ମୁମ୍ବାଇ: ଗ୍ରାହକମାନଙ୍କ ସହ ଲକର ଚୁକ୍ତିର ନବୀକରଣ କରିବା ଲାଗି ବ୍ୟାଙ୍କମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିକ ସମୟ ଦେଇଛନ୍ତି। ଯେହେତୁ ବହୁ ଗ୍ରାହକ ଏପର୍ଯ୍ୟନ୍ତ ଲକର ଚୁକ୍ତିର ନବୀକରଣ କରିପାରିନାହାନ୍ତି ସେଥିପାଇଁ ଏହି ଅବଧିକୁ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ଜାନୁଆରି ୧ ସୁଦ୍ଧା ଚୁକ୍ତିର ନବୀକରଣ କରାଇନେବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଥିଲେ। କିନ୍ତୁ ବହୁ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସେବିଷୟରେ ସୂଚିତ ମଧ୍ୟ କରିନଥିବା ଜଣାପଡ଼ିଛି।

Advertisment

ଲକର୍‌ ପାଇଁ ନୂଆ ଚୁକ୍ତି କରିବା ଜରୁରୀ ବୋଲି ପ୍ରତି ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ୨୦୨୩ ଏପ୍ରିଲ୍ ୩୦ ସୁଦ୍ଧା ସୂଚିତ କରିବେ। ଆସନ୍ତା ଜୁନ୍ ୩୦ ସୁଦ୍ଧା ଅତିକମ୍‌ରେ ୫୦ ପ୍ରତିଶତ ଏବଂ ସେପ୍ଟେମ୍ବର ୩୦ ସୁଦ୍ଧା ୭୫ ପ୍ରତିଶତ ଗ୍ରାହକ ଯେଭଳି ଏହି ଚୁକ୍ତି ସ୍ବାକ୍ଷର କରିବେ ତାହାକୁ ବ୍ୟାଙ୍କଗୁଡ଼ିକ ନିଶ୍ଚିତ କରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି। ଗ୍ରାହକମାନଙ୍କ ଲାଗି ଏହି ପ୍ରକ୍ରିୟାକୁ ସରଳ କରିବାକୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜାନୁଆରି ୧ ସୁଦ୍ଧା ନୂଆ ନିୟମକୁ ପାଳନ କରିନଥିବା ଯେଉଁ ଲକରଗୁଡ଼ିକୁ ଅଚଳ କରାଯାଇଛି ତାହାକୁ ତୁରନ୍ତ ସକ୍ରିୟ କରାଯିବ।

୨୦୨୧ ଅଗଷ୍ଟ ୧୮ରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲକରକୁ ନେଇ ନୂଆ ସର୍କୁଲାର ଜାରି କରାଯାଇଥିଲା ଯେଉଁଥିରେ ୨୦୨୩ ଜାନୁଆରି ୧ ସୁଦ୍ଧା ଗ୍ରାହକମାନଙ୍କ ସହିତ ଚୁକ୍ତିର ନବୀକରଣ କରିବା ଲାଗିବ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା। ୨୦୨୩ ଫେବ୍ରୁଆରି ୨୮ ସୁଦ୍ଧା ସବୁ ବ୍ୟାଙ୍କକୁ ସଂଶୋଧିତ ସର୍କୁଲାର ପଠାଇବାକୁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)କୁ ରିଜର୍ଭ ବ୍ୟାଙ୍କ କହିଛନ୍ତି। ନୂଆ ଲକର ନିୟମ ଅନୁସାରେ ଚୁକ୍ତିରେ ଷ୍ଟାମ୍ପ୍ ଲାଗିବ ଏବଂ ଚୁକ୍ତିର ଏକ ନକଲ ଗ୍ରାହକଙ୍କୁ ଦିଆଯିବ। ଅସଲି ଚୁକ୍ତି ବ୍ୟାଙ୍କ ପାଖରେ ରହିବ। କେହି ଲକର ଖୋଲିଲେ ସେବିଷୟରେ ଏସ୍‌ଏମ୍ଏସ୍‌ ଓ ଇ-ମେଲ୍‌ରେ ଗ୍ରାହକଙ୍କୁ ବ୍ୟାଙ୍କ ସୂଚନା ଦେବ। ବ୍ୟାଙ୍କର ଅସାବଧାନତା କାରଣରୁ ଲକରରେ ଥିବା ଜିନିଷ କ୍ଷତି ହେଲେ ସେଥିପାଇଁ ବ୍ୟାଙ୍କ କ୍ଷତିପୂରଣ ଦେବ। ମାତ୍ର ଭୂକମ୍ପ, ବନ୍ୟା, ବଜ୍ରପାତ କିମ୍ବା ଘଡ଼ଘଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଆକ୍ଟ ଅଫ୍‌ ଗଡ୍‌ ଭଳି ମାମଲାରେ ଲକର୍‌ରେ ଥିବା ଜିନିଷର କୌଣସି କ୍ଷତି ହେଲେ ବ୍ୟାଙ୍କ କ୍ଷତିପୂରଣ ଦେବନାହିଁ। ଲକର ଭଡ଼ା ସଂଗ୍ରହ କରିବା ଲାଗି ବ୍ୟାଙ୍କଗୁଡ଼ିକ ମିଆଦୀ ଜମା ଗ୍ରହଣ କରିପାରିବେ। ଲକର୍‌ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ନମିନିଙ୍କୁ ଲକର୍‌ରେ ଥିବା ଜିନିଷ ମିଳିବ। ତେବେ ତା’ପୂର୍ବରୁ ମୃତକଙ୍କ ଡେଥ୍‌ ସାର୍ଟିଫିକେଟକୁ ବ୍ୟାଙ୍କ ଭଲ ଭାବେ ଯାଞ୍ଚ କରିବ।