ଭୁବନେଶ୍ବର: ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୨୪ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୬୮ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ଆଜି ଲିଟର ପିଛା ୩୧ ପଇସା ବୃଦ୍ଧି ଘଟି ୮୮ ଟଙ୍କା ୬୯ ପଇସାରେ ପହଞ୍ଚିଛି। ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ‌ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ଦୀର୍ଘଦିନ ଧରି ବଢ଼ାଇ ନଥିଲେ। କିନ୍ତୁ ନିର୍ବାଚନ ଫଳାଫଳ ଗତ ୨ ତାରିଖରେ ଘୋଷଣା ହେବା ପରେ ୩ ତାରିଖରୁ ଦର ବଢ଼ିବା ଆରମ୍ଭ ହୋଇଯାଇଛି। ତିନି ଦିନରେ ଲିଟର ପିଛା ପେଟ୍ରୋଲ ଦର ୫୬ ପଇସା ବଢ଼ିଯାଇଥିବାବେଳେ ଡିଜେଲ ଦର ୭୧ ପଇସା ବଢ଼ିଯାଇଛି। ତେଣୁ ଆଗାମୀ ଦିନରେ ଏହାର ପ୍ରଭାବ ଅନ୍ୟାନ୍ୟ ସାମଗ୍ରୀର ଦରଦାମ ଉପରେ ପଡ଼ିବ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ନିର୍ବାଚନ ସମୟରେ ଅଶୋଧିତ ତେଲ ଦରରେ ବୃଦ୍ଧି ସହିତ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା କାରଣରୁ ତୈଳ କମ୍ପାନିଗୁଡ଼ିକର ଆମଦାନି ବାବଦ ଖର୍ଚ୍ଚ ବଢ଼ିଯାଇଛି। ତେଣୁ କମ୍ପାନିଗୁଡ଼ିକ ଲିଟର ପିଛା ତେଲ ଦର ଦୁଇରୁ ଅଢ଼େଇ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି। ତେବେ କରୋନା ପ୍ରଭାବରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଚାହିଦା ଏବଂ ଦର କମିଲେ ଏହି ବୃଦ୍ଧିରେ ରୋକ ଲାଗିପାରେ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠ ମତ ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଓଡ଼ିଶାରେ ଲକଡାଉନ୍ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍ ଆଦି କାରଣରୁ ପେଟ୍ରୋଲ, ଡିଜେଲ ବିକ୍ରି ମାତ୍ରାଧିକ ହ୍ରାସ ପାଇଛି। ଚଳିତମାସ ୫ ତାରିଖରୁ ସାରା ଓଡ଼ିଶାରେ ଲକ୍‌ଡାଉନ୍ କାର୍ଯ୍ୟକାରୀ ହୋଇଛି। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଲକଡାଉନ୍ ପ୍ରଭାବରେ ଓଡ଼ିଶାର ସହରାଞ୍ଚଳରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ୮୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଗ୍ରାମାଞ୍ଚଳରେ ୨୦ ପ୍ରତିଶତ ହ୍ରାସ ପାଇଛି। ଗ୍ରାମାଞ୍ଚଳରେ ବିକ୍ରି ଅପେକ୍ଷାକୃତ ଭାବେ କମ୍ ରହିବାର କାରଣ ହେଲା ଖଣି ଖନନ ଏବଂ ଖଣିଜ ସାମଗ୍ରୀ ପରିବହନ ସାଙ୍ଗକୁ କଳକାରଖାନା ଆଦି ଚାଲୁରହିଛି। ଏଥିସହିତ ପରିବହନ ଗାଡ଼ିଗୁଡ଼ିକ ମଧ୍ୟ ଚଳାଚଳ କରୁଛି।
ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସୂଚନା ଅନୁଯାୟୀ ରାଜ୍ୟରେ ଦିନକୁ ପ୍ରାୟ ୨୮,୨୯,୦୦୦ ଲିଟର ପେଟ୍ରୋଲ ବିକ୍ରି ହୋଇଥାଏ। ସେହିଭଳି ରାଜ୍ୟରେ ଦିନକୁ ୮୩,୦୫,୦୦୦ ଲିଟର ଡିଜେଲ ବିକ୍ରି ହୋଇଥାଏ। ଆଜିର ମୂଲ୍ୟ ହିସାବରେ ଦେଖିଲେ ପେଟ୍ରୋଲ ଏବଂ ଡିଜେଲର ଦୈନିକ ବିକ୍ରି ରାଶି ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କା ରହିଛି। ତେଣୁ ୧୫ ଦିନରେ ପାଖାପାଖି ୧୫୦୦ କୋଟି ଟଙ୍କାର ପେଟ୍ରୋଲ ଏବଂ ଡିଜେଲ ତେଲ କମ୍ପାନିଗୁଡ଼ିକ ସ୍ବାଭାବିକ ସମୟରେ ବିକ୍ରି କରିଥାନ୍ତେ। କିନ୍ତୁ ଲକଡାଉନ୍‌ ପ୍ରଭାବରୁ ଉଭୟ ଇନ୍ଧନର ବିକ୍ରି ପାଖାପାଖି ଅଧାରୁ ଅଧିକ କମିଯିବା ଆଶଙ୍କା ରହିଛି। ତେଣୁ ୧୫ ଦିନରେ ତେଲ କମ୍ପାନି ଗୁଡ଼ିକର ପେଟ୍ରୋଲ ଓ ଡିଜେଲ ଜନିତ ବିକ୍ରି ପାଖାପାଖି ୭୫୦ କୋଟି ଟଙ୍କା ହ୍ରାସ ପାଇବ।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ତେଲ ଉପରୁ ଆଦାୟ କରୁଥିବା ବିପୁଳ ଟିକସକୁ ଯଦି ହିସାବକୁ ନିଆଯାଏ ତାହେଲେ ଉଭୟ ଏହାଦ୍ବାରା ପ୍ରଭାବିତ ହେବେ। କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୩୨ ଟଙ୍କା ୯୦ ପଇସାର ଉତ୍ପାଦ ଶୁଳ୍କ ଆଦାୟ କରୁଥିବାବେଳେ ଡିଜେଲ ଉପରୁ ଲିଟର ପିଛା ୩୧ ଟଙ୍କା ୮୦ ପଇସା ଆଦାୟ କରୁଛନ୍ତି। ତେଣୁ ଓଡ଼ିଶାର ବିକ୍ରିକୁ ଦେଖିଲେ କେନ୍ଦ୍ର ସରକାର ଦିନକୁ ପାଖାପାଖି ୩୫ କୋଟି ଟଙ୍କା ଏହି ଟିକସ ବାବଦରେ ପାଇଥାନ୍ତି। ତେଣୁ ପନ୍ଦର ଦିନରେ ୫୩୦ କୋଟି ଟଙ୍କା ପାଖାପାଖି ଟିକସ ପାଇଥାନ୍ତେ। କିନ୍ତୁ ବିକ୍ରି ଅଧାରୁ ଅଧିକ କମିଗଲେ କେନ୍ଦ୍ର ସରକାର ମଧ୍ୟ ପାଖାପାଖି ୨୭୦ କୋଟି ଟଙ୍କାର ଟିକସ ହରାଇବେ। ଏଥିସହିତ ରାଜ୍ୟ ସରକାର ମଧ୍ୟ ଭାଟ୍ ଆଦାୟ କରିଥାନ୍ତି। ପେଟ୍ରୋଲ ଉପରେ ୩୨ ପ୍ରତିଶତ ଏବଂ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଏବେ ଓଡ଼ିଶା ସରକାର ଆଦାୟ କରୁଛନ୍ତି। ତେଣୁ ରାଜ୍ୟ ସରକାର ମଧ୍ୟ ଭାଟ୍ ବାବଦରେ ମୋଟା ଅଙ୍କର ଟିକସ ଏହି ଲକଡାଉନ୍ ସମୟରେ ହରାଇବେ।