ନୂଆଦିଲ୍ଲୀ: ଲଜିଷ୍ଟିକ୍ସ ବା ପରିବହନ ସେବା ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏ କ୍ଷେତ୍ରରେ କେଉଁ ରାଜ୍ୟର ପ୍ରଦର୍ଶନ କ’ଣ ରହିଛି ତାହାର ସୂଚୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ କରାଯାଇଛି। ୨୦୨୩ ମସିହା ପାଇଁ ପ୍ରକାଶ କରାଯାଇଥିବା ଉକ୍ତ ସୂଚୀରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଚିଭର୍ସ ବର୍ଗରେ ରହିଛନ୍ତି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଚଣ୍ଡୀଗଡ଼, ଗୁଜରାଟ, ଦିଲ୍ଲୀ, ଆସାମ, ହରିୟାଣା, ପଞ୍ଜାବ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ରହିଛନ୍ତି।

Advertisment

ରିପୋର୍ଟରେ କେରଳ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର, ଲାକ୍ଷାଦ୍ବୀପ, ପୁଡ଼ୁଚେରି ଫାଷ୍ଟ୍‌ ମୁଭର୍ସ ବର୍ଗରେ ସ୍ଥାନ ପାଇଛନ୍ତି। ଏହାବ୍ୟତୀତ ଓଡ଼ିଶା, ଗୋଆ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ଡାମନ ଓ ଡିୟୁ, ଦାଦ୍ରା ଓ ନଗର ହାବେଳି, ଜମ୍ମୁ କଶ୍ମୀର ଓ ଲଦାଖ ଉକ୍ତ ସୂଚୀରେ ଆଚିଭର୍ସ ବର୍ଗରେ ରହିଛନ୍ତି। ଗତବର୍ଷ ଆଚିଭର୍ସ ବର୍ଗରେ ୧୫ଟି ରାଜ୍ୟ ସ୍ଥାନ ପାଇଥିଲେ। କିନ୍ତୁ ଚଳିତବର୍ଷ ଏଥିରୁ ୨ଟି ରାଜ୍ୟ ବାଦ୍‌ ପଡ଼ିଛନ୍ତି। ସେମାନେ ହେଲେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ। ହିମାଚଳ ପ୍ରଦେଶ ଆସ୍ପାୟର୍ସ ବର୍ଗକୁ ଏବଂ ଉତ୍ତରାଖଣ୍ଡ ଫାଷ୍ଟ୍‌ ମୁଭର୍ସ ବର୍ଗକୁ ଖସିଛନ୍ତି। ଅନ୍ୟପକ୍ଷରେ ତ୍ରିପୁରା ଓ ସିକ୍କିମ୍ ଗତବର୍ଷ ଫାଷ୍ଟ୍‌ ମୁଭର୍ସ ବର୍ଗରେ ଥିଲେ। ଚଳିତବର୍ଷ ସେମାନେ ଉପରକୁ ଉଠି ଆସ୍ପାୟର୍ସ ବର୍ଗରେ ସ୍ଥାନ ପାଇଛନ୍ତି।

ରାଜ୍ୟଗୁଡ଼ିକର ଲଜିଷ୍ଟିକ୍ସ ପରିସଂସ୍ଥାନ ଆଧାରରେ ଉକ୍ତ ରିପୋର୍ଟ ପ୍ରସ୍ତୁତ କରଯାଇଛି। ଦେଶର ବାଣିଜ୍ୟ ଏବଂ ପରିବହନ ଖର୍ଚ୍ଚ ହ୍ରାସ ପାଇଁ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରଦର୍ଶନରେ ଉନ୍ନତି ଜରୁରୀ। ୨୦୪୭ ମସିହା ସୁଦ୍ଧା ଭାରତର ଅର୍ଥନୀତିକୁ ପ୍ରାୟ ୩୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ଲଜିଷ୍ଟିକ୍ସ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଏନସିଏଇଆର୍‌ର ଏକ ରିପୋର୍ଟକୁ ଉଲ୍ଲେଖ କରି ଶ୍ରୀ ଗୋୟଲ କହିଛନ୍ତି, ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ଜିଡିପିର ୭.୮ ପ୍ରତିଶତରୁ ୮.୯ ପ୍ରତିଶତ ମଧ୍ୟରେ ରହୁଥିବା ଆକଳନ କରାଯାଇଛି। ଆଗାମୀ ଦିନରେ ଏହାକୁ ୫ରୁ ୬ ପ୍ରତିଶତକୁ ହ୍ରାସ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବା ସେ କହିଛନ୍ତି। ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଠାରୁ ଆରମ୍ଭ କରି କୁଶଳୀ ମାନବ ସମ୍ବଳ ନିଯୁକ୍ତ, ଏଆଇ, ବ୍ଲକଚେନ୍ ଏବଂ ଡାଟା ଆନାଲିଟିକ୍ସ ଭଳି ନୂଆ ନୂଆ ପ୍ରଯୁକ୍ତି ବ୍ୟବହାର ଦେଶର ଲଜିଷ୍ଟିକ୍ସ କ୍ଷେତ୍ରର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।