ଜେଟ୍‌ରେ ତାଲା ପଡ଼ିବ: ବ୍ୟାଙ୍କରୁ ମିଳିଲାନି ପାଣ୍ଠି, ଉଡ଼ୁଛି ମାତ୍ର ୫ଟି ବିମାନ

ମୁମ୍ବାଇ: ବିଜୟ ମାଲ୍ୟାଙ୍କ କିଙ୍ଗଫିସର୍‌ ଏୟାରଲାଇନ୍ସ ଭଳି ଜେଟ୍‌ ଏୟାରୱେଜ୍ ମଧ୍ୟ ବନ୍ଦ ହୋଇଯିବ। ‌କଂପାନିକୁ ବଞ୍ଚାଇବାର ସବୁ ପ୍ରକାର ପ୍ରୟାସ ବିଫଳ ହୋଇଛି। ଏବେ କଂପାନି କତୃର୍ପକ୍ଷ ଶେଷ ପ୍ରୟାସ ଆରମ୍ଭ କରିଛନ୍ତି। ତାହା ମଧ୍ୟ ସଫଳ ହେବାର କୌଣସି ସମ୍ଭାବନା ନାହିଁ। ବ୍ୟାଙ୍କଗୁଡ଼ିକ କଂପାନିକୁ ଋଣ ଦେବା ନେଇ ନିଷ୍ପତ୍ତି ‌ନେଇପାରୁନଥିବାରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି।
ଗ‌ୋଟିଏ ପଟେ କଂପାନି ପାଇଁ ପାଣ୍ଠି ଯୋଗାଡ଼ ହୋଇପାରୁନଥିବା ବେଳେ ଅନ୍ୟ ପଟେ ଏହାର ଅଂଶଧନକୁ ମଧ୍ୟ ବିକ୍ରି କରିବାକୁ ଠିକ୍ ଗ୍ରାହକ ମିଳୁନାହାନ୍ତି। ଦୁଇ ସମ୍ଭାବ୍ୟ ଗ୍ରାହକ ଏତିହାଦ୍ ଓ ଟିପିଜି କ୍ୟାପିଟାଲ୍ ଚେତାବନୀ ଦେବା ପରେ ବିଡ୍‌ ଦାଖଲ ପ୍ରକ୍ରିୟାରୁ କଂପାନିର ପ୍ରତି‌ଷ୍ଠାତା ନରେଶ ଗୋୟଲ ଓହରିଯାଇଛନ୍ତି। ଜେଟ୍‌କୁ କିଣିବାକୁ ନରେଶ ଅନ୍ୟ ଦୁଇଟି ସଂସ୍ଥା ସହ ମିଶି ବିଡ୍ ଦାଖଲ କରିବାକୁ ଚାହୁଥିଲେ।
ବ୍ୟାଙ୍କ ଠାରୁ ଟଙ୍କା ମିଳିବ ନାହିଁ ବୋଲି ଜାଣିବା ପରେ କଂପାନିକୁ କିଛି ଦିନ ବନ୍ଦ କରିଦେବା ପାଇଁ ଏହାର ପରିଚାଳନା କର୍ତୃପକ୍ଷ ବୋର୍ଡକୁ ପ୍ରସ୍ତାବ ଦେଇଛନ୍ତି। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ପାଖରେ ଏବେ ମାତ୍ର ୫ଟି ବିମାନ ରହିଛି। ଏହି ସବୁ ବିମାନରେ ତେଲ ପକାଇବା ପାଇଁ ମଧ୍ୟ କଂପାନି ପାଖରେ ଟଙ୍କା ନାହିଁ। କଂପାନିର ସିଇଓ ବିନୟ ଦୁବେ କହିଛନ୍ତି ଯେ, କଂପାନିକୁ ଚାଲୁ ରଖିବା ପାଇଁ ଆଦୌଁ ପାଣ୍ଠି ନାହିଁ। ଆମେ ବ୍ୟାଙ୍କଗୁଡ଼ିକୁ ତୁରନ୍ତ ୪୦୦ କୋଟି ଟଙ୍କା ଦେବାକୁ କହିଛୁ। ସେମାନେ ପାଣ୍ଠି ଦେବେ ବୋଲି କୌଣସି ପ୍ରତିଶ୍ରୁତି ଦେଉନାହାନ୍ତି। ଏଭଳି ପରିସ୍ଥିତିରେ କଂପାନିରେ ତାଲା ପକାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ବୋର୍ଡ ବୈଠକରେ ଉପସ୍ଥିତ ଜଣେ ସଦସ୍ୟ କହିଛନ୍ତି ଯେ, ଜେଟ୍ ଏହାର ଗ୍ରାହକମାନଙ୍କୁ ଠକିବାକୁ କିମ୍ବା ଭ୍ରମରେ ରଖିବାକୁ ଚାହେଁନାହିଁ। କଂପାନି ଏବେବି ଉଡ଼ିବା ପରିସ୍ଥିତିରେ ରହିଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି ସେ କହିଛନ୍ତି।
ଜେଟ୍‌କୁ କିଣିବା ଦୌଡ଼ରୁ ନରେଶ ‌ଓହରିଯିବା ପରେ ଏବେ ଏତିହାଦ୍, ଟିପିଜି, ଇଣ୍ଡିଗୋ କ୍ୟାପିଟାଲ୍ ଓ ଏନ୍‌ଆଇଆଇଏଫ୍ ମଧ୍ୟରେ ଲଢ଼େଇ ହେବ। ଯେଉଁ ସଂସ୍ଥା ଲୋଭନୀୟ ବିଡ୍ ଦାଖଲ କରିଥିବ ଜେଟ୍‌ ତାହାକୁ ମିଳିବ।
ଜେଟ୍‌କୁ ୧୫୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବାକୁ ଗତ ମାର୍ଚ ୨୫ରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଜେଟ୍ ଏବେ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ବାଧୀନ ଥିବା ୨୬ଟି ବ୍ୟାଙ୍କର ମାଲିକାନାରେ ରହିଛି। ତେବେ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ଦେବା ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। ଗତକାଲି ଏବଂ ଆଜି ଦୁଇ ଦିନ ଧରି କଂପାନି ଅଧିକାରୀ ଏବଂ ବ୍ୟାଙ୍କର ପ୍ରତିନିଧି ମଧ୍ୟରେ ପାଣ୍ଠିକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ତାହାର କୌଣସି ସକାରାତ୍ମକ ଫଳାଫଳ ବାହାରିଲା ନାହିଁ। ଅନେକ ବ୍ୟାଙ୍କ ଜେଟ୍‌କୁ ଟଙ୍କା ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।
ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜେଟ୍ ସ୍ଥିତିର ସମୀକ୍ଷା କରାଯାଇଛି। ବିଭାଗୀୟ ସଚିବ ପ୍ରଦୀପ ସିଂହ ଖରୋଲା କହିଛନ୍ତି ଯେ, ଜେଟ୍‌ ପାଖରେ ଏବେ ମାତ୍ର ୫ଟି ବିମାନ ରହିଛି। ବ୍ୟାଙ୍କ ଠାରୁ ଋଣ ହାସଲ କରିବାକୁ କଂପାନି ଉଦ୍ୟମ ଜାରି ରଖିଥିବା କଥା ସରକାରଙ୍କୁ ଜଣାଇଛି। ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ କଂପାନି ଏହାର ସମସ୍ତ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ କରିଦେଇଛି। ଆଜି ‌ବ୍ୟାଙ୍କର ପ୍ରତିନିଧିମାନେ ଆର୍ଥିକ ସେବା ସଚିବ ରାଜୀବ କୁମାରଙ୍କୁ ଭେଟି ଜେଟ୍‌ ସ୍ଥିତି ବି‌ଷୟରେ ଆଲୋଚନା କରିଛନ୍ତି। ଜେଟ୍‌ ସ୍ଥିତିକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ମଧ୍ୟ ଦୈନିକ ଭିତ୍ତିରେ ଜେଟ୍ ସ୍ଥିତି ଉପରେ ନଜର ରଖିଛି।

କର୍ମଚାରୀ ହତାଶ
ନୂଆଦିଲ୍ଲୀ,: ଜେଟ୍‌ର ସ୍ଥିତିକୁ ନେଇ କର୍ମଚାରୀମାନେ ହତାଶ ହୋଇପଡ଼ିଛନ୍ତି। କଂପାନି ଆଉ ବଞ୍ଚିବ ନାହିଁ। ଏଭଳି ଧାରଣା ସେମାନଙ୍କ ମନରେ ସୃଷ୍ଟି ହେଲାଣି। ମାସ ମାସ ଧରି ଦରମା ପାଇନଥିବାରୁ କର୍ମଚାରୀଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ସେମାନେ ପିଲାଙ୍କ ସ୍କୁଲ ଫି’ ଦେଇପାରୁନାହାନ୍ତି। ଋଣ କିସ୍ତି ପଇଠ କରିପାରୁନାହାନ୍ତି। ଜେଟ୍‌ରେ ୧୪ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି। କଂପାନି ପାଇଁ ୬୦୦୦ ଚୁକ୍ତି ଭିତ୍ତିକ କର୍ମଚାରୀ ମଧ୍ୟ କାମ କରନ୍ତି। ମୋଟ ଉପରେ ୨୦ ହଜାର ଲୋକଙ୍କ ପରିବାରର ଭାଗ୍ୟ ଜେଟ୍‌ ଉପରେ ନିର୍ଭରଶୀଳ। ପାଇଲଟ୍‌ ଠାରୁ ଆରମ୍ଭ କରି ଇଞ୍ଜିନିୟର ଏବଂ ଅଣ-ବବୈଷୟିକ ଷ୍ଟାଫ୍ ପର୍ଯ୍ୟନ୍ତ ସମସ୍ତେ ଜେଟ୍‌ର ଆର୍ଥିକ ସଙ୍କଟ ଯୋଗୁ ପ୍ରଭାବିତ ହୋଇଛନ୍ତି। ବହୁ ପରିମାଣର କର୍ମଚାରୀ ୩୦-୪୦% କମ୍ ଦରମାରେ ଅନ୍ୟ କଂପାନିରେ ଯୋଗ ଦେଉଛନ୍ତି। ପାଇଲଟ୍‌ ଏବଂ ଇଞ୍ଜିନିୟରିମାନଙ୍କୁ ସୁବିଧାରେ ଅନ୍ୟ ଚାକିରି ମିଳିଯାଉଛି। ମାତ୍ର ନନ୍ ଟେକ୍ନିକାଲ୍ ବା ଅଣ-ବୈଷୟିକ କର୍ମଚାରୀମା‌ନଙ୍କୁ ସହଜରେ ନୂଆ ଚାକିରି ମିଳୁନାହିଁ।
ବିମାନ ଟିକଟ ଦର ଚିନ୍ତା
ନୂଆଦିଲ୍ଲୀ, ୧୬/୪: ଦେଶରେ ବିମାନ ଟିକଟ ଦର ୧୦-୩୦% ପର୍ଯ୍ୟନ୍ତ ବଢ଼ିଯିବା ପରେ ବିମାନ କଂପାନିଗୁଡ଼ିକର ପ୍ରତିନିଧିମାନଙ୍କୁ ଡାକି ବିମାନ ଚଳାଚଳ ନିୟାମକ କତୃର୍ପକ୍ଷ ଡିଜିସିଏ ପକ୍ଷରୁ ଆଲୋଚନା କରାଯାଇଛି। ଟିକଟ ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଡିଜିସିଏ ପକ୍ଷରୁ ପ୍ରତିଦିନର ଟିକଟ ଦର ଉପରେ ନଜର ରଖାଯାଇଛି। ଟିକଟ ଯେତେ ସମ୍ଭବ ସେତେ କମ୍ ରଖିବାକୁ କଂପାନିଗୁଡ଼ିକୁ କୁହାଯାଇଛି। ଅଧିକ ବିମାନ ଚଳାଚଳ କରୁଥିବା ରୁଟ୍‌ଗୁଡ଼ିକରେ ଟିକଟ ଦର ବଢ଼ିଛି।

୨୧ ବର୍ଷରେ ୧୨ ବିମାନ କଂପାନି ବନ୍ଦ
ବିଗତ ୨୧ ବର୍ଷ ଭିତରେ ଦେଶରେ ୧୨ଟି ବିମାନ କଂପାନି ବନ୍ଦ ହୋଇଯାଇଛି। ବନ୍ଦ ହୋଇଯାଇଥିବା କଂପାନିଗୁଡ଼ିକର ତାଲିକା ନିମ୍ନରେ ପ୍ରଦାନ କରାଯାଇଛି। ଏହି ତାଲିକାରେ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ନାମ ମଧ୍ୟ ରହିଛି।

ବର୍ଷ କଂପାନି
୧୯୮୧-୮୭ ବାୟୁଦୂତ
୧୯୯୧-୨୦୦୮ ସାହାରା ଏୟାରଲାଇନ୍ସ
୧୯୯୨-୯୬ ଇଷ୍ଟ୍‌ ୱେଷ୍ଟ୍‌ ଏୟାରଲାଇନ୍ସ
୧୯୯୩-୯୭ ଏନ୍‌ଇପି
୧୯୯୩-୯୭ ଦମାନିଆ ଏୟାର‌ୱେଜ୍
୧୯୯୩-୯୬ ମୋଦୀଲୁଫ୍‌ତ
୧୯୯୩-୨୦୦୦ ଅର୍ଚ୍ଚନା ଏୟାରୱେଜ୍
୨୦୦୩-୦୭ ‌ଏୟାର ଡେକାନ୍
୨୦୦୭-୦୯ ଏମ୍‌ଡିଏଲ୍‌ଆର୍‌
୨୦୧୫-୧୬ ଏୟାର ପେଗାସସ୍
୨୦୦୫-୧୦ କିଙ୍ଗଫିସର୍‌
୨୦୦୫-୧୦ ପାରାମାଉଣ୍ଟ୍‌

ସମ୍ବନ୍ଧିତ ଖବର