ଖିଲାପୀଙ୍କ ପାଇଁ ବିଦେଶ ବାଟ ବନ୍ଦ ହେବ

ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କଠାରୁ ଆରମ୍ଭ କରି ନିରବ ମୋଦିଙ୍କ ପର୍ଯ୍ୟନ୍ତ ୩୧ ଜଣ ବ୍ୟବସାୟୀ କୋଟି କୋଟି ଟଙ୍କା ଠକେଇ କରି ଦେଶ ଛାଡ଼ି ପଳାଇଛନ୍ତି। ସେମାନେ ଲଣ୍ଡନ ଓ ସେଣ୍ଟ୍‌ କିଟସ୍‌ ଭଳି ସ୍ଥାନରେ ଆରାମରେ ବସବାସ କରୁଛନ୍ତି। ଏଭଳି ଠକେଇ ଅଭିଯୁକ୍ତକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର ଅନେକ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇନାହାନ୍ତି। କୋଟି କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ଚାଲିଯିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଏହାକୁ ଭଲ ଭାବେ ବୁଝିପାରିଛନ୍ତି ସରକାର। ତେଣୁ ଯେଉଁମାନେ ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ନେଇଛନ୍ତି ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ଯେଉଁମାନଙ୍କୁ ବ୍ୟାଙ୍କଗୁଡ଼ିକ ତରଫରୁ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ଘୋଷଣା କରାଯାଇଛି ସେମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରହିବ। ଏଭଳି ୯୧ ଜଣ ଖିଲାପୀଙ୍କ ତାଲିକା ସରକାର ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ପାଇଁ ବିଦେଶ ବାଟ ବନ୍ଦ କରାଯିବ। ଏହି ତାଲିକାରେ ଥିବା ଲୋକମାନେ ହେଉଛନ୍ତି ବିଭିନ୍ନ କଂପାନିର ମାଲିକ ଏବଂ ନିର୍ଦେଶକ। ସେମାନଙ୍କ କଂପାନି ବ୍ୟାଙ୍କଗୁଡ଼ିକଠାରୁ ବିପୁଳ ଋଣ ନେଇଛନ୍ତି। କିନ୍ତୁ ତାହାକୁ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି। ପଚାଶ କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ନେଇଥିବା ସବୁ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ତଥ୍ୟ ହାସଲ କରିବାକୁ କିଛି ଦିନ ତଳେ ସରକାର ବ୍ୟାଙ୍କଗୁଡ଼ିକୁ କହିଥିଲେ। ଯେଉଁମାନେ ଗ୍ୟାରେଣ୍ଟର ରହିଛନ୍ତି ସେମାନଙ୍କ ପାସପୋର୍ଟ ତଥ୍ୟ ମଧ୍ୟ ହାସଲ କରାଯାଇଛି। ଦେଶରେ ୪୦୦ କଂପାନିକୁ ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ବର୍ଗରେ ସାମିଲ କରାଯାଇଛି। ସେହି କଂପାନିଗୁଡ଼ିକ ମଧ୍ୟରୁ ୯୧ ଜଣ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆଗାମୀ ଦିନରେ ଏହି ତାଲିକା ଆହୁରି ଲମ୍ବା ହେବାର ସମ୍ଭାବନା ରହିଛି। ଆର୍ଥିକ ଅପରାଧ କରି ଦେଶ ଛାଡ଼ି ଚାଲିଥିବା ପଳାତକମାନଙ୍କ ସମ୍ପତ୍ତି ଜବତ କରିବା ପାଇଁ କିଛି ଦିନ ତଳେ ସରକାର ପଳାତକ ଅର୍ଥନୈତିକ ଅପରାଧ ବିଲ୍‌ ସଂସଦରେ ଉପସ୍ଥାପନ କରିଥିଲେ।

ପିଏନ୍‌ବିରେ ପୁଣି ୧୦ କୋଟିର ଠକେଇ
ମୁମ୍ବାଇ: ପିଏନ୍‌ବିର ମୁମ୍ବାଇ ବ୍ରେଡି ହାଉସ୍‌ ଶାଖାରେ ପୁଣି ଏକ ୧୦ କୋଟି ଟଙ୍କାର ଠକେଇ ଧରାପଡ଼ିଛି। ଏଲ୍‌ଓୟୁ ଜରିଆରେ ଏହି ଠକେଇ କରାଯାଇଛି। ଚନ୍ଦ୍ରି ପେପର୍ସ ଆଣ୍ଡ ଆଲାଏଡ୍‌ ପ୍ରଡକ୍ଟସ ନାମକ ଏକ ସଂସ୍ଥା ଦ୍ୱାରା ଠକେଇ କରାଯାଇଛି। ସିବିଆଇ ପକ୍ଷରୁ ଏ ନେଇ ଏକ ମାମଲା ଦାୟର କରାଯାଇଛି। ଏହି ଶାଖାରୁ ନିରବ ମୋଦି ଏଲ୍‌ଓୟୁ ଜରିଆରେ ୧୩ ହଜାର କୋଟି ଟଙ୍କାର ଠକେଇ କରିଥିଲେ।

କୋଠାରି ବାପପୁଅଙ୍କୁ ଜାମିନ ମିଳିଲାନି
ଲକ୍ଷ୍ନୌ: ୩୬୯୬ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ଗିରଫ ହୋଇଥିବା ରୋଟୋମାକ୍‌ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ନିର୍ଦେଶକ ବିକ୍ରମ କୋଠାରି ଓ ତାଙ୍କ ପୁଅ ରାହୁଲ କୋଠାରିଙ୍କୁ ସିବିଆଇ ଅଦାଲତ ନିୟମିତ ଜାମିନ ଦେବାକୁ ମନା କରିଦେଇଛନ୍ତି। ଗତ ୭ ତାରିଖରେ ସିବିଆଇ ଅଦାଲତ ବିକ୍ରମଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମଧ୍ୟ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର