ଘୋର ଆର୍ଥିକ ସଂକଟରେ ରାଜ୍ୟ : ଜିଏସ୍‌ଟି ଆଦାୟ ଗୁରୁତର ପ୍ରଭାବିତ, ଅବକାରୀ, ପେଟ୍ରୋଲିୟମ୍ ଓ ସମ୍ପତ୍ତି ଟିକସ ଆୟ ବି କମ୍

ନୂଆଦିଲ୍ଲୀ : ରାଜ୍ୟଗୁଡ଼ିକ କରୋନା ଭୂତାଣୁ ମୁକାବିଲା ଲାଗି ବିପୁଳ ପରିମାଣର ପାଣ୍ଠି ବ୍ୟୟ କରୁଛନ୍ତି। ସେମାନଙ୍କ ପାଖରେ ଯେଉଁ ପାଣ୍ଠି ଥିଲା ତାହା ଦ୍ରୁତ ଗତିରେ ଶେଷ ହେବାରେ ଲାଗିଛି। କରୋନା ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ରାଜ୍ୟଗୁଡ଼ିକର ରାଜସ୍ବ ଉତ୍ସକୁ ସଙ୍କୁଚିତ କରିଦେଇଛି। ସେମାନେ ଏବେ ଆର୍ଥିକ ସଙ୍କଟ ଆଡ଼କୁ ଗତି କଲେଣି। ଆର୍ଥିକ ସଙ୍କଟର ମୁକାବିଲା ଲାଗି ରାଜ୍ୟଗୁଡ଼ିକ ପାଖରେ ବିଶେଷ ଅସ୍ତ୍ର ନାହିଁ। ସେମାନେ କେନ୍ଦ୍ର ସରକାରଙ୍କ ଭଳି ମୁକ୍ତ ଭାବେ ଋଣ ମଧ୍ୟ କରିପାରିବେ ନାହିଁ।

ଆର୍ଥିକ ଉତ୍ତରଦାୟିତ୍ବ ଓ ବଜେଟ୍‌ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମ ଅନୁଯାୟୀ, ରାଜ୍ୟଗୁଡ଼ିକ ବିତ୍ତୀୟ ନିଅଣ୍ଟକୁ ତିନି ପ୍ରତିଶତରୁ ଅଧିକ କରିପାରିବେ ନାହିଁ। ବ୍ୟୟ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ପାଖରେ ଖୁବ୍‌ କମ୍ ସୁଯୋଗ ରହିଛି। ରାଜ୍ୟଗୁଡ଼ିକର ନିଜସ୍ବ ରାଜସ୍ବରେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି)ର ଭାଗ ହେଉଛି ପ୍ରାୟ ୪୫ ପ୍ରତିଶତ। ଲକ୍‌ଡାଉନ୍ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇ ଥିବାରୁ ଏହି ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲୋକମାନେ ଯେତେ ଅଧିକ ସେବା ଓ ସାମଗ୍ରୀ ବ୍ୟବହାର କରିବେ ସେହି ଅନୁସାରେ ଜିଏସ୍‌ଟି ଆଦାୟ ବଢ଼ିଥାଏ। କିନ୍ତୁ ବର୍ତ୍ତମାନ ପରିସ୍ଥିତି‌େର ଅଧିକ ସାମଗ୍ରୀ ଓ ସେବା ବ୍ୟବହାର କରିବା ଲାଗି ଲୋକଙ୍କ ନିକଟରେ ସାମର୍ଥ୍ୟ ନାହିଁ। ତେଣୁ ଜିଏସ୍‌ଟି ଆୟ ମାଡ଼ ଖାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାରେ ମୋଟ ନିଜସ୍ବ ଟିକସରେ ଜିଏସ୍‌ଟିର ଭାଗ ୪୨ ପ୍ରତିଶତ ରହିଛି। ଜିଏସ୍‌ଟିକୁ ବାଦ ଦେଲେ ରାଜସ୍ବ ବଢ଼ାଇବା ଲାଗି ରାଜ୍ୟଗୁଡ଼ିକ ପାଖରେ ଯେଉଁ ବିକଳ୍ପ ରହିଛି ତାହା ହେଉଛି ମଦ, ପେଟ୍ରୋଲିୟମ୍ ସାମଗ୍ରୀ ଓ ସମ୍ପତ୍ତି ଟିକସ। ମଦ ବିକ୍ରି ଉପ‌ରେ କଟକଣା ଲଗାଯାଇଥିବାରୁ ଅବକାରୀ ରାଜସ୍ବ ଆୟ ହ୍ରାସ ପାଇଛି। ଗାଡ଼ି ମଟର ଚଳାଚଳ ବନ୍ଦ ରହିଥିବାରୁ ଅଧିକ ତେଲ ବିକ୍ରି ହେଉନାହିଁ। ତେଣୁ ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରିରୁ ମିଳୁଥିବା ରାଜସ୍ବ ମଧ୍ୟ କମି ଯାଇଛି। ସମ୍ପତ୍ତି ବିକ୍ରି ଏପ୍ରକାର ଠପ୍ ହୋଇଯାଇଥିବାରୁ ସେଥିରୁ ଆୟ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ରାଜ୍ୟଗୁଡ଼ିକର ରାଜସ୍ବ ଆୟର ଆଉ ଏକ ବଡ଼ ଉତ୍ସ ହେଉଛି କେନ୍ଦ୍ର ଟିକସରୁ ମିଳୁଥିବା ଭାଗ। ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ତୁଳନାରେ ରାଜ୍ୟଗୁଡ଼ିକୁ ଏ ବର୍ଷ କମ୍ ଟଙ୍କା ମିଳିବାର ଆଶଙ୍କା ଦେଖାଦେଇଛି। ଏମିତିରେ ଗରିବ ରାଜ୍ୟଗୁଡ଼ିକୁ କେନ୍ଦ୍ରରୁ ଅଧିକ ରାଜସ୍ବ ମିଳିଥାଏ। ଓଡ଼ିଶା ଯେହେତୁ ଏକ ରାଜସ୍ବ ବଳକା ରାଜ୍ୟ ତେଣୁ ଏହା କେନ୍ଦ୍ରରୁ ଅପେକ୍ଷାକୃତ କମ୍ ଅନୁଦାନ ପାଇଥାଏ।

କେନ୍ଦ୍ର ଚାହିଲେ ସାହାଯ୍ୟ କରିପାରିବ
ରାଜ୍ୟଗୁଡ଼ିକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ସାହାଯ୍ୟ କରିପାରିବେ। ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଅନୁସାରେ ରାଜ୍ୟଗୁଡ଼ିକୁ ରାଜସ୍ବ ନିଅଣ୍ଟ ଅନୁଦାନ ଭା‌ବେ ପ୍ରାୟ ୭୫ ହଜାର କୋଟି ଟଙ୍କା ଦେବାକୁ ପଡ଼ିବ। ସେଥି ମଧ୍ୟରୁ ବର୍ତମାନ ସୁଦ୍ଧା ମାତ୍ର ୬୦୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। କେନ୍ଦ୍ର ସରକାର ଚାହିଲେ ବଳକା ଟଙ୍କାକୁ ଯଥାଶୀଘ୍ର ରାଜ୍ୟଗୁଡ଼ିକୁ ଦେଇପାରିବେ। କେନ୍ଦ୍ର ସରକାର ଚାହିଲେ ରାଜ୍ୟଗୁଡ଼ିକ ପାଇଁ ଏଫ୍‌ଆର୍‌ବିଏମ୍‌ ନିୟମରେ ରହିଥିବା ବ୍ୟବସ୍ଥାକୁ କୋହଳ କରିପାରିବେ। ଏହା ହେଲେ ରାଜ୍ୟଗୁଡ଼ିକ ଖୋଲା ବଜାରରୁ ଋଣ ନେଇ ନିଜ ଆବଶ୍ୟକତା ପୂରଣ କରିପାରି‌େବ। ସେହିପରି, ୱେଜ୍‌ ଆଣ୍ଡ୍‌ ମିନ୍ସ ଆଡ୍‌ଭାନ୍‌ସେସ୍‌ର ସୀମାକୁ ଯଦି ଭାରତୀୟ ରିଜର୍ଭ ବ୍ୟାଙ୍କ ଆହୁରି କୋହଳ କରିବ ତେବେ ରାଜ୍ୟଗୁଡ଼ିକ ରିଜର୍ଭ ବ୍ୟାଙ୍କ ଠାରୁ ଅଗ୍ରିମ ଆକାରରେ ଅଧିକ ଟଙ୍କା ଆଣିପାରିବେ। ଶେଷରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ମନରେଗାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅଧିକ ଅର୍ଥ ଦେଇପାରିବେ। କରୋନା ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ଲାଗି ଏହି ଦୁଇ ସ୍କିମ୍‌ରେ ରାଜ୍ୟଗୁଡ଼ିକ ଅଧିକ ଟଙ୍କା ଚାହିବେ।

ଖର୍ଚ୍ଚ କମାଇ ହେବନି
ରାଜ୍ୟଗୁଡ଼ିକର ମୋଟ୍‌ ବଜେଟ୍‌ର ଏକ ତୃତୀୟାଂଶ ଭାଗ ବେତନ, ପେନସନ୍ ଏବଂ ସୁଧ ପ୍ରଦାନରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକ ଉପରେ ରାଜ୍ୟଗୁଡ଼ିକ ଖର୍ଚ୍ଚ କମ୍ କରିପାରିବେ ନାହିଁ। ଖର୍ଚ୍ଚ କମାଇଲେ ସେହି ସବୁ ସ୍କିମ୍‌ରେ କେନ୍ଦ୍ରରୁ ମଧ୍ୟ କମ୍ ଟଙ୍କା ମିଳିବ ଯାହା ରାଜ୍ୟଗୁଡ଼ିକ ଚାହିବେ ନାହିଁ। କୋଭିଡ୍-୧୯ ମୁକାବିଲା ଲାଗି ସ୍ବାସ୍ଥ୍ୟ ଖର୍ଚ୍ଚ କମ୍ କରିହେବ ନାହିଁ। ଓଡ଼ିଶା ଭଳି ରାଜ୍ୟ ସେମାନଙ୍କ ମୋଟ୍ ବ୍ୟୟର ୧୦ ପ୍ରତିଶତ ଅର୍ଥ ମନରେଗା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ବଚ୍ଛ ଭାରତ ଯୋଜନା, ମଧ୍ୟାହ୍ନ ଭୋଜନ ଓ ସର୍ବ ଶିକ୍ଷା ଅଭିଯାନରେ ଖର୍ଚ୍ଚ କରନ୍ତି। ଲକ୍‌ଡାଉନ୍ ପାଇଁ ଏହି ସବୁ ସ୍କିମ୍ ଏକ ପ୍ରକାର ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର