ଦୁର୍ବଳ ଶ୍ରେଣୀର ଲୋକଙ୍କ ଋଣ ଛାଡ଼ ହେବ

ନୂଆଦିଲ୍ଲୀ: ବ୍ୟାଙ୍କ ଠାରୁ ଋଣ ନେଇ ଚିନ୍ତାଗ୍ରସ୍ତ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବୋଝକୁ କେନ୍ଦ୍ର ସରକାର ହାଲୁକା କରିବା ବିଷୟରେ ବିଚାର କରୁଛନ୍ତି। ଏହି ଦୁର୍ବଳ ବର୍ଗର ଗ୍ରାହକଙ୍କୁ ଋଣ ଛାଡ଼ ସୁବିଧା ପ୍ରଦାନ କରାଯିବ। ଏହି ଗ୍ରାହକମାନେ କମ୍ ପରିମାଣର ଋଣ ନେଇଛନ୍ତି, କିନ୍ତୁ ବିଭିନ୍ନ କାରଣ ଯୋଗୁ ତାହାକୁ ପରିଶୋଧ କରିପାରୁନାହାନ୍ତି। ସେଥିଲାଗି ସେମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି।

‌କମ୍ ପରିମାଣର ଋଣ ନେଇଥିବା ଦୁର୍ବଳ ଶ୍ରେଣୀର ଗ୍ରାହକଙ୍କ ଋଣକୁ ‌କିଭଳି ଛାଡ଼ କରାଯାଇପାରିବ ତାହା ଜାଣିବା ଲାଗି ମାଇକ୍ରୋ ଫାଇନାନ୍ସ ଉଦ୍ୟୋଗ ସହିତ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଲୋଚନା କରାଯାଇଛି। କର୍ପୋରେଟ୍ ବ୍ୟାପାର ବିଭାଗର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ, ବ୍ୟକ୍ତିଗତ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାରେ କମ୍ ପରିମାଣର ଋଣ ନେଇଥିବା ଗ୍ରାହକଙ୍କୁ ଋଣ ଛାଡ଼ ସୁବିଧା ମିଳିବ। କେବଳ ଆର୍ଥିକ ଦୁର୍ବଳ ଶ୍ରେଣୀର (ଇଡବ୍ଳୁଏସ) ଅତ୍ୟନ୍ତ ଚିନ୍ତାଗ୍ରସ୍ତ ଥିବା ଗ୍ରାହକଙ୍କ ଋଣ ଛାଡ଼ କରାଯିବ ବୋଲି ସେ କହିଛନ୍ତି। ଇନସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ (ଆଇବିସି)ରେ ରହିଥିବା ‘ନୂତନ ଶୁଭାରମ୍ଭ’ ବ୍ୟବସ୍ଥା ଜରିଆରେ ଏହି ଋଣ ଛାଡ଼ କରାଯିବ। ଯେଉଁମାନେ ଏହି ବ୍ୟବସ୍ଥାର ସୁବିଧା ପାଇବେ ସେମାନଙ୍କୁ ପରବର୍ତି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆଉ ସେହି ସୁବିଧା ମିଳିବ ନାହିଁ। ଯେଉଁମାନଙ୍କ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ କମ୍ ଥିବ ସେମାନେ ଏହି ସୁବିଧା ପାଇବେ।

ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ବକେୟା ଥିବା ଋଣ ରାଶିକୁ କମ୍ କରାଯିବ। ଆସନ୍ତା ଚାରି ପାଞ୍ଚ ବର୍ଷ ଭିତରେ ଏହି ଋଣ ଛାଡ଼ର ପରିମାଣ ୧୦ ହଜାର କୋଟି ଟଙ୍କାରୁ ଅଧିକ ହେବ ନାହିଁ। ଏହି ଋଣ ଛାଡ଼ ଯୋଜନା ଜରିଆରେ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକର ଆର୍ଥିକ କ୍ଷତି ପ୍ରତି ବିଶେଷ ଧ୍ୟାନ ଦିଆଯିବ। ‌କେବଳ ଦୁର୍ଦ୍ଦିନ ଦେଇ ଗତି କରୁଥିବା ଋଣ ଗ୍ରହୀତାଙ୍କୁ ଋଣ ଛାଡ଼ ସୁବିଧା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର