ଭୁବନେଶ୍ବର: ଓଡ଼ିଶା ପାଇଁ ରାଜ୍ୟରେ ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଶୁକ୍ରବାର ଗୋଟିଏ ଦିନରେ ଏକାଥରେ ୧୫ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଏ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ସରକାର ବାଧ୍ୟ ହୋଇ ଗତକାଲି ଭୁବନେଶ୍ବର, କଟକ ଏବଂ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଗତ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ଏହା ପରେ ୨୫ ତାରିଖରୁ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ କାର୍ଯ୍ୟକାରୀ ହୋଇଛି। ଲକ୍ଡାଉନ୍କୁ ଇତିମଧ୍ୟରେ ୧୧ ଦିନ ବିତିଛି। ଏହାର ପ୍ରଭାବ ଓଡ଼ିଶା ଅର୍ଥନୀତି ଉପରେ ଗୁରୁତର ମାତ୍ରାରେ ପଡ଼ିଛି।
ବିଶେଷଜ୍ଞଙ୍କ କହିବାନୁଯାୟୀ, ଲକ୍ଡାଉନ୍ ପାଇଁ ଓଡ଼ିଶାରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ଉତ୍ପାଦନ ଏବଂ ବିକ୍ରି ପ୍ରଭାବିତ ହେବ। ଓଡ଼ିଶାରେ ପ୍ରତିମାସରେ ଆଦାୟ ହେଉଥିବା ଜିଏସ୍ଟିକୁ ବିଚାରକୁ ନେଇ ବମାନେ ଏହି ଆକଳନ କରିଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଓଡ଼ିଶା ସରକାର ପ୍ରତିମାସରେ ପାଖାପାଖି ୫ ହଜାର କୋଟି ଟଙ୍କାର ଜିଏସ୍ଟି ଆଦାୟ କରୁଛନ୍ତି। ତେଣୁ ୨୧ ଦିନରେ ପ୍ରାୟ ୩୭୦୦ କୋଟି ଟଙ୍କା ଆଦାୟ କରିଥାନ୍ତେ। କିନ୍ତୁ ଏବେ ରାଜ୍ୟରେ ପ୍ରାୟ ଅଧିକାଂଶ କଳ କାରାଖାନାରେ ଉତ୍ପାଦନ ଠାରୁ ଆରମ୍ଭ କରି ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ତେଣୁ କଳ କାରଖାନାରୁ ଉତ୍ପାଦିତ ସାମଗ୍ରୀରୁ ଯଦି ହାରାହାରି ୧୮ ପ୍ରତିଶତ ହାରରେ ଜିଏସ୍ଟି ଆଦାୟ କରାଯାଉଛି ବୋଲି ଧରି ନିଆଯାଏ ତାହେଲେ ଏହି ଲକ୍ଡାଉନ୍ ଅବଧିରେ ରାଜ୍ୟକୁ ପ୍ରାୟ ୨୦ ହଜାରରୁ ୨୫ ହଜାର କୋଟି ଟଙ୍କାର ଉତ୍ପାଦନ ଜନିତ କ୍ଷତି ହୋଇପାରେ ବୋଲି ଉତ୍କଳ ବାଣିଜ୍ୟ ଏବଂ ଶିଳ୍ପ ସଂଘ (ୟୁସିସିଆଇ) ସଭାପତି ରମେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ସେହିଭଳି ସବୁ ଜିନିଷ ଓଡ଼ିଶାରେ ଉତ୍ପାଦନ ହୋଇ ନଥାଏ। ଓଡ଼ିଶା ଏକ ଖାଉଟିଭିତ୍ତିକ ରାଜ୍ୟ। ଅନେକ ଜିନିଷ ବାହାରୁ ଉତ୍ପାଦିତ ହୋଇ ଓଡ଼ିଶାରେ ବିକ୍ରି ହୋଇଥାଏ। ଗାଡ଼ି ଠାରୁ ଆରମ୍ଭ କରି ଘଣ୍ଟା ଏବଂ ଗହଣା ଆଦି ଅନେକ ବିଳାସପୂର୍ଣ୍ଣ ସାମଗ୍ରୀର ବିକ୍ରି ବହୁମାତ୍ରାରେ ଆମ ରାଜ୍ୟରେ ହୋଇଥାଏ।
ପୂର୍ବ ବିକ୍ରିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ ଲକ୍ଡାଉନ୍ ଅବଧିରେ ବାହାର ରାଜ୍ୟରୁ ଉତ୍ପାଦିତ ହୋଇ ଆସୁଥିବା ପ୍ରାୟ ୨୦ ହଜାରରୁ ୨୫ ହଜାର କୋଟି ଟଙ୍କାର ସାମଗ୍ରୀର ବିକ୍ରି ଓଡ଼ିଶାରେ ବନ୍ଦ ରହିବ। ତେଣୁ ଓଡ଼ିଶାର ନିଜସ୍ବ ଉତ୍ପାଦନ ଏବଂ ବାହାର ରାଜ୍ୟରୁ ଉତ୍ପାଦିତ ହୋଇ ରାଜ୍ୟ ବଜାରରେ ବିକ୍ରି ହେଉଥିବା ସାମଗ୍ରୀକୁ ମିଶାଇଲେ ଲକ୍ଡାଉନ୍ ଅବଧିରେ ଓଡ଼ିଶାରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯିବ ବୋଲି ସେ ମତ ଦେଇଛନ୍ତି।