କଟକରେ ଜୟଆଲୁକ୍କାସର ନୂଆ ସୋ’ରୁମ୍ ବୁଧବାର ଖୋଲିଛି। କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥୋମାସ୍ ମାଥ୍ୟୁ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ‘ସମ୍ବାଦ’କୁ ସେ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର...
ଭାରତୀୟ ସୁନା ବଜାର କେତେ ବଡ଼?
ଭାରତରେ ସୁନାର ଖୁଚୁରା ବିକ୍ରୟ ବଜାର ୮୦୦୦ କୋଟି ଡଲାର ଆକଳନ କରାଯାଇଛି। ବାର୍ଷିକ ୧୫-୨୦ ପ୍ରତିଶତ ହାରରେ ତାହା ବୃଦ୍ଧି ପାଇଛି। ଗତ ଶହେ ବର୍ଷ ଭିତରେ ସୁନା ଦର ବର୍ଷେ କିମ୍ବା ଦୁଇ ବର୍ଷକୁ ବାଦ୍ ଦେଲେ ଲଗାତାର ଭାବେ ବଢ଼ିଛି। ଓଡ଼ିଶା ବଜାର ମଧ୍ୟ ଉଲ୍ଲେଖନୀୟ ଗତିରେ ଆଗକୁ ବଢ଼ୁଥିବା ବେଳେ ଜାତୀୟ ବଜାର ପ୍ରତି ଯୋଗଦାନ ଜାରି ରଖିଛି।
ଓଡ଼ିଶାକୁ କାହିଁକି ଏତେ ଜାତୀୟ ବ୍ରାଣ୍ଡ୍ର ଜୁଏଲର୍ସ ଆସୁଛନ୍ତି?
ଏହା କେବଳ ଓଡ଼ିଶାରେ ଘଟୁନାହିଁ। ସାରା ଦେଶରେ ସଂଗଠିତ ବ୍ରାଣ୍ଡ୍ର ଉପସ୍ଥିତି ବଢ଼ୁଛି। ପାଞ୍ଚ ବର୍ଷ ପୂର୍ବେ ଦେଶର ୯୦ ପ୍ରତିଶତ ଗହଣା ସୋ’ରୁମ୍ ଅଣସଂଗଠିତ ବର୍ଗରେ ଥିଲା। ମାତ୍ର ୧୦ ପ୍ରତିଶତ ସଂଗଠିତ ବଜାର ଅଧୀନରେ ଥିଲା। ବର୍ତ୍ତମାନ ସଂଗଠିତ କ୍ଷେତ୍ରର ଭାଗ ୪୫ ପ୍ରତିଶତକୁ ବୃଦ୍ଧି ପାଇଛି। ସେଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍ଗୁଡ଼ିକୁ ଅଧିକ ଦେଖିବାକୁ ମିଳୁଛି। ଆସନ୍ତା ତିନି ବର୍ଷରେ ସଂଗଠିତ କ୍ଷେତ୍ରର ଭାଗ ୬୫ ପ୍ରତିଶତକୁ ବୃଦ୍ଧି ପାଇବ।
ବ୍ରାଣ୍ଡ୍ଗୁଡ଼ିକର ଭିଡ଼ ଭିତରେ ଜୟଆଲୁକ୍କାସର ସ୍ବତନ୍ତ୍ର ପରିଚୟ କ’ଣ?
ଆମେ ଜୟଆଲୁକ୍କାସକୁ କହୁଛୁ ‘ଗ୍ଲୋକାଲ୍ (ଗ୍ଲୋବାଲ୍+ଲୋକାଲ୍) ଜୁଏଲର୍ସ’। ବିଶ୍ବସ୍ତରୀୟ ଓ ସ୍ଥାନୀୟ ଭାବର ମିଶ୍ରଣରେ ଏହି ଶବ୍ଦ ପ୍ରସ୍ତୁତ କରାଯାଇଛି। ଆମେ ଭାରତ ସମେତ ବିଶ୍ବର ୧୧ଟି ଦେଶରେ ବ୍ୟବସାୟ କରୁଛୁ। ତେଣୁ ଆମ ପାଖରେ ବିଶ୍ବସ୍ତରୀୟ ଅଭିଜ୍ଞତା ରହିଛି। ଭାରତ ବ୍ୟତୀତ ଆମେରିକା, ବ୍ରିଟେନ, ସିଙ୍ଗାପୁର, ମାଲେସିଆ ଓ ମଧ୍ୟପ୍ରାଚ୍ୟର ୭ଟି ଦେଶରେ ଆମ ସୋ’ରୁମ୍ ରହିଛି। କଟକରେ ଖୋଲାଯାଇଥିବା ସୋ’ରୁମ୍ ହେଉଛି ସମଗ୍ର ବିଶ୍ବରେ ଆମର ୧୭୫ତମ ଓ ଭାରତରେ ୧୦୫ତମ ଷ୍ଟୋର୍।
ନିଜ ଉପସ୍ଥିତି ବଢ଼ାଇବା ନେଇ କ’ଣ ଯୋଜନା ରହିଛି?
ଆମର ବର୍ତ୍ତମାନ ରଣନୀତି ଅନୁସାରେ ଆମେ ପ୍ରତିବର୍ଷ ୧୭-୨୦ଟି ଲେଖାଏଁ ନୂଆ ଷ୍ଟୋର୍ ଖୋଲୁଛୁ। ବ୍ୟବସାୟ ସମ୍ଭାବନା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପରେ ସେଠାରେ ଷ୍ଟୋର୍ ସ୍ଥାପନ କରାଯାଉଛି। ଆମ ଭୁବନେଶ୍ବର ଷ୍ଟୋର୍ ବହୁତ ଭଲ ବ୍ୟବସାୟ କରିବା ପରେ ଆମେ କଟକରେ ନୂଆ ଷ୍ଟୋର୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲୁ।
ଷ୍ଟୋର୍ରେ କିଭଳି ଷ୍ଟକ୍ ରହିଛି?
ସାଧାରଣତଃ ପ୍ରତି ଷ୍ଟୋର୍ରେ ୭୦ ପ୍ରତିଶତ ସୁନା ଓ ୩୦ ପ୍ରତିଶତ ହୀରା ଅଳଙ୍କାର ରଖାଯାଉଛି। କଟକ ଷ୍ଟୋର୍ରେ ୧୩୦ କିଲୋଗ୍ରାମର ସୁନା ଏବଂ ୪୫ କୋଟି ଟଙ୍କାର ହୀରା ଅଳଙ୍କାର ରହିଛି। ଗ୍ରାହକମାନଙ୍କ ଲାଗି ରୁପା ଅଳଙ୍କାର ମଧ୍ୟ ରଖାଯାଇଛି।
୨ ବର୍ଷରେ ଆସିବ ଆଇପିଓ ପ୍ରତିବର୍ଷ ୨୦ ନୂଆ ସୋ’ରୁମ୍
କେଉଁଠାରେ ଗହଣା ସଂଗ୍ରହ କରାଯାଉଛି?
ଆମର ୧୦ଟି ପ୍ରକ୍ୟୁରମେଣ୍ଟ କେନ୍ଦ୍ର ରହିଛି। ବିଭିନ୍ନ ଷ୍ଟୋର୍ ଲାଗି ସ୍ଥାନୀୟ କାରିଗରଙ୍କଠାରୁ ମଧ୍ୟ ଗହଣା ସଂଗ୍ରହ କରାଯାଉଛି। ଜାଭେରି ବଜାର, କୋଲକାତା ଆଦି ସ୍ଥାନରୁ ମଧ୍ୟ ଗହଣା ଅଣାଯାଉଛି। ଫଳରେ ଆମ ସୋ’ରୁମ୍ରେ ଥିବା ଅଳଙ୍କାରରେ ଅନ୍ୟମାନଙ୍କ ତୁଳନାରେ ବିବିଧତା ରହିଛି।
ଦରବୃଦ୍ଧି ବଜାରକୁ କିଭଳି ପ୍ରଭାବିତ କରିବ?
ସୁନାର ସବୁଠୁ ବଡ଼ ଗୁଣ ହେଉଛି ଏହାର ମୂଲ୍ୟକୁ କେହି ଆକଳନ କରିପାରିବେ ନାହିଁ। ଏହାର ଚାହିଦା ସଦାସର୍ବଦା ରହିବ। ସାରା ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣୁଛନ୍ତି। ଭାରତୀୟ ମହିଳାଙ୍କ ପାଖରେ ଯେତିକି ସୁନା ଅଛି, ତାହା ୧୦ଟି ଦେଶରେ ମିଳିତ ଭାବେ ଥିବା ସୁନାଠାରୁ ଅଧିକ। ସୁନା ସହିତ ଆମର ପାରମ୍ପରିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ତେଣୁ ଏହାର ଚାହିଦା ସବୁବେଳେ ରହିବ।
ସୋ’ରୁମ୍ ସମ୍ପ୍ରସାରଣ ଲାଗି ପାଣ୍ଠି କେଉଁଠୁ ଆସୁଛି?
ଆମ କମ୍ପାନି ମୁଖ୍ୟତଃ ନିଜସ୍ବ ଉଦ୍ୟମ ଓ ବ୍ୟାଙ୍କ ଋଣ ଜରିଆରେ ପାଣ୍ଠି ଆବଶ୍ୟକତା ପୂରଣ କରୁଛି। ଗୋଟିଏ ସୋ’ରୁମ୍ ଖୋଲିବା ଲାଗି ହାରାହାରି ଭାବେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ବର୍ଷକୁ କେବଳ ସୋ’ରୁମ୍ ଖୋଲିବାରେ ପ୍ରାୟ ୫୦୦୦ କୋଟି ଟଙ୍କା ନିବେଶ କରାଯାଉଛି। ଆସନ୍ତା ୨ ବର୍ଷ ଭିତରେ ଆମେ ନିଜର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଆଣିବାକୁ ଯୋଜନା ରଖିଛୁ। ସେଥିରୁ ମିଳିବାକୁ ଥିବା ପାଣ୍ଠିରେ ଆମେ ପ୍ରତିବର୍ଷ ୫୦ଟି ଲେଖାଏଁ ସୋ’ରୁମ୍ ଖୋଲିବାକୁ ଯୋଜନା ରଖିଛୁ।
ଜୟଆଲୁକ୍କାସରେ କେଉଁ ପ୍ରକାର ସୁନା ଅଧିକ ବିକ୍ରି ହେଉଛି?
ଆମ ସୋ’ରୁମ୍ଗୁଡ଼ିକରେ ହାରାହାରି ଭାବେ ୬୦ ପ୍ରତିଶତ ବିବାହ ଅଳଙ୍କାର ବିକ୍ରି ହେଉଥିବା ବେଳେ ୪୦ ପ୍ରତିଶତ ହେଉଛି ନିତିଦିନିଆ ବ୍ୟବହାର କରାଯାଉଥିବା ଅଳଙ୍କାର। ବିବାହ ଅଳଙ୍କାରରେ ଗ୍ରାହକ ପିଛା ହାରାହାରି ୨ ଲକ୍ଷ ଟଙ୍କା ଏବଂ ନିତିଦିନିଆ ଅଳଙ୍କାରରେ ୧୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା ବିକ୍ରି ହୋଇଥାଏ।
କାରଖାନା ସ୍ଥାପନ କରିବା ଯୋଜନା ଅଛି କି?
ଆମେ ଗହଣା ସଂଗ୍ରହ ଉପରେ ଅଧିକ ଧ୍ୟାନ ଦେଉଛୁ। କାରଖାନା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ବିଚାର କରାଯାଉନାହିଁ। କାରଖାନାରେ ଉତ୍ପାଦନ ଏଭଳି ଏକ ଢାଞ୍ଚା ଯେଉଁଥିରେ ନିର୍ଦ୍ଦିଷ୍ଟ କିଛି ଡିଜାଇନ୍ ଭିତରେ ବାନ୍ଧି ହୋଇଯିବାର ଆଶଙ୍କା ରହିଛି। ନୂଆ ଧାରା ସହ ତାଳ ଦେଇ ଆଗକୁ ବଢ଼ିବାକୁ ହେଲେ ଡିଜାଇନରେ ପରିବର୍ତ୍ତନ ଓ ନବସୃଜନ ଆବଶ୍ୟକ। ସେଥିପାଇଁ କାରଖାନାର ପ୍ରଯୁକ୍ତି, ମେସିନ୍ ଓ ଶ୍ରମଶକ୍ତିର ଦକ୍ଷତା ଆଦିକୁ ନିୟମିତ ବ୍ୟବଧାନରେ ବଦଳାଇବାକୁ ହେବ। ସେଥିପାଇଁ ବିପୁଳ ପୁଞ୍ଜିନିବେଶ ମଧ୍ୟ ଆବଶ୍ୟକ।
ଜୟଆଲୁକ୍କାସର ବ୍ୟବସାୟ କିଭଳି ରହିଛି?
୨୦୨୪-୨୫ ଆର୍ଥିକ ବର୍ଷରେ ଆମର ମୋଟ ରାଜସ୍ବ ୩୦,୦୦୦ କୋଟି ଟଙ୍କା ଥିଲା। ସେଥିରୁ ଭାରତୀୟ କାରବାରୁ ୨୦ ହଜାର କୋଟି ଟଙ୍କା ଏବଂ ଅନ୍ୟ ବିଶ୍ବସ୍ତରୀୟ ବଜାରରୁ ୧୦ ହଜାର କୋଟି ଟଙ୍କାର ରାଜସ୍ବ ମିଳିଥିଲା। ଖୁବ୍ଶୀଘ୍ର ଆମେ ଅଷ୍ଟ୍ରେଲିଆ ଓ କାନାଡାରେ ସୋ’ରୁମ୍ ଖୋଲିବାକୁ ଯାଉଛି। ତାହା ଆମ ବିଶ୍ବସ୍ତରୀୟ ବ୍ୟବସାୟକୁ ଆହୁରି ବଢ଼ାଇବ।