ଟଙ୍କା ଦେବ ୭୦ ହଜାର କୋଟିର ଝଟ୍‌କା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପଡ଼ିଥିବାରୁ ଅନେକ ପ୍ରକାର ସମସ୍ୟା ଆରମ୍ଭ ହୋଇଯାଇଛି। ତେଲ ଆମଦାନି କରିବାକୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ବିଦେଶରୁ ଅଣାଯାଇଥିବା ଋଣ ପରିଶୋଧ କରିବା ମଧ୍ୟ ମହଙ୍ଗା ପଡ଼ିବ। ବିଦେଶୀ ଋଣ ଯୋଗୁ ୭୦ ହଜାର କୋଟି ଟଙ୍କାର ଝଟ୍‌କା ଲାଗିବ ବୋଲି ଆକଳନ କରାଯାଇଛି। ଆଜି ଏକ ଡଲାର ମୂଲ୍ୟ ୭୧ ଟଙ୍କା ୯୦ ପଇସା ରହିଛି। ଚଳିତ ବର୍ଷ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧୧% ହ୍ରାସ ପାଇଲାଣି। ଯଦି ଏହି ମୂଲ୍ୟ ବଜାୟ ରହିବ ତେବେ ବିଦେଶରୁ ଅଣାଯାଇଥିବା ଋଣ ପରିଶୋଧ କରିବାକୁ ୬୮,୫୦୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ କରିବାକୁ ପଡ଼ିବ। ଏହି ସବୁ ଋଣକୁ ସ୍ୱଳ୍ପ ଅବଧି ପାଇଁ ଅଣାଯାଇଥିଲା। ଆଗାମୀ କିଛି ମାସରେ ସବୁ ଋଣ ପରିଶୋଧ କରିବାକୁ ପଡ଼ିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଯଦି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୩ ଟଙ୍କା ସ୍ତରରେ ପହଞ୍ଚିଯିବ ଓ ଆଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୭୬ ଡଲାର ସ୍ତରରେ ରହିବ ତେବେ ଚଳିତ ବର୍ଷ ତେଲ ଆମଦାନି ପାଇଁ ଅଧିକ ୪୫,୭୦୦ କୋଟି ଟଙ୍କା ଖର୍ଚ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର