ନୂଆଦିଲ୍ଲୀ: ଆମେରିକାର ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିବା ଦୁର୍ନୀତି ଅଭିଯୋଗ ମାମଲାରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କୁ ଲୋକପାଳ କ୍ଲିନ୍‌ଚିଟ୍ ପ୍ରଦାନ କରିଛନ୍ତି। ଲୋକପାଳ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ସତ୍ୟତାକୁ ନେଇ କୌଣସି ପ୍ରମାଣ ମିଳିନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଅଭିଯୋଗ କରାଯାଇଥିଲା ବୋଲି ଲୋକପାଳ କହିଛନ୍ତି। ଏହି ଅଭିଯୋଗ ତିଷ୍ଠି ରହିବାର ପ୍ରାଥମିକ ଆଧାର ମଧ୍ୟ ନାହିଁ।

Advertisment

ସେବିର ନିୟମିତ ନିଷ୍ପତ୍ତିଗୁଡ଼ିକୁ ଏକ ବୃହତ ଷଡ଼୍‌ଯନ୍ତ୍ର ଭାବେ ଦର୍ଶାଇ ଅଭିଯୋଗ କରାଯାଇଥିଲା ବୋଲି ଲୋକପାଳ କହିଛନ୍ତି। ମାଧବୀ ସେବି ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ହିଣ୍ଡେନ୍‌ବର୍ଗ ତାଙ୍କ ବିରୋଧରେ ସଙ୍ଗିନ ଦ୍ବେତ ସ୍ବାର୍ଥ ଅଭିଯୋଗ ଆଣିଥିଲା। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ସହ ସମ୍ପର୍କ ଥିବା କିଛି ସଂସ୍ଥା ସହ ତାଙ୍କର ବ୍ୟବସାୟିକ ସମ୍ପର୍କ ଥିବା ଅଭି‌ଯୋଗ ହୋଇଥିଲା। ମାଧବୀ ତାହାକୁ ଖଣ୍ଡନ ମଧ୍ୟ କରିଥିଲେ। ଆଦାନୀ ଗ୍ରୁପ୍‌ଠାରୁ ପରୋକ୍ଷ ଭାବେ ବ୍ୟବସାୟିକ ଲାଭ ମିଳୁଥିବାରୁ ମାଧବୀ ଆଦାନୀ ବିରୋଧ ତଦନ୍ତକୁ ଠିକ୍ ଭାବେ ପରିଚାଳନା କରୁନଥିବା ହିଣ୍ଡେନ୍‌ବର୍ଗ ଅଭିଯୋଗ କରିଥିଲା। ସେହି ଅଭିଯୋଗଗୁଡ଼ିକର କୌଣସି ଆଧାର ନଥିବା ଲୋକପାଳ କହିଛନ୍ତି।