ବର୍ଷର ସର୍ବନିମ୍ନ ସ୍ତରରେ ତେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ମଙ୍ଗଳବାର ଚଳିତ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ୪ଟି ଯାକ ମହାନଗର ଯଥା ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦର ସର୍ବନିମ୍ନ ସ୍ତରକୁ ଖସିଛି। ଡିଜେଲ ଦର ଚଳିତବର୍ଷ ମାର୍ଚ୍ଚ ପରଠାରୁ ସର୍ବନିମ୍ନ ସ୍ତରକୁ ଖସିଛି। ସୋମବାର ତୁଳନାରେ ମଙ୍ଗଳବାର ୪ଟି ଯାକ ମହାନଗରରେ ପେଟ୍ରୋଲ ଦର ସୋମବାର ତୁଳନାରେ ୭ ପଇସା ହ୍ରାସ ଘଟିଥିବାବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଦିଲ୍ଲୀରେ ପେଟ୍ରୋଲ ଦର ୬୯ ଟଙ୍କା ୭୬ ପଇସାକୁ, କୋଲକାତାରେ ୭୧ ଟଙ୍କା ୮୯ ପଇସାକୁ, ମୁମ୍ବାଇରେ ୭୫ ଟଙ୍କା ୪୧ ପଇସାକୁ ଏବଂ ଚେନ୍ନାଇରେ ୭୨ ଟଙ୍କା ୪୧ ପଇସାକୁ କମିଛି। ସେହିଭଳି ଡିଜେଲ ଦର ଏହି ୪ଟି ଯାକ ମହାନଗରରେ ୬୩ ଟଙ୍କା ୬୩ ପଇସାରୁ ୬୬ ଟଙ୍କା ୭୯ ପଇସା ମଧ୍ୟରେ ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଫଳରେ ପେଟ୍ରୋଲ, ଡିଜେଲ ଦର କମୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୬ ପ୍ରତିଶତରୁ ଅଧିକ କମିଗଲାଣି।
ସେହିଭଳି ଭୁବନେଶ୍ବରରେ ମଧ୍ୟ ସୋମବାର ତୁଳନାରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୭ ପଇସା କମିଛି। ସୋମବାର ଭୁବନେଶ୍ବରରେ ପେଟ୍ରୋଲ ଦର ୬୮ ଟଙ୍କା ୮୫ ପଇସା ଥିବାବେଳେ ମଙ୍ଗଳବାର ଏହା ୬୮ ଟଙ୍କା ୭୮ ପଇସାକୁ ଖସିଆସିଛି। ତେବେ ଡିଜେଲ ଦରରେ ମଙ୍ଗଳବାର କୌଣସି ପରିବର୍ତ୍ତନ ହୋଇନାହିଁ। ସୋମବାର ଭଳି ମଙ୍ଗଳବାର ମଧ୍ୟ ଡିଜେଲ ଦର ୬୮ ଟଙ୍କା ୪୦ ପଇସାରେ ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧିତ ଖବର