ନୂଆଦିଲ୍ଲୀ: ପାଣ୍ଠିର ଅଭାବ ଓ ପ୍ରତି‌ଷ୍ଠାତାଙ୍କ ଧୈର୍ଯ୍ୟର ଅଭାବ। ଏହି ଦୁଇ କାରଣ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। କିଛି ସଂସ୍ଥା ଚାରି ପାଞ୍ଚ ବର୍ଷ ଧରି ଉଦ୍ୟମ କରିବା ପରେ ବିଫଳ ହୋଇ ନିଜର ଯାତ୍ରା ଶେଷ କରିଛନ୍ତି। ଆଉ କିଛି ଷ୍ଟାର୍ଟଅପ୍ ପ୍ରତିଷ୍ଠା ହେବାର କିଛି ମାସ ଭିତରେ ବନ୍ଦ ହୋଇଯାଇଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଯେତିକି ଷ୍ଟାର୍ଟଅପ୍ ବନ୍ଦ ହୋଇଛି ତାହା ୨୦୨୪ ବର୍ଷ ସାରାରେ ବନ୍ଦ ହୋଇଥିବା ୮୬୪୯ ଷ୍ଟାର୍ଟଅପ୍ ତୁଳନାରେ ୩୦ ପ୍ରତିଶତ ଅଧିକ। ବର୍ଷ ଶେଷ ହେବାକୁ ଆହୁରି ଦୁଇ ମାସ ବାକି ଥିବାରୁ ଏହି ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ହାଇକ୍, ବିପ୍‌କାର୍ଟ, ଆଷ୍ଟ୍ରା, ଓହମ୍ ମୋବିଲିଟି, କୋଡ୍‌ ପ୍ୟାରୋଟ୍‌, ବ୍ଲିପ୍, ସବ୍‌ଟଲ୍‌ ଏଆଇ, ଓଟିପାଏ, ଲଗ୍‌ ୯ ମାଟେରିଆଲ୍‌ ଓ ଏଏନ୍‌ଏସ୍‌ କମର୍ସ ଭଳି ଷ୍ଟାର୍ଟଅପ୍ ନାମ ବନ୍ଦ ତାଲିକାରେ ରହିଛି। ବି୨ସି ଇ-କମର୍ସ କ୍ଷେତ୍ରରେ ସର୍ବାଧିକ ୫୭୭୬ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଥିବା ବେଳେ ଏଣ୍ଟରପ୍ରାଇଜ୍ ସଫ୍ଟୱେର୍‌ରେ ୪୧୭୪ ଓ ସଫ୍ଟୱେର୍‌ ଆଜ୍ ଏ ସର୍ଭିସ୍‌ (ସାସ୍‌) କ୍ଷେତ୍ରରେ ୨୭୮୫ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଛି। ଏହି ସଂସ୍ଥାଗୁଡ଼ିକ ବନ୍ଦ ହେବା ପଛର କାରଣଗୁଡ଼ିକ ହେଉଛି ବଜାରକୁ ସୁହାଇବା ଭଳି ଉତ୍ପାଦ ଆଣି ନ ପାରିବା, ସ୍ଥାନୀୟ ବ୍ୟବସାୟ ମଡେଲ୍‌ ଗଠନରେ ବିଫଳତା, ଗ୍ରାହକ ଯୋଡ଼ିବାରେ ଅତ୍ୟଧିକ ଖର୍ଚ୍ଚ, ସୀମିତ ରାଜସ୍ବ ଏବଂ ପାଣ୍ଠିର ଘୋର ଅଭାବ। 

Advertisment

ଫ୍ୟାସନ୍ କ୍ଷେତ୍ରରେ ୮୪୦, ମାନବ ସମ୍ବଳ ପ୍ରଯୁକ୍ତି କ୍ଷେତ୍ରରେ ୮୪୬, ଶିକ୍ଷା ପ୍ରଯୁକ୍ତିରେ ୫୪୯ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଛି। ଏହି ସଂସ୍ଥାଗୁଡ଼ିକ ଏଭଳି ସମାଧାନ ବିକାଶ କରିଥିଲେ ଯାହା ବାସ୍ତବ ଦୁନିଆ ସମସ୍ୟା ପାଇଁ ଉଦ୍ଦିଷ୍ଟ ନଥିଲା। ସ୍ବାସ୍ଥ୍ୟସେବା ବୁକିଂ ପ୍ଲାଟଫର୍ମରେ ୭୬୨, ନିବେଶ ପ୍ରଯୁକ୍ତିରେ ୫୭୯, ଇଣ୍ଟରନେଟ୍‌ ପ୍ରଥମ ବ୍ରାଣ୍ଡ୍‌ କ୍ଷେତ୍ରରେ ୮୧୭ଟି କମ୍ପାନି ବନ୍ଦ ହୋଇଛି। ଭାରତରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ବିପ୍ଳବ ଆଣିଥିଲା ଇ-କମର୍ସ। ଚଳିତ ବର୍ଷ ସେହି କ୍ଷେତ୍ରରେ ସର୍ବାଧିକ ଷ୍ଟାର୍ଟଅପ୍ ବନ୍ଦ ହୋଇଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ କେବଳ ଗ୍ରାହକଙ୍କୁ ରିହାତି ଦେଇ ଓ ନିବେଶକଙ୍କ ଟଙ୍କା ଉପରେ ସଦାସର୍ବଦା ଭରସା କରି ସଫଳ ଷ୍ଟାର୍ଟଅପ୍ ଗଠନ କରାଯାଇପାରିବ ନାହିଁ। ୨୦୨୫ରେ ୭ଟି ଷ୍ଟାର୍ଟଅପ୍ ବର୍ଷକ ଭିତରେ ବନ୍ଦ ହୋଇଯାଇଛି। ୨୦୨୪ରେ ମାତ୍ର ଗୋଟିଏ ଷ୍ଟାର୍ଟଅପ୍ ଏଭଳି ଅଳ୍ପ ସମୟରେ ବନ୍ଦ ହୋଇଥିଲା।