କର୍ଣ୍ଣାଟକ ବ୍ୟାଙ୍କ ଋଣ ହେବ ଡିଜିଟାଲ୍

ସହିଦନଗର ଶାଖାରେ ନୂଆ ଇ-ଲବି ବ୍ୟବସ୍ଥାର ଶୁଭାରମ୍ଭ ପାଇଁ କର୍ଣ୍ଣାଟକ ବ୍ୟାଙ୍କର ଏମ୍‌ଡି ଓ ସିଇଓ ମହାବଳେଶ୍ବର ଭଟ୍ଟ ଭୁବନେଶ୍ବର ଆସିଛନ୍ତି। ଦେଶ‌େର ବ୍ୟାଙ୍କ ଶିଳ୍ପର ସ୍ଥିତି, କର୍ଣ୍ଣାଟକ ବ୍ୟାଙ୍କର କାରବାର ଓ ଭବିଷ୍ୟତ ଯୋଜନା ବିଷୟରେ ସେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:

ଦେଶ ଓ ରାଜ୍ୟରେ କର୍ଣ୍ଣାଟକ ବ୍ୟାଙ୍କର କାରବାର କିଭଳି ରହିଛି?
୨୦୧୮-୧୯ରେ ଦେଶରେ ଆମେ ୧,୨୩,୦୦୦ କୋଟି ଟଙ୍କାର କାରବାର କରିଥିଲୁ। ୨୦୧୯-୨୦ରେ ସେଥିରେ ୧୭% ବୃଦ୍ଧି ହେବ ବୋଲି ଆଶା କରୁଛୁ। ଓଡ଼ିଶାରେ ଆମର ମୋଟ କାରବାର ୧୦୦୦ କୋଟି ଟଙ୍କା ରହିଛି। ସେଥିରେ ଜମାର ଭାଗ ୪୦୦ କୋଟି ଟଙ୍କା ଓ ଅଗ୍ରୀମ ୬୦୦ କୋଟି ଟଙ୍କା ରହିଛି। ରାଜ୍ୟରେ ଆମର ୬ଟି ଶାଖା ଓ ୪ଟି ଏଟିଏମ୍ ରହିଛି। ଚଳିତ ବର୍ଷ ପଟିଆ ଓ ବାଲେଶ୍ବର ଠାରେ ଦୁଇଟି ନୂଆ ଶାଖା ଖୋଲିବାକୁ ଆମେ ଯୋଜନା ରଖିଛୁ। ସାରା ଦେଶରେ ଆମ ବ୍ୟାଙ୍କର ୮୪୩ ଶାଖା ଓ ୧୫୦୦ ପାଖାପାଖି ଏଟିଏମ୍ ରହିଛି।

ଏବେ ସହଜ ବ୍ୟାଙ୍କିଙ୍ଗର ଯୁଗ ଚାଲିଛି। ଏ ଦିଗରେ ବ୍ୟାଙ୍କ କ’ଣ ସବୁ ପଦକ୍ଷେପ ନେଉଛି?
ଡିଜିଟାଲ୍ କାରବାର ଉପରେ ଆମେ ଅଧିକ ଗୁରୁତ୍ବ ଦେଉଛୁ। ବର୍ତ୍ତମାନ ଆମ ବ୍ୟାଙ୍କରେ ଦିନକୁ ଯେତିକି କାରବାର ହେଉଛି ତାହାର ୮୨% ଡିଜିଟାଲ୍ ମାଧ୍ୟମରେ ହେଉଛି। ପ୍ରାୟ ସବୁ ପ୍ରକାର ଋଣକୁ ଆମେ ଡିଜିଟାଲ୍ ମାଧ୍ୟମରେ ଆବଣ୍ଟନ କରିବାକୁ ଚାହୁଛୁ। ସେଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରଥମେ ଗୃହ ଋଣକୁ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରିବୁ। ଆଗାମୀ ୪-୫ ମାସ ଭିତରେ ପର୍ଯ୍ୟାୟକ୍ରମେ ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ଏମ୍ଏସ୍‌ଏମ୍‌ଇ ଋଣକୁ ଡିଜିଟାଲ୍ ମାଧ୍ୟମରେ ପ୍ରଦାନ କରିବୁ।

ସରକାରୀ ବ୍ୟାଙ୍କଗୁଡ଼ିକ ଏନ୍‌ପିଏ ଓ ପୁଞ୍ଜି ସମସ୍ୟା ଦେଇ ଗତି କରୁଛନ୍ତି। ପୁଞ୍ଜିକୁ ନେଇ କର୍ଣ୍ଣାଟକ ବ୍ୟାଙ୍କ କେତେ ସ୍ବଚ୍ଛଳ?
ଆମର ପୁଞ୍ଜି ସ୍ବଚ୍ଛଳତା ହାର (ସିଏଆର୍‌) ୧୨.୭୦% ରହିଛି ଯାହା ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସୀମା ଠାରୁ ଯଥେଷ୍ଟ ଅଧିକ। ପ୍ରତି ଦୁଇ ବର୍ଷରେ ଆମକୁ ନୂତନ ପୁଞ୍ଜି ଦରକାର। ୨୦୧୮-୧୯ରେ ଆମେ ବଣ୍ଡ୍‌ ଜାରି କରି ୭୪୦ କୋଟି ଟଙ୍କା ହାସଲ କରିଥିଲୁ। ନୂତନ ପୁଞ୍ଜି ପାଇଁ ବୋର୍ଡରେ କୌଣସି ନିଷ୍ପତ୍ତି ହୋଇନାହିଁ। ଭବିଷ୍ୟତରେ କିନ୍ତୁ ଇକ୍ବିଟି ସେୟାର ଜାରି କରି ପୁଞ୍ଜି ବଜାରରୁ ପାଣ୍ଠି ହାସଲ କରିବାକୁ ଆମର ଯୋଜନା ରହିଛି। ଗତ ଥର ତୁଳନାରେ ଏଥର ଅଧିକ ପୁଞ୍ଜି ଉଠାଇବୁ। ଚାରି ଅଙ୍କ ବିଶିଷ୍ଟ ସଂଖ୍ୟାର ପୁଞ୍ଜି ହାସଲ କରାଯିବ।

ନୂଆ କ୍ଷେତ୍ରରେ ପ୍ରବେଶ କରିବାର କିଛି ଯୋଜନା ଅଛି କି?
ଆମେ ନିଜର ଏକ ୧୦୦% ସହଯୋଗୀ ସଂସ୍ଥା ଖୋଲିବୁ। ବ୍ୟାଙ୍କର ସମସ୍ତ ଅଣ-ଆର୍ଥିକ କାର୍ଯ୍ୟ ଯଥା କଲ୍‌ ସେଣ୍ଟର୍‌, ସେଲ୍‌ସ (ବିକ୍ରି) ଓ କଲେକ୍ସନ ଆଦି କାର୍ଯ୍ୟ ଏହି ସଂସ୍ଥା କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଥିପାଇଁ ନୀତିଗତ ମଞ୍ଜୁରି ମିଳିସାରିଛି। ଆର୍ଟିକିଲ୍‌ ଅଫ୍ ଆସୋସିଏସନ୍ ଓ ଅନ୍ୟ କିଛି କାମ ବାକି ରହିଛି। ଆଗାମୀ ୩-୬ ମାସ ଭିତରେ ଏହି ସବୁ କାର୍ଯ୍ୟ ଶେଷ ହୋଇଯିବ ଏବଂ କଂପାନି କାର୍ଯ୍ୟକ୍ଷମ ହେବ। ଏହି ସଂସ୍ଥା ଖୋଲିବା ପାଇଁ ୨୫ କୋଟି ଟଙ୍କା ଖର୍ଚ ହେବ।

ବ୍ୟାଙ୍କ ଶିଳ୍ପରେ ଅନେକ ମିଶ୍ରଣ ଓ ଅଧିଗ୍ରହଣ ଦେଖିବାକୁ ମିଳୁଛି। କର୍ଣ୍ଣାଟକ ବ୍ୟାଙ୍କ ଏହାକୁ କିଭଳି ଦେଖୁଛି?
ମିଶ୍ରଣ ପ୍ରକ୍ରିୟା ସରକାରୀ ବ୍ୟାଙ୍କରେ ଚାଲିଛି। ଦୁର୍ବଳ ବ୍ୟାଙ୍କଗୁଡ଼ିକୁ ସବଳ ବ୍ୟାଙ୍କ ସହ ମିଶାଇ ଦିଆଯାଉଛି। ଯଦି କୌଣସି ଦୁର୍ବଳ ବ୍ୟାଙ୍କ ଆମ ସହିତ ମିଶିବାକୁ ଚାହିବ ତେବେ ସେ ପ୍ରସ୍ତାବ ଉପରେ ଆମେ ବିଚାର କରିପାରିବୁ। କିନ୍ତୁ ବଡ଼ କଥା ହେଉଛି ଆମ ଦେଶର ଘରୋଇ କ୍ଷେତ୍ରରେ କାରବାର କରୁଥିବା କୌଣସି ବ୍ୟାଙ୍କ ଦୁର୍ବଳ ନାହାନ୍ତି।

ଦେଶର ଅର୍ଥନୀତିକୁ ନେଇ ଆପଣଙ୍କ ମତ କ’ଣ? ରିଜର୍ଭ ବ୍ୟାଙ୍କ ଅଗଷ୍ଟରେ ସୁଧ କମାଇବ ନା ନାହିଁ?
ସରକାରୀ ପ୍ରତିଭୂତି, ମୁଦ୍ରାସ୍ଫୀତି ପରିଚାଳନା, ତେଲ ଦର ଓ ଡଲାର ମୂଲ୍ୟ ସବୁ କିଛି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଯଦି ଏହି ସ୍ଥିତି ବଜାୟ ରହିବ ତେବେ ଅଗଷ୍ଟରେ ମୁଦ୍ରାନୀତି ସମୀକ୍ଷା କରିବା ବେଳେ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ୦.୨୫%ରୁ ୦.୫୦% ହ୍ରାସ କରିପାରିବ। ମାତ୍ର ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ଘଟଣା ଯେଉଁଭଳି ଭାବେ ଘଟୁଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ସୁଧକୁ ନେଇ ଏବେଠାରୁ ଯାହା ବି କିଛି ଆକଳନ କରାଯିବ ତାହା ଭୁଲ ହେବ।
-ପ୍ରଭାତ ପଟ୍ଟନାୟକ

ସମ୍ବନ୍ଧିତ ଖବର