ଆଶ୍ବସ୍ତି ମିଳିଛି।

କୋର୍ଟ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଯେଉଁ ଖାତା ଏନପିଏ ବର୍ଗରେ ସାମିଲ ହୋଇନାହିଁ ପରବର୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ତାହାକୁ ଏନପିଏ ବୋଲି ଘୋଷଣା କରାଯାଇପାରିବ ନାହିଁ। ବିଚାରପତି ଅଶୋକ ଭୂଷଣଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ଅନ୍ତରୀଣ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ମୋରାଟୋରିଅମ ମାମଲାର ପରବର୍ତୀ ଶୁଣାଣି ଚଳିତ ମାସ ୧୦ରେ ହେବ। ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ ଏହି ସୁବିଧା ଦେଇପାରିବେ ନା ନାହିଁ ତାହା ସ୍ପଷ୍ଟ କରିବା ଲାଗି ସୁପ୍ରିମକୋର୍ଟକୁ କୋର୍ଟ କହିଛନ୍ତି। କରୋନା ମହାମାରୀ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯିବା ପରେ ଋଣ ନେଇଥିବା ଗ୍ରାହକଙ୍କ କଷ୍ଟ ଦୂର କରିବା ଲାଗି ଋଣ ଉପରେ ପ୍ରଥମେ ତିନି ମାସ ଓ ପରବର୍ତୀ ସମୟରେ ଆଉ ତିନି ମାସ, ଏହିଭଳି ଭାବେ ମୋଟ ଛଅ ମାସର ମୋରାଟୋରିଅମ ସୁବିଧା ଦିଆଯାଇଥିଲା। ଯାହାର ସମୟ ଅଗଷ୍ଟ ୩୧ରେ ଶେଷ ହୋଇଛି। ‌ଏହି ସମୟର ସୁଧ ସମ୍ପୂର୍ଣ୍ଣ ଛାଡ଼ କରିବା ଓ ମୋରାଟୋରିଅମ୍ ଅବଧିକୁ ଆଉ କିଛି ମାସ ବଢ଼ାଇବା ଦାବି କରି ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ୍‌ ସଂସ୍ଥା ପର୍ଯ୍ୟନ୍ତ ଅନେକ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ମୋରାଟୋରିଅମ୍ ଅବଧିରେ ସୁଧ ଛାଡ଼ କରାଯାଇପାରିବ ନାହିଁ ବୋଲି ଉଭୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର କହିସାରିଛନ୍ତି। ଏକ ସତ୍ୟପାଠ ଜରିଆରେ ସରକାର କହିଛନ୍ତି ଯେ ଯଦି ସୁଧ ଛାଡ଼ ଘୋଷଣା କରାଯିବ ତେବେ ଯେଉଁ ଗ୍ରାହକମାନେ ଏହି ସମୟରେ ନିଜ ଋଣ କିସ୍ତି ଦେଇଛନ୍ତି ସେମାନଙ୍କ ପ୍ରତି ଅନ୍ୟାୟ ହେବ। ମୋରାଟୋରିଅମ୍ ସୁବିଧା ଗ୍ରହଣ କରିବା ଇଚ୍ଛାଧୀନ ଥିଲା। କେବଳ ଯେଉଁମାନେ ଋଣ ଶୁଝିବାରେ ଅସୁବିଧା ସାମ୍ନା କରୁଛନ୍ତି ସେମାନଙ୍କୁ ଏହି ସୁବିଧା ଗ୍ରହଣ କରିବାକୁ ଆହ୍ବାନ ଦିଆଯାଇଥିଲା। ଚାପରେ ଥିବା ଗ୍ରାହକଙ୍କ ଋଣ ରାଶିର ପୁନର୍ଗଠନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଏକ ଫ୍ରେମ୍‌ୱର୍କ ଜାରି କରିଛି। ଯେଉଁମା‌ନେ ସମସ୍ୟା ଭୋଗୁଛନ୍ତି ସେମାନେ ସେହି ଫ୍ରେମ୍‌ୱର୍କ ଅନୁସ‌ାରେ ସମାଧାନ ଲାଗି ଆବେଦନ କରିପାରିବେ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର