୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଆଦାୟ ହେଉଥିବା ଅତିରିକ୍ତ ସୁଧ ଛାଡ଼ କଲେ କେନ୍ଦ୍ର ସରକାର, ଯେଉଁମାନେ ସୁଧ ଦେଇଛନ୍ତି ସେମାନେ କ୍ୟାସବ୍ୟାକ ପାଇବେ

ନୂଆଦିଲ୍ଲୀ: କରୋନା ଯୋଗୁଁ ଚାପରେ ଥିବା ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର ଏକ ଆଶ୍ବସ୍ତି ଆଣିଦେଇଛନ୍ତି । ଶୁକ୍ରବାର ରାତିରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ଲାଗୁ କରାଯାଉଥିବା ଅତିରିକ୍ତ ସୁଧକୁ ଛାଡ଼ କରାଯାଇଛି । ସଂପୃକ୍ତ ଋଣ ଗ୍ରହୀତା କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ମୋରାଟୋରିଅମର ସୁବିଧା ନେଇ ନଥିଲେ ମଧ୍ୟ ଏହି ସୁଧଛାଡ଼ ଘୋଷଣାର ଲାଭ ଉଠାଇପାରିବେ ।  ଯେଉଁମାନେ ଏହି ଅତିରିକ୍ତ ସୁଧ ଦେଇଛନ୍ତି ସେମାନେ କ୍ୟାସବ୍ୟାକ ମାଧ୍ୟମରେ ତାହାକୁ ପାଇପାରିବେ ।

କିଛି ଦିନ ତଳେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଆଧାରରେ ଏହି ସୁଧ ଛାଡ଼ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ବାରା ସରକାରଙ୍କ ଉପରେ ଅତିରିକ୍ତ ୬୫୦୦ କୋଟିର ବ୍ୟୟଭାର ପଡ଼ିବ । ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଋଣ କରିଥିବା ଗ୍ରାହକମାନେ ଏହାର ଫାଇଦା ଉଠାଇପାରିବେ ।

ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ସ୍କିମ ଉପରେ ଲାଗୁ ସୁଧକୁ ଛାଡ଼ କରିବାକୁ ନିର୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଲକଡାଉନ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ କିସ୍ତି ଛାଡ଼ ସମୟ ବା ମୋରାଟୋରିୟମ ଘୋଷଣା କରାଯାଇଥିଲା । ଏହି ସମୟରେ ଋଣ କରିଥିବା ଲୋକମାନଙ୍କୁ ନିଜର ମାସିକ ଋଣ କିସ୍ତି ଦେବାକୁ ପଡୁନଥିଲା  ।  କିନ୍ତୁ ଏହି ମୋରାଟୋରିୟମ ସମୟରେ ଋଣ ସୁଧ ଉପରେ ବ୍ୟାଙ୍କମାନେ ଅତିରିକ୍ତ ସୁଧ ଆଦାୟ କରୁଥିଲେ ।

ସମ୍ବନ୍ଧିତ ଖବର