ଦୀର୍ଘବର୍ଷର ପରମ୍ପରା ଭାଙ୍ଗିବ: ଏଥର ବଜେଟ୍‌ ବହି ଛପା ହେବନି, ସ୍ବାଧୀନତା ପରେ ପ୍ରଥମ ଥର ଏଭଳି ହେବ

ଅର୍ଥନୈତିକ ସର୍ଭେ ରିପୋର୍ଟ ବି ଛପା ହେବନି

ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ୍ ବହି ବା ଦଲିଲ ଛପା ହେବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସଂସଦର ଉଭୟ ଗୃହରୁ ସରକାର ଅନୁମତି ଆଣିଛନ୍ତି। ୧୯୪୭ ପରେ ପ୍ରଥମ ଥର ଲାଗି ବଜେଟ୍ ସମ୍ପୂର୍ଣ୍ଣ କାଗଜବିହୀନ ରହିବ। ସାଂସଦମାନଙ୍କୁ ବଜେଟ୍‌ କାଗଜପତ୍ର ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯିବ। କମ୍ପ୍ୟୁଟର ଭାଷାରେ ତାହାକୁ ବଜେଟ୍‌ର ସଫ୍ଟ କପି କୁହାଯାଉଛି।

ଦେଶରେ ପ୍ରଥମ ଥର ଲାଗି ୧୯୪୭ ନଭେମ୍ବର ୨୬ରେ ବଜେଟ୍‌ ଉପସ୍ଥାପନ କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ବଜେଟ୍‌ ବହିକୁ ଛପାଯାଇଥାଏ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନ ରହିଥାଏ। ନିର୍ଦିଷ୍ଟ ସଂଖ୍ୟକ ଅଧିକାରୀଙ୍କୁ ଅର୍ଥ ମନ୍ତ୍ରଣାଳୟରେ ଦୀର୍ଘଦିନ ଧରି ରହିବାକୁ ପଡ଼େ। ବାହ୍ୟ ଦୁନିଆ ସହ ସେମାନଙ୍କ ସବୁ ପ୍ରକାର ଯୋଗାଯୋଗକୁ ବିଚ୍ଛିନ୍ନ କରାଯାଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ସରକାର ଏତେ ଲୋକଙ୍କୁ ନେଇ ବଜେଟ୍‌ ଛପାଇବାକୁ ଚାହୁନାହାନ୍ତି। କେବଳ ବଜେଟ୍‌ ନୁହେଁ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଛପା ହେବ ନାହିଁ। ତାହାର ମଧ୍ୟ ସଫ୍ଟ କପି ବଣ୍ଟନ କରାଯିବ। ଅର୍ଥ ମନ୍ତ୍ରଣାଳୟ ବେସ୍‌ମେଣ୍ଟ୍‌ରେ ନିଜସ୍ବ ଛାପାଖାନା ରହିଛି ଯେଉଁଠାରେ ବଜେଟ୍‌ ବହି ଛପାଯାଇଥାଏ। ବଜେଟ୍ ଉପସ୍ଥାପନ ହେବାର କିଛି ସପ୍ତାହ ପୂର୍ବରୁ ସେମାନଙ୍କୁ ସେହି ଗୋଟିଏ ସ୍ଥାନରେ ରଖାଯାଏ। ପ୍ରତିବର୍ଷ ଅର୍ଥମନ୍ତ୍ରୀ ଏକ ହାଲ୍‌ୱା କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏହା ପରେ ବଜେଟ୍‌ ଛପା ପାଇଁ ଚୟନ କରାଯାଇଥିବା ଲୋକମାନଙ୍କୁ ବେସ୍‌ମେଣ୍ଟ୍‌ରେ ରଖାଯାଇଥାଏ। ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ସେମାନଙ୍କୁ ସେଠାରୁ ବାହାର କରାଯାଏ। ବଜେଟ୍‌ ବହିଗୁଡ଼ିକୁ ଟ୍ରକ୍‌ରେ ଲଦି ସଂସଦ ପରିସରକୁ ଅଣାଯାଏ। ସେଠାରେ ସନ୍ଧାନୀ କୁକରମାନଙ୍କ ଜରିଆରେ ସେଗୁଡ଼ିକୁ ଯାଞ୍ଚ କରାଯାଏ। ଚଳିତ ବର୍ଷ ସେହି ଦୃଶ୍ୟ ଦେଖିବାର ସୁଯୋଗ ମିଳିବ ନାହିଁ।

କରୋନା ମହାମାରୀ ପରର୍ବତୀ ସମୟର ବଜେଟ୍‌ରୁ ‌ସମାଜର ବିଭିନ୍ନ ବର୍ଗ ଅନେକ କିଛି ଆଶା କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପୂର୍ବରୁ କହିସାରିଛନ୍ତି ଯେ ୨୦୨୧-୨୨ର ବର୍ଷ ଏଭଳି ହେବ ଯାହା ଗତ ୧୦୦ ବର୍ଷ ଭିତରେ କେବେ ଦେଖିବାକୁ ମିଳିନାହିଁ। ସେଥିପାଇଁ ସେ ବିଭିନ୍ନ ବର୍ଗଠାରୁ ମତାମତ ଓ ପ୍ରସ୍ତାବ ଆହ୍ବାନ କରିଛନ୍ତି। ଏବର୍ଷର ବଜେଟ୍‌ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅଷ୍ଟମ ବଜେଟ୍‌ ଯାହା ଚଳିତ ବର୍ଷ ଫେବ୍ରୁଆରି ୧ରେ ଉପସ୍ଥାପନ କରାଯିବ।

ହିମାଚଳପ୍ରଦେଶ ଆଣିଥିଲା ପ୍ରଥମ ଇ-ବଜେଟ୍‌
ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୫ରେ ହିମାଚଳପ୍ରଦେଶ କାଗଜବିହୀନ ବଜେଟ୍ ଉପସ୍ଥାପନ କରିଥିଲା। ବଜେଟ୍‌ ସମ୍ପର୍କିତ ଦଲିଲଗୁଡ଼ିକୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଯାଇଥିଲା। କେବଳ ରେକର୍ଡ ରଖିବା ଲାଗି ୧୦ଟି ବଜେଟ୍‌ ବହି ଛପାଯାଇଥିଲା। ଏହା ପୂର୍ବରୁ ହିମାଚଳପ୍ରଦେଶ ପ୍ରତିବର୍ଷ ୨୦୦ରୁ ଅଧିକ ବଜେଟ୍ ବହି ଛପାଉଥିଲା। ହିମାଚଳପ୍ରଦେଶ ବିଧାନସଭା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କାଗଜବିହୀନ ହୋଇଛି।

୨୦୨୦ରେ ଓଡ଼ିଶା ଆଣିଥିଲା
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କାଗଜବିହୀନ ବା ଇ-ବଜେଟ୍‌ ଉପସ୍ଥାପନ କରିଥିଲେ। ବଜେଟ୍ ଉପସ୍ଥାପନ ହେବାର କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ସୂଚନା ଦେଇଥିଲେ। ବଜେଟ୍‌ ସମ୍ପର୍କିତ ସୂଚନା ପାଇଁ ମୋବାଇଲ୍‌ ଆପ୍ ଉନ୍ମୋଚନ କରାଯାଇଥିଲା। ଇ-ବଜେଟ୍ ଉପସ୍ଥାପନ କରାଯିବା ଦ୍ବାରା ୧୦୦୦ ଗଛ କଟିବାରୁ ରକ୍ଷା ପାଇଛି ବୋଲି କୁହାଯାଇଥିଲା। ବଜେଟ୍ ପାଇଁ ଓଡ଼ିଶା ପ୍ରତିବର୍ଷ ୭୫ ଲକ୍ଷ ପୃଷ୍ଠା ଛପାଉଥିଲା। ରାଜ୍ୟ ଇତିହାସରେ ପ୍ରଥମ ଥର ଲାଗି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବଜେଟ୍‌ ଅଭିଭାଷଣ ପଢ଼ିବା ବେଳେ ଆଇ-ପ୍ୟାଡ୍ ବ୍ୟବହାର କରିଥିଲେ।

ଆନ୍ଧ୍ରପ୍ରଦେଶ, ଆସାମ ବି ଆଣିଛନ୍ତି
ଆସାମର ଅର୍ଥମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ରାଜ୍ୟର ପ୍ରଥମ ଇ-ବଜେଟ୍‌କୁ ୨୦୧୮ରେ ଉପସ୍ଥାପନ କରିଥିଲେ। ବିଧାୟକମାନଙ୍କୁ ଟାବ୍‌ଲେଟ୍‌ ଦିଆଯାଇଥିଲା ଯେଉଁଥିରେ ସେମାନେ ବଜେଟ୍ ଦଲିଲ ପଢ଼ିବାର ସୁଯୋଗ ପାଇଥିଲେ। ସେହିପରି, ୨୦୧୬ରେ ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ୱାଇ ରାମକ୍ରିଷ୍ଣୁଡୁ ବଜେଟ୍‌ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଗୃହର ସଭ୍ୟମାନଙ୍କୁ ଟବ୍‌ଲେଟ୍‌ ଦିଆଯାଇଥିଲା।

ସମ୍ବନ୍ଧିତ ଖବର